ଆଜି ଭୁବନେଶ୍ୱର ଷ୍ଟେସନ ପୁନଃ ବିକାଶର ଭିତିପ୍ରସ୍ତର ସ୍ଥାପନ : ଦୁଇଟି ନୂତନ ଟ୍ରେନ ପ୍ରଚଳନର ଶୁଭାରମ୍ଭ
ଭୁବନେଶ୍ୱର :ବହୁ ପ୍ରତିକ୍ଷିତ ଭୁବନେଶ୍ୱର ରେଳ ଷ୍ଟେସନ ପୁନଃ ବିକାଶ ପାଇଁ ଗୁରୁବାର ଦିନ ଭିତିପ୍ରସ୍ତର ସ୍ଥାପନ କରାଯିବ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଭିତି ପ୍ରସ୍ତର ସ୍ଥାପନ କରିବେ । ଭୁବନେଶ୍ୱର ରେଳଷ୍ଟେସନ୍ ଠାରେ ମନ୍ତ୍ରୀ ଅଶୋକ ପଣ୍ଡା, ମନ୍ତ୍ରୀ ଟୁକୁନି ସାହୁ , ସାଂସଦ ପ୍ରତାପ ଷଡଙ୍ଗୀ , ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ବିଧାୟକ ଅନନ୍ତ ନାରାୟଣ ଜେନା ଉପସ୍ଥିତ ରହିବେ । ଏହି ପ୍ରକଳ୍ପ ପାଇଁ ୩୦୮ କୋଟି ତାଙ୍କ ବ୍ୟୟବରାଦ କରାଯାଇଛି ଯାହାକି ୨୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ । ଏହା ବ୍ୟତୀତ ୨ ଟି ଟ୍ରେନ୍ ର ଚଳାଚଳର ଶୁଭାରମ୍ଭ କରାଯିବ ।
ସେହିପରି ୧୪ କିଲୋମିଟର ଦୈର୍ଘ୍ୟ ଅନୁଗୁଳ -ବଳରାମ ନୂତନ ରେଳ ଲାଇନ ପଣ୍ୟ କାରବାର ବିଶେଷ ଭାବେ କୋଇଲା ପରିବହନ ପାଇଁ ଉପଯୋଗ ହୋଇପାରିବ ଏବଂ ଏହା ବିଭିନ୍ନ ଶିଳ୍ପ ସଂସ୍ଥା ବିଶେଷ ଭାବେ ପାୱାର ହାଉସ ମାନଙ୍କୁ ସହାୟତା ଯୋଗାଇବ । ଏହା ମଧ୍ୟ ଏହି ଅଂଚଳର ଉନ୍ନତି ସଙ୍ଗେସଙ୍ଗେ ଦେଶର ଆର୍ôଥକ ବିକାଶରେ ନୂତନ ଅଧ୍ୟାୟ ଯୋଡିବ ।
ଏହା ବ୍ୟତୀତ,ଜନସାଧାରଣଙ୍କ ଦୀର୍ଘଦିନର ଆକାଂକ୍ଷା ଥିବା ପୁରୀ-ଜଳେଶ୍ୱର-ପୁରୀ ପାସେଞ୍ଜର ଟ୍ରେନ ଏବଂ ତାଳଚେର-ଢେଙ୍କାନାଳ-ଭଦ୍ରକ ମାର୍ଗଦେଇ ସମ୍ବଲପୁର ଓ ଶାଲିମାର (କଲିକତା) ମଧ୍ୟରେ ନୂତନ ଏକ୍ସପ୍ରେସ ଟ୍ରେନକୁ ପ୍ରଚଳନ କରାଯିବ । ଏହାଦ୍ୱାରା ଯାତ୍ରୀମାନେ ଏଣିକି ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ଯିବାପାଇଁ ଆଉ ମାଧ୍ୟ୍ୟବର୍ତୀ ସ୍ଥାନରୁ ଅନ୍ୟ ପରିବହନ ଉପରେ ନିର୍ଭର କରିବେ ନାହିଁ ।
ଉଭୟ ନୂତନ ଟ୍ରେନ୍ ସେମାନଙ୍କର ଉଦଘାଟନୀ ଦିବସରେ ଅର୍ଥାତ୍ ୨୯ ଡିସେମ୍ବରରେ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ଚଳାଚଳ କରିବେ । ୨୦୮୩୨/୨୦୮୩୧ ସମ୍ବଲପୁର-ଶାଲିମାର-ସମ୍ବଲପୁର ଏକ୍ସପ୍ରେସ ଜାନୁୟାରୀ ୩ ତାରିଖରୁ ସମ୍ବଲପୁର ଠାରୁ ପ୍ରତି ରବିବାର, ମଙ୍ଗଳବାର ଓ ଗୁରୁବାର ଦିନମାନଙ୍କରେ ସନ୍ଧ୍ୟା ୭ଘ.୧୦ମି.ରେ ଛାଡି ଶାଲିମାରକୁ ଯାତ୍ରା କରିବାକୁ ଥିବାବେଳେ ଏହା ଜାନୁୟାରୀ ୪ ତାରିଖରୁ ଶାଲିମାର ଠାରୁ ପ୍ରତି ସୋମବାର, ବୁଧବାର ଓ ଶୁକ୍ରବାର ମାନଙ୍କରେ ରାତ୍ରି ୯ଘ.୨୫ମି.ରେ ଛାଡି ସମ୍ବଲପୁର ଅଭିମୁଖେ ଯାତ୍ରା କରିବ ।
ସେହିଭଳି, ୦୮୪୧୬/୦୮୪୧୫ ପୁରୀ-ଜଳେଶ୍ୱର-ପୁରୀ ପାସେଞ୍ଜର ଟ୍ରେନ ପୁରୀରୁ ୨୦୨୨ ଡିସେମ୍ବର ୩୧ ତାରିଖ ଠାରୁ ପ୍ରତିଦିନ ଅପରାହ୍ନ ୧ଘ.୧୫ମି.ରେ ଛାଡି ଜଳେଶ୍ୱର ଯାତ୍ରା କରିବ ଏବଂ ୨୦୨୩ ଜାନୁୟାରୀ ପହିଲାରୁ ଜଳେଶ୍ୱର ଠାରୁ ସକାଳ ୪ଘ.୫୦ମି.ରେ ଛାଡି ପୁରୀ ଫେରିବ ।