କଟକ ଚାନ୍ଦି ତାରକସି କଳା ପାଇବ ଜିଆଇ ମାନ୍ୟତା
କଟକ : ରାଜ୍ୟ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ତରଫରୁ କଟକ ଚାନ୍ଦି ତାରକସି କଳାର ଭୌଗୋଳିକ ସୂଚକାଙ୍କ ପଂଜୀକରଣ ନିମନ୍ତେ ଉତ୍କଳିକା ମାଧ୍ୟମରେ ଆବଶ୍ୟକ ନଥି ସହ ଭୌଗୋଳିକ ସୁଚକାଙ୍କ ପଂଜୀକରଣ କାର୍ଯ୍ୟାଳୟ, ଚେନ୍ନାଇରେ ବିଧିବଦ୍ଧ ଦରଖାସ୍ତ ୨୦୨୧ ଜୁଲାଇ ୫ ତାରିଖରେ ଦାଖଲ କରାଯାଇଛି । ଓଡ଼ିଶାର ହସ୍ତଶିଳ୍ପ କାରିଗରମାନଙ୍କ ପାଇଁ ଏହା ଏକ ଖୁସି ଖବର । ଏହି ପ୍ରକ୍ରିୟାରେ ରାଜ୍ୟରେ ହସ୍ତଶିଳ୍ପ କ୍ଷେତ୍ରରେ ପ୍ରସିଦ୍ଧି ଆଣିବା ସ୍ଥାନଗୁଡ଼ିକୁ ଚିହ୍ନଟ କରି ଭୌଗୋଳିକ ସୂଚକାଙ୍କ ପ୍ରାପ୍ତି ନିମନ୍ତେ ବିଭାଗ ତରଫରୁ ପଦକ୍ଷେପ ନିଆଯାଉଛି ବୋଲି ନିର୍ଦ୍ଦେଶକ ସନାତନ ନାୟକ ପ୍ରକାଶ କରିଛନ୍ତି । ବିଭାଗ ତରଫରୁ ରାଜ୍ୟର ବିଭିନ୍ନ ହସ୍ତଶିଳ୍ପ କଳାର ଭୌଗୋଳିକ ସୂଚକାଙ୍କ (ଜିଓଗ୍ରାଫିକାଲ୍ ଇଣ୍ଡିକେସନ୍) ପଂଜୀକରଣ ନିମନ୍ତେ ପଦକ୍ଷେପ ନିଆଯାଇଛି । ଏହି କ୍ରମରେ ଓଡ଼ିଶାର ୩ଟି ଶିଳ୍ପକଳା ଯଥା ‘କୋଣାର୍କ ପଥର ଖୋଦେଇ’, ‘ପିପିଲି ଚାନ୍ଦୁଆ’ ଏବଂ ‘ଓଡ଼ିଶା ପଟ୍ଟଚିତ୍ର’ର ଭୌଗୋଳିକ ସୂଚକାଙ୍କ ସଂପନ୍ନ ହୋଇସାରିଛି ।
ଓଡ଼ିଶାର ଗର୍ବ ଓ ଗୌରବ କଟକର ରୁପା ତାରକସିକୁ ଜିଆଇ ଟ୍ୟାଗ ଦିଆଯାଉ ବୋଲି ଓଡ଼ିଶା ଯୁକ୍ତି ରଖିଛି । ପୃଥିବୀର ଭିନ୍ନଭିନ୍ନ ସ୍ଥାନରେ ରୁପା କାରୁକାର୍ଯ୍ୟ ହେଉଥିଲେ ବି କଟକ ତାରକଷୀ ସ୍ବତନ୍ତ୍ର। ଏହାକୁ ଆଧାର କରି ତାରକସିକୁ ଜିଆଇ ଟ୍ୟାଗ ଦାବି ଚେନ୍ନାଇ ସ୍ଥିତ ଜିଆଇ କାର୍ଯ୍ୟାଳୟରେ ଆବଦେନ କରିଛି ଓଡିଶା। ରାଜ୍ୟ ସମବାୟ ହସ୍ତକଳା କର୍ପୋରେସନ । ଚେନ୍ନାଇର ପ୍ରତିଷ୍ଠିତ ଜିଆଇ ଟ୍ୟାଗ ଆଡଭୋକେଟ ସଞ୍ଜଇ ଗାନ୍ଧି ଓଡ଼ିଶା ପକ୍ଷରୁ ଆବେଦନ ରଖିଛନ୍ତି। ଯେଉଁଥିରେ ଦର୍ଶାଯାଇଛି ଯେ ୧୩ ଶହ ଶତାବ୍ଦୀରେ ଅନଙ୍ଗ ଭୀମଦେବଙ୍କ ରାଜୁତି ସମୟରେ କଟକରେ କାରିଗରମାନଙ୍କୁ ପ୍ରୋତ୍ସାହନ ଦେଇଥିଲେ । ସେବେଠାରୁ ରୁପା ତାରର ଏହି କଳାକୃତିର ଧାରା ବଳବତ୍ତର ରହିଛି । ନ୍ୟୁଜ ସେଭେନକୁ ସୂଚନା ଦେଇ ଆଡଭୋକେଟ ସଞ୍ଜଇ ଗାନ୍ଧି କହିଛନ୍ତି ଯେ ଆବେଦନ ପରେ ଜିଆଇ ପାଇଁ ଏକ କମିଟି ଗଠନ କରାଯିବ ଏବଂ ଏହି କମିଟି ଆବେଦନର ଅନୁଧ୍ୟାନ କରିବ। ରୁପା ତାରର ନିଖୁଣ କାରିଗରି ଦୁର୍ଗାପୂଜା ମେଢକୁ ସମୃଦ୍ଧ କରିଛି । ଛୋଟଛୋଟ ଉପହାର ସାମଗ୍ରୀ ଦେଶ-ବିଦେଶରେ ଖୁବ ନାଁ କରିଛି। ଏଠାକାର କାରିଗରଙ୍କର ତାରକସି କାର୍ଯ୍ୟ କଟକକୁ ଦେଇଛି ଏକ ସ୍ବତନ୍ତ୍ର ପରିଚିତି । ରୁପା ତାରକସିକୁ ଜିଆଇ ଟ୍ୟାଗ ଦେବା ଲାଗି ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲା। ଏବେ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଥିବାରୁ କାରିଗରଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି। ପୁରୁଷାନୁକ୍ରମିକ ଭାବେ ସେମାନେ ଯେଉଁ କାରୁକାର୍ଯ୍ୟ ସହ ଯୋଡ଼ି ହୋଇ ରହିଛନ୍ତି ଏହା ଏବେ ସେମାନଙ୍କ ପାଇଁ ଗୌରବ ଆଣିବ ବୋଲି କାରିଗର ମାନେ ଆଶା ପ୍ରକାଶ କରିଛନ୍ତି । ଜିଆଇ କମିଟି ଅନୁଧ୍ୟାନ କରିବା ପରେ ୮ ମାସ ସମୟ ଲାଗିପାରେ। ଏହା ପରେ କଟକ ତାରକଷିକୁ ମିଳିପାରିବ ଜିଆଇ ଟ୍ୟାଗ।