ବାଲେଶ୍ୱର : ଇମାମୀ ପେପର ମିଲ୍ସ ଏମ୍ଲୋଇଜ ୟୁନିୟନର ପ୍ରତିବାଦ ସଭା
ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ବାଲଗୋପାଲପୁର ଶିଳ୍ପାଞ୍ଚଳ ସ୍ଥିତ ଇମାମୀ ପେପର ମିଲ୍ସ ଏମ୍ଲୋଇଜ୍ ୟୁନିୟନ ପରିସରରେ ଏକ ବିରାଟ ସାଧାରଣ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ୟୁନିୟନର କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜ ଅଧ୍ୟକ୍ଷତା କରିଥିଲେ । ଇମାମୀ ପେପର ମିଲ୍ସ କମ୍ପାନୀ ନିର୍ମାଣ ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ କେବେବି ଏଭଳି ଅଘଟଣ ଦେଖାଯାଇ ନଥିଲା । ଫଳରେ ଏଭଳି ଅଘଟଣାକୁ ଘଟାଇଥିବା ବ୍ୟକ୍ତି ଏବଂ ପରଦା ପଛରେ ଥିବା ନାୟକମାନଙ୍କୁ ସମାଲୋଚନା କରିଥିଲେ । ଇମାମୀ ପେପର ମିଲ୍ସର ବରିଷ୍ଠ ଅଧିକାରୀମାନଙ୍କୁ ଯେଉଁଭଳି ଭାବରେ ଆକ୍ରମଣ କରାଯାଇଛି ଏବଂ ଘଟଣା ଘଟାଇଥିବା ସମସ୍ତ ଦୋଷୀମାନଙ୍କୁ ଯଥାଶୀଘ୍ର ପୋଲିସ ତଦନ୍ତ କରି ଧରିବା ପାଇଁ ସଭାରେ ଦାବି କରାଯାଇଥିଲା ।
ମହାମାରୀ କରୋନା ସମୟରେ ମଧ୍ୟ ଇମାମୀ ପେପର ମିଲ୍ସର କର୍ତ୍ତୃପକ୍ଷ ତାର ଶ୍ରମିକମାନଙ୍କ ସହିତ ଚୁକ୍ତିନାମା କରିବା, ସମସ୍ତ ଶ୍ରମିକ ଭାଇମାନଙ୍କୁ ଉଚିତ୍ ପ୍ରାପ୍ୟ ପ୍ରଦାନ କରିବା ଏବଂ ନାନା ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟରେ ସାହାଯ୍ୟ ସହଯୋଗ କରିବା ଆଦି ବିଭିନ୍ନ କ୍ଷେତ୍ରରେ କମ୍ପାନୀର ଭୂମିକାକୁ ଇମାମୀ ପେପର ମିଲ୍ସ ଏମ୍ପେ୍ଲାଇଜ ୟୁନିୟନ ତରଫରୁ ଭୂୟସୀ ପ୍ରଶଂସା କରାଯାଇଥିଲା । ଆଗାମୀ ଦିନରେ କିଭଳି ଭାବରେ କାରଖାନାଟି ଶାନ୍ତିଶୃଙ୍ଖଳାର ସହିତ ଚାଲିବ ଏବଂ କୌଣସି ଶ୍ରମିକର ଜୀବନ ଓ ଜୀବିକା ଉପରେ ଅସୁବିଧା ନଘଟିବ ସେଥିପ୍ରତି ୟୁନିୟନ ସଦାସର୍ବଦା ତାର ଚେଷ୍ଟାରେ ଲାଗିରହିବ ବୋଲି ୟୁନିୟନର କାର୍ଯ୍ୟକାରୀ ସଭାପତି ଓ ସମସ୍ତ କର୍ମକର୍ତ୍ତାମାନେ ବକ୍ତବ୍ୟରେ ମତବ୍ୟକ୍ତ କରିଥିଲେ । ଉକ୍ତ ପ୍ରତିବାଦ ସଭାରେ ୟୁନିୟନର ଜେନେରାଲ ସେକ୍ରେଟାରୀ ରୀତେଶ ସିଂ, ସଞ୍ଜୟ ରାଉତ, ହୃଷିକେଶ ମହାନ୍ତି, ପ୍ରଦୀପ କୁମାର ଦାସ, ମନୋଜ କୁମାର ମହାନ୍ତି, ପ୍ରଶାନ୍ତ ଦାସ, ଚନ୍ଦନ ସାହୁ, ଗଙ୍ଗାଧର ମହାଳିକ, ତାପସ ପରିଡ଼ା, ଭୁପେନ ଦାସ, ସତ୍ୟବ୍ରତ ସ୍ୱାଇଁ, ସତ୍ୟନାରାୟଣ ନାୟକ, ହରିହର ଜେନା, ଭୀମ ଦଳେଇ, ଅଭିମନ୍ୟୁ ଦାସ, ଅବିନାଶ ମହାକୁଡ଼, ନାରାୟଣ ମିଶ୍ର, ଦୀପକ ପ୍ରଧାନ ଏବଂ ଅନ୍ୟ ସମସ୍ତ କଣ୍ଟ୍ରାକ୍ଟର ଶ୍ରମିକ ଭାଇମାନେ ଯୋଗଦାନ କରିଥିଲେ ।