ବାଲେଶ୍ୱର : ଚାନ୍ଦିପୁରରେ ମାଡ ହେବ ‘ୟାସ୍’!
- ୪ଦିନ ପାଇଁ ପିଇବା ପାଣି ଗଚ୍ଛିତ କରି ରଖିବାକୁ ପରାମର୍ଶ
ଭୁବନେଶ୍ୱର : ବାତ୍ୟାର ରୂପ ନେଲା ‘ୟାସ୍’। ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତର ରୂପ ନେଇ ବାତ୍ୟାର ରୂପ ନେଇଛି । ସୋମବାର ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତରେ ପରିଣତ ହୋଇଥିଲା । ଏବେ ଏହା ବାତ୍ୟାରେ ପରିଣତ ହୋଇଛି । ୨୬ରେ ଉତ୍ତର ଓଡ଼ିଶା ଉପକୂଳରେ ମାଡ଼ ହେବ । ବୁଧବାର ପ୍ରାୟ ଅପରାହ୍ନରେ ବାଲେଶ୍ୱର ଜିଲା ଚାନ୍ଦିପୁର ପାଖାପାଖି ଅତି ଭୀଷଣ ବାତ୍ୟା ଭାବେ ସ୍ଥଳଭାଗକୁ ମାଡ଼ିଯିବ । ସେତେବେଳକୁ ପବନ ବେଗ ଘଣ୍ଟା ପ୍ରତି ୧୫୫ କିମିରୁ ୧୬୫ କିମି ଛୁଇଁପାରେ । ପବନ ଝଟ୍କା ୧୮୫ କିମି ହୋଇପାରେ । ୟସ୍ ପ୍ରକୋପରେ ସର୍ବାଧିକ ପ୍ରଭାବିତ ହେବ ଓଡ଼ିଶାର ୫ଟି ଜିଲ୍ଲା । ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର । ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଭୀଷଣ ପବନ ମାଡ଼ ହେବ । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ପୂର୍ବାନୁମାନ ଓ ବାତ୍ୟାର ସମ୍ଭାବ୍ୟ ଗତିପଥ ଚିତ୍ରରୁ ଏଭଳି ଆଶଙ୍କା କରାଯାଉଛି । ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ରାତି ଦିନ ଏକ୍ କରି ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ଜଳ ସମ୍ପଦ, ପୂର୍ତ୍ତ, ପଞ୍ଚାୟତିରାଜ, ଶକ୍ତି, ନଗର ଉନ୍ନୟନ, ସ୍ୱାସ୍ଥ୍ୟ ବିଭାଗ ସମେତ ସବୁ ବିଭାଗ ପ୍ରସ୍ତୁତିରେ ଲାଗିଛନ୍ତି । ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ଗତ ରବିବାର ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ଗସ୍ତ କରି ସ୍ଥାନୀୟ ପ୍ରଶାସନ ସହ ସେଠାକାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି ।
ସେହିପରି ବାତ୍ୟା ୟଶ୍ ନେଇ ବାଲେଶ୍ୱର ଜିଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି । ଅତି କମ୍ରେ ୪ଦିନ ପାଇଁ ପିଇବା ପାଣି ଗଚ୍ଛିତ କରି ରଖିବାକୁ ସମସ୍ତଙ୍କୁ କୁହାଯାଇଛି । କେହି କଚ୍ଚା ଘରେ ରୁହନ୍ତୁ ନାହିଁ ଏବଂ ସମସ୍ତଙ୍କୁ ନିକଟତମ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ସରକାରୀ ପକ୍କା ଗୃହରେ ଆଶ୍ରୟ ନେବାକୁ ଅନୁରୋଧ କରାଯାଇଛି । ଏହି ସୂଚନା ନିଜ ଅଖପାଖ ଲୋକଙ୍କୁ ମଧ୍ୟ ଜଣାଇବାକୁ ଟ୍ୱିଟ୍ କରି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବାତ୍ୟାର ଗତିପଥ କି ଛୁଇଁବାକୁ ଥିବା ସ୍ଥଳଭାଗ ସମ୍ବନ୍ଧରେ ପାଣିପାଗ ବିଭାଗର ଆକଳନ ସ୍ପଷ୍ଟ ହୋଇ ନ ଥିଲେ ବି ବାତ୍ୟାର ସାମ୍ନା କରିବା ପାଇଁ ଜିଲା ପ୍ରଶାସନର ପ୍ରସ୍ତୁତି ସଜାଗ ରଖାଯାଇଛି । ସାମୁଦ୍ରିକ ଜୁଆର ପଶିବା, ବର୍ଷା ଜଳରେ ବୁଡି ରହିବା ସମ୍ଭାବନା ଥିବା ଗାଁ, କଚ୍ଚା ଓ ଆଜବେଷ୍ଟସ ଘରର ଲୋକମାନଙ୍କୁ ସ୍ଥାନାନ୍ତର ପାଇଁ ବହୁମୁଖୀ ବାତ୍ୟାଶ୍ରୟ ଓ ଚିହ୍ନଟ ଅତିରିକ୍ତ ଅସ୍ଥାୟୀ ଅଶ୍ରାୟସ୍ଥଳୀ ସବୁ ବିଶୋଧନ କରାଯିବା ସହ ଶୁଖିଲା ଖାଦ୍ୟ, ଜେନରେଟର ଆଦି ପ୍ରଶାସନ ତରଫରୁ ପ୍ରସ୍ତୁତ କରାଯାଇଛି । ବିଡିଓ, ତହସିଲଦାର, ସିଡ଼ିପିଓ, ସ୍ୱାସ୍ଥ୍ୟକର୍ମୀ ଭଲକାମ କରୁଛନ୍ତି ଏବଂ ପ୍ରସ୍ତୁତି ଭଲ ଅଛି ବୋଲି ସେ ପ୍ରକାଶ କରିଥିଲେ । ୧୨୦ରୁ ୧୬୫ କିମି ବେଗର ପବନ ଓ ପ୍ରବଳ ବର୍ଷାକୁ ଆଖି ଆଗରେ ରଖି ପ୍ରସ୍ତୁତି କରାଯାଇଛି । ବାତ୍ୟା ସମୟରେ ଜନଜୀବନ ଉଦ୍ଧାର ପାଇଁ ୪ଟି ଓଡ୍ରାଫ, ୭ଟି ଏନଡିଆରଏଫ, ୯ଟି ଅଗ୍ନିଶମ ଦଳ ପ୍ରସ୍ତୁତ ରଖାଯାଇଛି । ବାତ୍ୟାର ସଠିକ ଆକଳନ ପରେ ଆବଶ୍ୟକ ହେଲେ ଅଧିକ ଦଳ ପାଇଁ ଚେଷ୍ଟା କରାଯିବ । ବାତ୍ୟା ହେଲେ ପାନୀୟ ଜଳ, ବିଦ୍ୟୁତ, ଟେଲିକମ ସୁବିଧା ଉପରେ କ୍ଷତି ସାଧନ ହେବାର ସମ୍ଭାବନା ଥିବାରୁ ତାର ବିକଳ୍ପ ପ୍ରସ୍ତୁତି ନିଆଯାଇଛି । ଜନସାଧାରଣଙ୍କ ସଚେତନତା ପାଇଁ ନିବେଦନ କ୍ରମରେ ଜଣାଇଥିଲେ କି ବାତ୍ୟା ଆସିବାର ଯଥେଷ୍ଟ ପୂର୍ବରୁ ମାଇକ୍ରେ ଘୋଷଣା ମାତ୍ରେ ଯଥାଶୀଘ୍ର ଲୋକମାନେ ଆଶ୍ରୟସ୍ଥଳୀକୁ ଆସିବା ଦରକାର । ନିରାପଦ ଜାଗାରେ ବା ଘରେ ରହିଥିବା ଲୋକମାନେ ବାତ୍ୟା ଦିନ ଘରୁ ବାହାରକୁ ବାହାରିବେ ନାହିଁ । ଏପରିକି ଆମ୍ବ, ନଡ଼ିଆ ଲୋଭରେ କି ପାଣି ଆଣିବା ଉଦ୍ଦେଶ୍ୟରେ ବାହାରକୁ ବାହାରି ଛୋଟିଆ ଭୁଲ ଯୋଗୁଁ ଜୀବନହାନୀ ହେବାର ନଜିର ଅଛି ବୋଲି ସେ ପ୍ରକାଶ କରିଥିଲେ । ସେହିପରି ବାତ୍ୟା ସମୟରେ ବାହାଦୂରୀ ଦେଖାଇ ରାସ୍ତାରେ ଗାଡ଼ି ଚଳାଇବାକୁ ମଧ୍ୟ ସେ ବାରଣ କରିଥିଲେ । କାରଣ ଗଛ, ଡାଳ, ଟାୱାର, ହୋର୍ଡିଂ ଫ୍ରେମ୍ ଆଦି ପଡ଼ି ଜୀବନହାନୀ ହେବାର ସମ୍ଭାବନା ଥାଏ । ପ୍ରତି ଜାଗାରେ ଅଳ୍ପ ଅଳ୍ପ ଲୋକଙ୍କୁ ରଖାଯିବ । ସମସ୍ତଙ୍କୁ ମାସ୍କ ଦିଆଯିବ । ସାନିଟାଇଜର, ସାବୁନ ଆଦି ରଖାଯିବ । ଆଶା ଦିଦି, ଅଙ୍ଗନୱାଡ଼ି ୱାର୍କର ରହିବେ । ଜ୍ୱର, ଥଣ୍ଡା ଲକ୍ଷଣ ଥିବା ଲୋକଙ୍କୁ ଅଲଗା ରଖାଯିବ । ବାତ୍ୟା ଆଶ୍ରୟସ୍ଥଳୀ ବ୍ୟତୀତ ଅନ୍ୟ କୋଠାଘର ସ୍କୁଲ, କଲେଜ ଆଦି ଚିହ୍ନଟ କରାଯାଇଛି । କୋଭିଡ୍ ସଂକ୍ରମିତ ରୋଗୀଙ୍କ ପାଇଁ ୪୦ଟି ସ୍ୱତନ୍ତ୍ର ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଥିବା ଜଣାପଡିଛି ।
ଅନ୍ୟପକ୍ଷରେ ବାତ୍ୟାର ରୂପ ନେଇଛି ୟଶ । ୨୪ ଘଣ୍ଟା ମଧ୍ୟରେ ଏହା ଅତି ଭୀଷଣ ବାତ୍ୟାରେ ପରିଣତ ହେବ । ବର୍ତ୍ତମାନ ଘଣ୍ଟା ପ୍ରତି ୪ କିଲୋମିଟର ବେଗରେ ଗତି କରୁଛି ବାତ୍ୟା । ୨୬ ତାରିଖ ସନ୍ଧ୍ୟାରେ ବାତ୍ୟା ସ୍ଥଳଭାଗ ଛୁଇଁବ । ପାରାଦୀପ-ସାଗରଦ୍ୱୀପ ମଧ୍ୟରେ କରିବ ଲ୍ୟାଣ୍ଡଫଲ୍ । ଏହାର ପ୍ରଭାବରେ ଆଜି ସନ୍ଧ୍ୟାରୁ ପବନ ବହିବା ଆରମ୍ଭ ହେବ । ଉପକୂଳ ଅଞ୍ଚଳରେ ଘଣ୍ଟାପ୍ରତି ୯୦ରୁ ୧୧୦ କିଲୋମିଟର ବେଗରେ ପବନ ବହିପାରେ । ଆସନ୍ତାକାଲିଠୁ ପବନର ବେଗ ଘଣ୍ଟାପ୍ରତି ୧୪୫ ରୁ ୧୭୦ କିଲୋମିଟରରେ ପହଞ୍ଚିବ । ଲ୍ୟାଣ୍ଡଫଲ୍ ବେଳକୁ ପବନ ବେଗ ବଢି ଘଣ୍ଟା ପ୍ରତି ୧୮୫ କିଲୋମିଟର ହେବ ବୋଲି ଆକଳନ କରାଯାଇଛି । ବାତ୍ୟା ୟଶ ଏବେ ଦକ୍ଷିଣ-ଦକ୍ଷିଣ ପୂର୍ବ ପାରାଦୀପ ଠାରୁ ୫୪୦ କିମି ଦୂରରେ ରହିଛି । ସେହିପରି ଉତ୍ତର-ଉତ୍ତର ପୂର୍ବ ବାଲେଶ୍ୱର ଠାରୁ ୬୫୦, ଦକ୍ଷିଣ- ଦକ୍ଷିଣ ପୂର୍ବ ଦୀଘା ଠାରୁ ୬୩୦ କିଲୋମିଟର ଦୂରରେ ରହିଛି । ବାତ୍ୟା ଦ୍ୱାରା ଉପକୂଳ ଓଡ଼ିଶାର ୮ଟି ଜିଲ୍ଲା ଅଧିକ ପ୍ରଭାବିତ ହେବ । ଏ ନେଇ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାକୁ ରେଡ୍ଆଲର୍ଟ ଜାରି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେହିପରି ଆଇଏମ୍ଡି ଜାରି କରିଥିବା ବାତ୍ୟାର ସମ୍ଭାବ୍ୟ ଗତିପଥ ଓ ପ୍ରଭାବ ଆକଳନରୁ ଅନୁମାନ କରାଯାଉଛି, ବୁଧବାର (୨୬ ତାରିଖ) ସକାଳ ପ୍ରାୟ ସାଢ଼େ ୫ଟାବେଳେ ‘ୟାସ୍’ ସମୁଦ୍ର ଭିତରେ ଭିତରକନିକାର ଉତ୍ତରରେ ପାଖାପାଖି ୭୦ କିମି ଦୂରରେ ଥିବ । ଅପରାହ୍ନ ସାଢ଼େ ୫ଟାବେଳେ ୟସ୍ ଅତି ଭୀଷଣ ବାତ୍ୟା ଅବସ୍ଥାରେ ମୟୂରଭଞ୍ଜ ରାସଗୋବିନ୍ଦପୁର ପାଖାପାଖି ରହିବା ଅନୁମାନ କରାଯାଉଛି । ସେତେବେଳକୁ ବି ଏହା ଅତି ଭୀଷଣ ବାତ୍ୟା ଅବସ୍ଥାରେ ଥିବ । ଯଦିଓ ପବନ ବେଗ ସାମାନ୍ୟ କମି ଘଣ୍ଟା ପ୍ରତି ୧୨୦ରୁ ୧୩୦ କିମି ବହୁଥିବ । ପବନ ଧକ୍କା ଘଣ୍ଟା ପ୍ରତି ୧୪୫ କିମି ହୋଇପାରେ । ଅନୁମାନ କରାଯାଉଛି, ବୁଧବାର ମଧ୍ୟାହ୍ନ କିମ୍ବା ଅପରାହ୍ନରେ ହିଁ ‘ୟାସ୍’ ଅତି ଭୀଷଣ ବାତ୍ୟା ଅବସ୍ଥାରେ ବାଲେଶ୍ୱରର ଚାନ୍ଦିପୁର ପାଖାପାଖି ସ୍ଥଳଭାଗରେ ମାଡ଼ ହୋଇପାରେ । ବାତ୍ୟା ବାଲେଶ୍ୱରରେ ମାଡ଼ ହେବା ପରେ ମୟୂରଭଞ୍ଜରେ ପଶିବ । ମୟୂରଭଞ୍ଜ ଦେଇ ଏହା ଝାଡ଼ଖଣ୍ଡର ଜାମସେଦପୁର ଏବଂ ରାଞ୍ଚି ଆଡ଼କୁ ଗତି କରିବା ସମ୍ଭାବନା ଅଛି ।