ଅକ୍ସିଜେନ ଅଭାବରୁ ତିରୁପତି କୋଭିଡ ହସ୍ପିଟାଲରେ ୧୧ ରୋଗୀ ମୃତ
ଆନ୍ଧ୍ରପ୍ରଦେଶ : ପୁଣି ଅକ୍ସିଜେନ ଅଭାବରୁ ରୋଗୀଙ୍କ ମୃତ୍ୟୁ । ଆନ୍ଧ୍ରପ୍ରଦେଶର ତିରୁପତି ସ୍ଥିତ ରୁଇଆ ହସ୍ପିଟାଲରେ ସଠିକ ସମୟରେ ଅକ୍ସିଜେନ ପହଞ୍ଚିନପାରିବାରୁ ୧୧ କୋଭିଡ ରୋଗୀଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଜିଲ୍ଲାପାଳ ହରିନାରାୟଣ ପହଞ୍ଚି ସ୍ଥିତି ସମୀକ୍ଷା କରିବା ଏକଥା ସ୍ପଷ୍ଟ କରିଛନ୍ତି ଯେ, ଅକ୍ସିଜେନ ଅଭାବରୁ ୧୧ ରୋଗୀଙ୍କ ମୃତ୍ୟୁ ହୋଇଛି । ସବୁଠାରୁ ବଡ଼ କଥା ହେଲା ଯେ, ଅକ୍ସିଜେନ ମାତ୍ର ୫ ମିନିଟ ବିଳମ୍ବରେ ହସ୍ପିଟାଲକୁ ପହଂଚିଥିଲା । ଯୁଦ୍ଧକାଳୀନ ଭିତ୍ତିରେ ଅକ୍ସଜେନ ଯୋଗାଇ ଦିଆଯାଇଥିଲା । କିନ୍ତୁ ଏହା ପୂର୍ବରୁ ୧୧ ଜଣଙ୍କର ଜୀବନ ଦୀପ ଲିଭିସାରିଥିଲା ।
ତିରୁପତିରେ ଥିବା ଏହି ହସ୍ପିଟାଲରେ ପାଖାପାଖି ୧ ହଜାରରୁ ଅଧିକ ରୋଗୀଙ୍କ ଚିକିତ୍ସା ଚାଲିଛି । ତେବେ କୌଣସି କାରଣରୁ ଏଠାରେ ଅକ୍ସିଜେନ ଯୋଗାଣ ପ୍ରଭାବିତ ହୋଇଥିଲା । ଫଳରେ ଅନେକ ରୋଗୀ ଶ୍ୱାସକ୍ରିୟାଜନିତ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପ୍ରଶାସନର ସମସ୍ତ ପ୍ରକାରର ଉଦ୍ୟମ ପରେ ବି ରୋଗୀଙ୍କୁ ବଞ୍ଚାଇବା କଷ୍ଟସାଧ୍ୟ ହୋଇପଡିଥିଲା । ସେପଟେ ଘଟଣା ନେଇ ମୁଖ୍ୟମନ୍ତ୍ରୀ ୱାଇ ଏସ୍ ଜଗନ ମୋହନ ରେଡ୍ଡୀ ଦୁଃଖପ୍ରକାଶ କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆନ୍ଧ୍ରପ୍ରଦେଶରେ ନୂଆ ମ୍ୟୁଟାଣ୍ଟ ଦେଖାଦେବା ପରେ କରୋନା ସ୍ଥିତି ସଂଗୀନ ହେବାରେ ଲାଗିଛି । ସୂଚନା ଯେ, ଆନ୍ଧ୍ରପ୍ରଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୧୪ ହଜାର ୯୮୬ ଜଣ ସଂକ୍ରମିତ ହୋଇଛନ୍ତି । ଏହାରି ମଧ୍ୟରେ ୮୪ ଜଣଙ୍କର ମୃତ୍ୟୁ ହୋଇଛି । ଆନ୍ଧ୍ରପ୍ରଦେଶରେ ଏପର୍ଯ୍ୟନ୍ତ ୧୩ ଲକ୍ଷ ୨ ହଜାର ୫୮୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୧ ଲକ୍ଷ ୮୯ ହଜାର ୩୬୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । କିନ୍ତୁ ଦୁଃଖର କଥା ଯେ, ୮ ହଜାର ୭୯୧ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।