ସୋମବାର ଠାରୁ ଗଞ୍ଜାମରେ ଦିଆଯିବ କୋଭାକ୍ସିନ୍ ଟିକା
ଭୁବନେଶ୍ୱର : ଭୁବନେଶ୍ୱର ପରେ ଏବେ ଗଞ୍ଜାମ ଜିଲାରେ ଦିଆଯିବ କୋଭାକ୍ସିନ ଟିକା । ଏବେ କେବଳ ଭୁବନେଶ୍ୱର ମୁନିସିପାଲ୍ କର୍ପୋରେସନ୍ ଅଞ୍ଚଳରେ କୋଭାକ୍ସିନ ଟିକା ଦିଆଯାଉଛି। ସେହିପରି ଅନ୍ୟ ସହରରେ ମଧ୍ୟ କୋଭାକ୍ସିନ ଆରମ୍ଭ କରିବା ଲାଗି ସ୍ୱାସ୍ଥ୍ୟ ବିଭାଗ ଆରମ୍ଭ କରିଛି ପ୍ରକ୍ରିୟା। ଗଞ୍ଜାମ ଜିଲାରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବର୍ଗରେ ପ୍ରଥମ ଡୋଜ୍ ଟିକା ଭାବେ କୋଭାକ୍ସିନ ଟିକା ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ସୋମବାର ଠାରୁ ଜିଲାରେ କୋଭାକ୍ସିନ୍ ଟିକାକରଣ ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପ୍ରଥମ ଡୋଜ୍ ନେଇସାରିଥିବା ଲୋକମାନଙ୍କୁ ଦ୍ଵିତୀୟ ଡୋଜ୍ ପାଇଁ ‘କୋଭିସିଲ୍ଡ’ ଯୋଗାଣ ଜାରି ରହିବ। ତେଣୁ ଏହି ଅନୁଯାୟୀ ଟିକାକରଣ ଅଧିବେଶନ ଆୟୋଜନ କରିବା ଲାଗି ଗଞ୍ଜାମ ଜିଲାପାଳ, ବ୍ରହ୍ମପୁର ମ୍ୟୁନିସିପାଲ୍ କମିସନର ଓ ସିଡିଏମ୍ଓଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି।
ରାଜ୍ୟରେ ‘କୋଭିସିଲ୍ଡ’ ଟିକାର ଅଭାବ ପାଇଁ ଟିକାକରଣ ଧିମେଇ ଯାଇଛି। ଭୁବନେଶ୍ୱରରେ କେବଳ କୋଭାକ୍ସିନ୍ ଟିକା ଦିଆଯାଉଥିବା ବେଳେ ଏବେ ଏହାକୁ ଗଞ୍ଜାମ ଜିଲାରେ ଦିଆଯିବ। ଯେଉଁମାନେ ପ୍ରଥମ ଡୋଜ୍ ଟିକା ନେଇ ନାହାନ୍ତି, ସେମାନେ କୋଭାକ୍ସିନ୍ ନେଇପାରିବେ। ହିତାଧିକାରୀଙ୍କ କ୍ଷେତ୍ରରେ ଯେପରି କୋଭାକ୍ସିନ୍ ଓ କୋଭିସିଲ୍ଡର ମିଶ୍ରଣ ନ ହୁଏ, ତାହା ଉପରେ ଗୁରୁତ୍ୱ ଦିଆଯାଇଛି। କୋଭିସସିଲ୍ଡର ପ୍ରଥମ ଡୋଜ୍ ଟିକା ନେଇଥିବା ହିତାଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଦ୍ଵିତୀୟ ଡୋଜ୍ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ। ତେଣୁ କେତେ ସଂଖ୍ୟାରେ ଦ୍ବିତୀୟ ଡୋଜ୍ କୋଭିସିଲ୍ଡର ଆବଶ୍ୟକତା ରହିଛି, ସେ ସଂପର୍କରେ ବିଭାଗକୁ ଆଗୁଆ ଜଣାଇବା ଲାଗି କୁହାଯାଇଛି। ଜିଲ୍ଲାରେ କାର୍ଯ୍ୟରତ ଡାକ୍ତର, ସୁପରଭାଇଜର, ପ୍ରକଳ୍ପ ଅଧିକାର ଓ ଟିକା ପ୍ରଦାନକାରୀଙ୍କୁ କୋଭାକ୍ସିନ୍ ଟିକାର ଡୋଜ୍ ଓ ଦୁଇ ଡୋଜ୍ର ଅବଧି ଓ ଟିକା ନେବା ପରେ ପାର୍ଶ୍ବପ୍ରତିକ୍ରିୟା ଉପରେ ନଜର ରଖିବା ଗୁରୁତ୍ୱ ଦେବାକୁ କୁହାଯାଇଛି। ସୂଚନା ଯେ, ରାଜ୍ୟରେ ଏବେ ୪ଲକ୍ଷ ୧୮ହଜାରରୁ ଅଧିକ ଡୋଜ୍ କୋଭାକ୍ସିନ୍ ରହିଛି। ଧୀରେଧୀରେ ଭୁବନେଶ୍ୱର ଶତପ୍ରତିଶତ ଟିକାକରଣ ଆଡ଼କୁ ମୁହାଁଇଛି । ତେଣୁ ବଳକା ଟିକାକୁ ଗଞ୍ଜାମ ଜିଲାରେ ବ୍ୟବହାର କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଗଞ୍ଜାମ ବାଦ୍ ଆଗକୁ ଅନ୍ୟ କେଉଁ ଜିଲ୍ଲାରେ କୋଭାକ୍ସିନ୍ର ବ୍ୟବହାର ସଂପର୍କରେ ବିଭାଗ ପକ୍ଷରୁ କୌଣସି ନିଷ୍ପତ୍ତି ହୋଇ ନଥିବା କୁହାଯାଇଛି ।