ହୀରାକୁଦରେ ବଢ଼ିଲା ବିଦେଶାଗତ ପକ୍ଷୀ : ଆସିଛନ୍ତି ୧୦୪ ପ୍ରଜାତିର ୨.୦୮ ଲକ୍ଷ ପକ୍ଷୀ
ସମ୍ବଲପୁର : ପ୍ରତ୍ୟେକ ବର୍ଷ ଶୀତ କାଳରେ ରାଜ୍ୟକୁ ଅନେକ ବିଦେଶୀ ପକ୍ଷୀଙ୍କ ଆଗମନ ହୁଏ। ଏମାନଙ୍କ ଆଗମନରେ ପ୍ରକୃତିରାଣୀର ଶୋଭା ବୃଦ୍ଧି ପାଇଛି। ଚଳିତ ବର୍ଷ ହୀରାକୁଦକୁ ୧୦୪ ପ୍ରଜାତିର ୨.୦୮ ଲକ୍ଷ ପକ୍ଷୀ ଆସିଛନ୍ତି। ଏଥର ୧୯ଟି ନୂଆ ପ୍ରଜାତିର ପକ୍ଷୀଙ୍କ ଆଗମନ ହୋଇଛି ବୋଲି ସମ୍ବଲପୁର ଡ଼ିଏଫଓ, ଅଂଶୁ ପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି।
ଗତ ୭ ତାରିଖରେ ସମ୍ବଲପୁର ହୀରାକୁଦ ଜଳଭଣ୍ଡାରରେ ବନ ବିଭାଗ ପକ୍ଷୀଗଣନା ଆରମ୍ଭ ହୋଇଥିଲା। ଚଳିତ ବର୍ଷ ହୀରାକୁଦକୁ ୧୦୪ ପ୍ରଜାତିର ୨.୦୮ ଲକ୍ଷ ପକ୍ଷୀ ଆସିଛନ୍ତି। ଏହାସହ ଏଥର ୧୯ଟି ନୂଆ ପ୍ରଜାତିର ପକ୍ଷୀ ହୀରାକୁଦକୁ ଆସିଥିବା ଜଣାପଡିଛି। ନୂଆ ପ୍ରଜାତିରେ ବ୍ଲାକ ବିଟେମ, ପେରିଗ୍ରୀନ ଫାଲକନ, ସ୍ବିଫ୍ଟ, ବ୍ଲାକ ହେଡେଡ ଲିବିସ, ରୁଡି କ୍ରେକ୍, ହ୍ବାଇଟ ବେଲିଡ ସି ଓ ଇଗଲ ରହିଛନ୍ତି। ସେହିପରି ଫୁଲଭୋସ୍ ୱିଷ୍ଟଲିଂ ଡକ୍, ପିଡବଚଚାର୍ଟ, ଲଙ୍ଗ ଟେଲଡ ସ୍ରିକ, ଷ୍ଟ୍ରିଟେଡ୍ ହେରୋନ୍, ପ୍ୟାଡି ଫିଲଡ ପିପିଟ, ବ୍ଲାକ ସୋଲଡର କାଇଟ, ବିୟର୍ସ ପୋଚାର୍ଡ, ଓ୍ବେଷ୍ଟର୍ଣ୍ଣ ୟେଲୋ ଓ୍ବାଗଟେଲ, ନୋବ ବିଲ୍ଡ୍ ଡକ୍, ସାଇବରିଆନ୍ ରୁବି ଥ୍ରୋଟ, ରେଡୱିଙ୍ଗ୍ ବୁଶ୍ ଲାର୍କ, କ୍ରେଷ୍ଟେଡ୍ ଲାର୍କ ଓ ଗ୍ରୀନ ସ୍ୟାଣ୍ଡ ପିପର ଆଦି ପ୍ରଜାତିର ପକ୍ଷୀ ହୀରାକୁଦକୁ ଆସିଛନ୍ତି। ସୂଚନା ଯେ, ଚଳିତ ବର୍ଷ ହୀରାକୁଦକୁ ଲେଜର ଓ୍ବିସଲିଙ୍ଗ ଡକ ୫୨୩୩୭, ଟୁଫଟେଡ ଡକ ୨୭୬୭୭, କମନ କୋର୍ଟ ୨୧୨୪୪, ଲିଟିଲ କର୍ମୋରାର୍ଣ୍ଣ ୧୩୧୭୬ ଓ ରେଡ କ୍ରିସଟେଡ ପୋଚାର୍ଡ ୧୧୨୨୦ ସଂଖ୍ୟକ ଆସିଥିବା ସୂଚନା ଦିଆଯାଇଛି। ଏହା ସହ ବିଗତ ବର୍ଷ ଗୁଡ଼ିକ ଅପେକ୍ଷା ଏଥର ସର୍ବାଧିକ ପକ୍ଷୀ ଆସିଛନ୍ତି। ଗତବର୍ଷ ୯୮ ପ୍ରଜାତିର ୧.୨୪ ଲକ୍ଷ ପକ୍ଷୀ ଆସିଥିବା ବେଳେ ଚଳିତ ବର୍ଷ ୧୦୪ ପ୍ରଜାତିର ୨.୦୮ ଲକ୍ଷ ପକ୍ଷୀ ଆସିଥିବା ଡିଏଫ କହିଛନ୍ତି।