ପୁରୀରେ ଫୁଟିଲା ଗୁଳି, ପୋଲିସ୍ ଗୁଳିରେ ଅପରାଧୀ ବିଜୁ ଆହତ
ପୁରୀ : ପୁରୀ ନରେନ୍ଦ୍ରକୋଣରେ ମହିଳାଙ୍କୁ ଗୁଳିମାଡ ଘଟଣାରେ ଅଭିଯୁକ୍ତ ବିଜୁ ବେହେରାକୁ ପୋଲିସ ଏନକାଉଂଟର କରିଥିବା ଜଣାପଡ଼ିଛି । ଚନ୍ଦନପୁର ଥାନା ଗଙ୍ଗା ନାରାୟଣପୁରରେ ଏନକାଉଂଟର କରିଛି ପୋଲିସ୍ । ଏନକାଉଂଟରରେ ବିଜୁ ଆହତ ହୋଇଛି । ବିଜୁର ବାମପଟ ଗୋଡରେ ଗୁଳି ବାଜିଥିବା ବେଳେ ତାକୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ବିଜୁକୁ ଧରିବା ପାଇଁ ପୋଲିସ ପକ୍ଷରୁ ଗଠନ ହୋଇଥିଲା ଚାରୋଟି ଟିମ୍ । ବିଜୁର ଆକ୍ରମଣରେ କୁମ୍ଭାରପଡା ଥାନାର ସବ୍ଇନ୍ସପେକ୍ଟର ଦିବ୍ୟ ରଞ୍ଜନ ପଣ୍ଡା ଆହତ ହୋଇଥିବା ଜଣାପଡ଼ିଛି ।
ସୂଚନା ଯେ, ମଙ୍ଗଳବାର ରାତିରେ ନରେନ୍ଦ୍ରକୋଣରେ ଜଣେ ମହିଳାଙ୍କୁ ଗୁଳି କରିଥିଲା ବିଜୁ । ଗୁଳି ମାଡ଼ ପରେ ଅଭିଯୁକ୍ତ ବିଜୁ ବେହେରା ଚନ୍ଦନପୁର ଥାନା ଅଂଚଳରେ ଲୁଚି ରହିଥିଲା । ଏ ସମ୍ପର୍କରେ ଖବର ପାଇ ପୁଲିସ୍ ଅଚାନକ ଚଢ଼ଉ କରିଥିଲା । ବିଜୁକୁ ଆତ୍ମସମର୍ପଣ କରିବାକୁ ପୁଲିସ୍ କହିଥିଲା । କିନ୍ତୁ ସେ ପୁଲିସ ଉପରକୁ ପ୍ରଥମେ ଗୁଳି ଚଳାଇଥିଲା । ଏହାର ପ୍ରତି ଜବାବ ଦେଇଥିଲା ପୁଲିସ୍ । ବିଜୁ ଉପରକୁ ପୁଲିସ ପାଲଟା ଗୁଳି ଚାଳନା କରିଥିଲା । ଫଳରେ ବିଜୁର ବାମ ଗୋଡ଼ରେ ବାଜିଥିଲା ଗୁଳି । ପରେ ତାକୁ କାବୁ କରିବାରେ ସମ୍ଭବପର ହୋଇଥିଲା ପୁଲିସ । ତାକୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ତା’ ପାଖରୁ ପୁଲିସ୍ ଏକ ପିସ୍ତଲ ଓ ୩ ରାଉଣ୍ଡ ଗୁଳି ଜବତ କରିଛି । ଏଥିରେ ପୁରୀ କୁମ୍ଭାରପଡ଼ା ଥାନାର ଏସ୍?ଆଇ ଦିବ୍ୟରଂଜନ ପଣ୍ଡା ମଧ୍ୟ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି ।