ଏଣିକି କରୋନା ମୃତକଙ୍କ ଅନ୍ତିମ ସଂସ୍କାରରେ ଉପସ୍ଥିତ ରହିପାରିବେ ପରିବାର ଲୋକେ
ପୁଣେ : ମହାରାଷ୍ଟ୍ରରେ ଏବେ କୋରାନାର ଦ୍ୱିତୀୟ ଲହରୀ ଆରମ୍ଭ ହୋଇସାରିଛି । ସପ୍ତାହକ ମଧ୍ୟରେ ଏଠାରେ ଲକ୍ଷାଧିକ ଲୋକ କରୋନାର ଦ୍ୱିତୀୟ ଲହରୀ ବା ବ୍ରିଟେନ ଓ ବ୍ରାଜିଲ ଷ୍ଟ୍ରେନ୍ରେ ସଂକ୍ରମିତ ହୋଇଥିଲାବେଳେ ଶତାଧିକ ମୃତ୍ୟୁବରଣ କରିସାରିଲେଣି ଯାହାକି ୨୦୨୦ କରୋନାର ନିଷ୍ଠୁର ଚିତ୍ରକୁ ପୁଣି ଥରେ ଲୋକଙ୍କ ମଧ୍ୟରେ ସଚେତ କରାଇ ଦେଇଛି । ତେବେ ଏଥରକ କରୋନା ସଂକ୍ରମିତ ଥାଇ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ପ୍ରଶାସନ ସାମାନ୍ୟ ଆଶ୍ୱସ୍ତି ଦେଇଛି । ସେମାନେ ମୃତକଙ୍କ ଅନ୍ତିମ ସଂସ୍କାରେ ଉପସ୍ଥିତ ରହିବେ ଏବଂ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏହି ସମୟରେ ଉପସ୍ଥିତ ପରିବାର ଓ ଆତ୍ମୀୟସ୍ୱଜନଙ୍କୁ ପ୍ରଶାସନ ପିପିଇ କିଟ୍ ଯୋଗାଇ ଦେବ ବୋଲି ଘୋଷଣା କରିଛି ।
ପୂର୍ବରୁ କରୋନା ପୀଡ଼ିତଙ୍କ ମୃତ୍ୟୁ ହେଲେ ଶବ ସତ୍କାର ବେଳେ ପରିବାର ଲୋକଙ୍କୁ ଉପସ୍ଥିତ ରହିବାକୁ ଅନୁମତି ନଥିଲା । କିନ୍ତୁ ଏବେ ପରିବାର ଲୋକେ ନିଜର ଲୋକଙ୍କ ମୃତ୍ୟୁ ପରେ ଶ୍ମଶାନରେ ଉପସ୍ଥିତ ରହିପାରିବେ । ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ । ଘରେ ମୃତ୍ୟୁବରଣ କରୁଥିବା କୋଭିଡ-୧୯ ପୀଡ଼ିତଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର କରିବା ଜରୁରୀ ବୋଲି ପୁଣେ ମୁନିସପାଲ କର୍ପୋରେସନ୍ (ପିଏମସି) ପକ୍ଷରୁ କୁହାଯାଇଛି । ଏହା ସହ ଶବ ସତ୍କାର ସମୟରେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବା ଉଚିତ । ବରିଷ୍ଠ ଅଧିକାରୀଙ୍କ ମତରେ ୱାର୍ଡ ଅଧିକାରୀ ମୃତକଙ୍କ ପରିବାର ଲୋକଙ୍କୁ ଏକ ବଡ଼ ବ୍ୟାଗ୍ ଏବଂ ପିପିଇ କିଟ୍ ପ୍ରଦାନ କରିବେ । ମୃତଦେହକୁ ବଡ଼ ବ୍ୟାଗରେ ପ୍ୟାକ୍ କରିବା ବେଳେ ସମସ୍ତ ଲୋକ ପିପିଇ କିଟ୍ ପରିଧାନ କରିବେ । ଏହା ପରେ ୱାର୍ଡ ଅଧିକାରୀ ମୃତ୍ୟୁ ପ୍ରମାଣପତ୍ର ସହ ମୃତଙ୍କ ନାଁରେ ବିମା ସମ୍ପର୍କରେ ପିଏମସି ୱେବ୍ସସାଇଟରେ ଅପଲୋଡ୍ କରିବେ । ମୃତ ବ୍ୟକ୍ତି ଏବଂ ତାଙ୍କ ପରିବାର ଲୋକଙ୍କ ଆଧାର କାର୍ଡ ମଧ୍ୟ ୱେବସାଇଟରେ ଜମା କରିବା ଅନିବାର୍ଯ୍ୟ । ପୁଣେରେ ଗତକାଲି ସବୁଠୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ । ମୋଟ ୮,୫୫୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୧ ଜଣ ପ୍ରାଣ ହରାଇଥିଲେ । ମହାରାଷ୍ଟ୍ରରେ ଚିହ୍ନଟ ହେଉଥିବା ମୋଟ ସଂକ୍ରମିତଙ୍କ ମଧ୍ୟରେ ପୁଣେର ଯୋଗଦାନ ୨୧ ପ୍ରତିଶତ ଥିବା ବେଳେ ପୂରା ଭାରତର ସଂକ୍ରମଣର ୧୧.୮୨ ପ୍ରତିଶତ ଯୋଗଦାନ କେବଳ ପୁଣେର ରହିଛି ।