ବାଲେଶ୍ୱର : ଖରିଫ୍-୨୦୨୧ ପାଇଁ ଜିଲାସ୍ତରୀୟ କୃଷି ନୀତି ନିର୍ଦ୍ଧାରଣ ବୈଠକ
ବାଲେଶ୍ୱର : ବାଲେଶ୍ୱର ଜିଲାପାଳଙ୍କ ସଦ୍ଭାବନା ସଭାଗୃହରେ ମଙ୍ଗଳବାର ଖରିଫ୍-୨୦୨୧ ପାଇଁ ଜିଲାସ୍ତରୀୟ କୃଷି ନୀତି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଅଧ୍ୟକ୍ଷତା କରି ଧାନ, ମୀନ, ପାନର ଜିଲା ବାଲେଶ୍ୱର ଓଡ଼ିଶା ପାଇଁ ଏକ ଉଦାହରଣ । ଜିଲାପାଳଙ୍କ ନେତୃତ୍ୱରେ ଏହି ବିଭାଗ ଦ୍ୱାରା ଭଲ କାର୍ଯ୍ୟ ଚାଲିଛି । ମାତ୍ର ଭୂମିହୀନମାନଙ୍କ ଲାଗି ଉଦ୍ଦିଷ୍ଟ ବଳରାମ ଯୋଜନାରେ ସଫଳତା କମ୍ ଥିବାରୁ ସେଥିରେ ଅଧିକ ଗୁରୁତ୍ୱ ଦେବା ପାଇଁ ଅତିରିକ୍ତ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଅଣଧାନ ଚାଷ ପାଇଁ ଆଗ୍ରହୀ ଚାଷୀଙ୍କୁ ପ୍ରାଧାନ୍ୟ ଦିଆଯାଉ । ସୁବିଧା, ସୂଯୋଗ, ସବ୍ସିଡ଼ି, ଋଣ ଆଦି ବାବଦରେ ଥିବା ସମସ୍ତ ଯୋଜନା ସମ୍ବନ୍ଧୀୟ ବାର୍ତ୍ତା କୃଷକ ପାଖରେ ପହଞ୍ଚୁ । ଚାଷୀଙ୍କ ସହିତ କର୍ମଚାରୀମାନେ ଭଲ ସମ୍ପର୍କ ରଖନ୍ତୁ ବୋଲି ମଧ୍ୟ ସେ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆସନ୍ତା ଖରିଫ୍-୨୦୨୧ ଅବସରରେ ପ୍ରଣୟନ କରାଯିବାକୁ ଥିବା ପ୍ରମୁଖ ନୀତି ନିର୍ଦ୍ଧାରଣ ମଧ୍ୟରେ ଥିଲା ଉନ୍ନତ ପରିଚାଳନା ଜରିଆରେ ଉତ୍ପାଦନ ଖର୍ଚ୍ଚ କମ୍ କରିବା, ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ଼ ବଣ୍ଟନ ପୂର୍ବକ ମୃତ୍ତିକାର ସ୍ୱାସ୍ଥ୍ୟ ଓ ସଠିକ୍ ଅମଳ ପାଇଁ କୃଷିରେ ଅନୁମୋଦିତ ସାର ପ୍ରୟୋଗ ସମ୍ବନ୍ଧରେ କୃଷକମାନଙ୍କୁ ସଚେତନ କରାଇବା, ଡଗ୍ୱେଲ, ଫାର୍ମ ପୋଖରୀରେ ସୋଲାର ପମ୍ପର ବହୁଳ ବ୍ୟବହାର, ବିଭିନ୍ନ ଫସଲର ଉତ୍ପାଦନ ଓ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନାର ପ୍ରଣୟନ, ବିଭିନ୍ନ ଫସଲର ଉତ୍ପାଦନ ଓ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନାର ପ୍ରଣୟନ, ବିହନ ଉତ୍ପାଦନ କାର୍ଯ୍ୟକ୍ରମ, ଉତ୍ପାଦନ ଖର୍ଚ୍ଚ ହ୍ରାସ କରିବା ପାଇଁ କୃଷିରେ ସଠିକ୍ ସମୟ ପରିଚାଳନା ଓ ଯାନ୍ତ୍ରିକ କୌଶଳର ବ୍ୟବହାର, ରୋଗ ଓ ଔଷଧ ପରିଚାଳନା, ବଳରାମ ଯୋଜନା ଅତି ନିକଟରେ କୃଷିରେ ଫୋକସ୍ କରାଯାଇଥିବା ୫ଟି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ବୋଲି ସୂଚନା ଦେଇଥିଲେ ।
ବୈଠକରେ ଆବାହକ ଜିଲା ମୁଖ୍ୟ କୃଷି ଅଧିକାରୀ ବୀରେନ୍ଦ୍ର କୁମାର ବେହେରା ଗତ ରବି ଓ ଖରିଫ ଫସଲ ୨୦୨୧-୨୧ ସମୟର ହାସଲ କରାଯାଇଥିବା ଧାର୍ଯ୍ୟ ଲକ୍ଷ୍ୟ ସମ୍ବନ୍ଧୀୟ ତଥ୍ୟ ସହ ଖରିଫ୍ ପାଇଁ ଆଲୋଚନା ନିମନ୍ତେ ବିବରଣୀ ଉପସ୍ଥାପନ କରିଥିଲେ । ଉଦ୍ୟାନ ବିଭାଗର ଉପ-ନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର ଲେଙ୍କା କୃଷକମାନଙ୍କ ପାଇଁ ନିଜ ବିଭାଗ ତରଫରୁ ଚାରା, କଲମି ଆଦି ପାଇଁ ଥିବା ସବ୍ସିଡ଼ି ଅନ୍ୟାନ୍ୟ ସୁବିଧା ସୂଯୋଗ ବିଷୟରେ ଆଲୋଚନା କରିଥିଲେ । ଜିଲା ପ୍ଲାନିଂ ଏବଂ ମନିଟରିଂ ୟୁନିଟ୍ର ଉପ-ନିର୍ଦ୍ଦେଶକ ସବ୍ୟସାଚୀ ଦତ୍ତ, ବ୍ଲକ କୃଷି ଅଧିକାରୀ ସୁଦାମ କୁମାର ନାୟକ, ବାଲେଶ୍ୱର କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ. ସ୍ୱାଗତିକା ସାହୁ ପ୍ରମୁଖଙ୍କ ସହ ଜିଲାର ସମସ୍ତ ବ୍ଲକର କୃଷି ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନା ମତେ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ନିଜ ନିଜ ଅଞ୍ଚଳର ବିଭାଗୀୟ କାର୍ଯ୍ୟ ସମ୍ବନ୍ଧରେ ଉତ୍ତର ରଖିଥିଲେ । ସୂଚନା ଯେ, ଖରିଫ୍-୨୧ ପାଇଁ ଧାର୍ଯ୍ୟ କରାଯାଇଥିବା ସମୁଦାୟ ୨୧୯୭୩୮ ହେକ୍ଟର ଜମିରୁ ଧାନ ପାଇଁ ୧୯୮୫୩୧ ଓ ଅଣଧାନ ପାଇଁ ୨୧୨୦୭ ହେକ୍ଟର ରହିଛି । ଅଣଧାନ ମଧ୍ୟରେ ମକା ପାଇଁ ୫୦ହେକ୍ଟର, ସମୁଦାୟ ଡାଲି ଜାତୀୟ ପାଇଁ ୧୦୦, ଝୋଟ ପାଇଁ ୬୦୦, ପରିବା ପାଇଁ ୧୭୬୫୭, ଆଖୁ ପାଇଁ ୨୦୦ ଓ ମସଲା ଜାତୀୟ ପାଇଁ ୨୬୦୦ ହେକ୍ଟର ଅନ୍ତର୍ଭୁକ୍ତ । ଖରିଫ ଚାଷ ପାଇଁ ଜଳ ସେଚନ ବ୍ୟବସ୍ଥା, ବୃଷ୍ଟିପାତ ପରିମାଣ, ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା, ଧାଡ଼ିରୁଆ ପ୍ରଣାଳୀ ଓ ସେ ବାବଦ ପ୍ରୋତ୍ସାହନ ରାଶି, ଧନିଚା ଚାଷ ଦ୍ୱାରା ସବୁଜ ଖତସାର ସୃଷ୍ଟି କରି ମାଟି ଅମ୍ଳତା ହ୍ରାସ କରାଯିବା, ବିହନ ବିଶୋଧନ, ଅନୁମୋଦିତ ରାସାୟନିକ ସାର ପ୍ରୟୋଗ, ଜୈବିକ ସାରର ବହୁଳ ବ୍ୟବହାର ପାଇଁ ସଚେତନତା ବୃଦ୍ଧି, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, କୃଷି ଉପକରଣ ଓ ଯନ୍ତ୍ରପାତି ଉପରେ ଦିଆଯାଇଥିବା ୩୦%ରୁ ୫୦% ସବ୍ସିଡ଼ି, କୃଷିଋଣ, କୃଷକଙ୍କ ଆୟକୁ ଦ୍ୱିଗୁଣିତ କରାଯିବା, ହାଇଲ୍ୟାଣ୍ଡ ଏଗ୍ରି ଭାଞ୍ଚ୍ୟୁର ଭୁବନେଶ୍ୱରର ଏକ ଏନ୍ଜିଓ ଦ୍ୱାରା ନୀଳଗିରିରେ ୧୨ଟି ପଞ୍ଚାୟତରେ ଏସ୍ଏସ୍ଜିଙ୍କ ଜରିଆରେ କାର୍ଯ୍ୟକାରୀ ହୋଇଥିବା ପରମ୍ପରାଗତ କୃଷି ବିକାଶ ଯୋଜନା ଆଦି ସମ୍ବନ୍ଧରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ।