ବଡ଼ଶଙ୍ଖରେ ପୋଲିସ-ବ୍ୟବସାୟୀ ଧସ୍ତାଧସ୍ତି : ଧାରଣାରେ ବସିଲେ ବ୍ୟବସାୟୀ
ପୁରୀ : ପୁରୀ ସହରର ମଧ୍ୟଭାଗ ବଡ଼ଶଙ୍ଖ ନିକଟରେ ଆଜି ପୂର୍ବାହ୍ନରେ ଫଳ ଓ ପରିବା ବ୍ୟବସାୟୀଙ୍କୁ ଘଉଡାଇବା ବେଳେ ପୋଲିସ ଓ ବ୍ୟବସାୟୀଙ୍କ ମଧ୍ୟରେ ଠେଲାପେଲା ସ୍ଥିତି ଉପୁଜିଥିଲା । ପୋଲିସ ମାଡରେ ଜଣେ ବ୍ୟବସାୟୀ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାକୁ ନେଇ ବ୍ୟବସାୟୀ ଓ ତାଙ୍କ ପରିବାର ଲୋକେ ପୋଲିସର ମାଡ ପ୍ରତିବାଦରେ ବଡ଼ଶଙ୍ଖ ଠାରେ ଧାରଣା ଦେଇଥିଲେ । ପୋଲିସ ଓ ବ୍ୟବସାୟୀ ଧସ୍ତାଧସ୍ତି ସମୟରେ ଜଣେ ଗଣମାଧ୍ୟମ ପ୍ରତିନିଧି ମୋବାଇଲରେ ଫଟୋ ଉତୋଳନ କରୁଥିବା ସମୟରେ ପୋଲିସ ଆକ୍ରୋଶର ଶିକାର ହୋଇଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବଡ଼ଶଙ୍ଖ ଠାରେ ପୋଲିସ ଫୋର୍ସ ଜଗି ରହିଛନ୍ତି ।
ବଡଶଙ୍ଖରେ ବ୍ୟବସାୟ କରୁଥିବା କିଛି ଉଠାଦୋକାନୀ ଓ ପୁଲିସ ମାନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି ଜଣେ କର୍ତବ୍ୟରତ ସାମ୍ବାଦିକ ଦତାତ୍ରୟ ନାୟକଙ୍କୁ ପୁଲିସ ଆଶାଳୀନ ବ୍ୟବହାର ଓ ମାଡ ମାରିଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ବଡଶଙ୍ଖଠାରେ କିଛି ବ୍ୟବସାୟୀ ବ୍ୟବସାୟ କରୁଥିବା ସମୟରେ ଗହଳି ଦେଖିବାକୁ ମିଳିଥିଲା । ପରେ ପରେ ୨ଟି ପୁଲିସ ଭ୍ୟାନ୍ ସାଇରନ ବଜାଇ ସେଠାରେ ପହଂଚିଥିଲେ । ସେହି ସମୟରେ ଜଣେ ଫଳ ଦୋକାନୀ ଦୀପକ କୁମାର ସାହୁ ତା ଠେଲାଗାଡିରେ ଫଳ ବ୍ୟବସାୟ କରୁଥିବା ସମୟରେ ପୁଲିସ ପହଂଚିି ତାର କିଲୋପଲା ଓ ଛତାକୁ ନେଇଯିବାରୁ ବ୍ୟବସାୟୀମାନେ ଏହାକୁ ବିରୋଧ କରିଥିଲେ । ପୁଲିସ ଦୀପକକୁ ମାଡ ମାରିବାରୁ ସେ ଗୁରୁତର ଆହତ ହୋଇ ରାସ୍ତାରେ ପଡିଯାଇଥିଲା । ପରେ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପରିବାର ଲୋକମାନେ ନେଇଥିଲେ । ଏହି ଘଟଣାକୁ କେନ୍ଦ୍ରକରି ବଡଶଙ୍ଖରେ ବ୍ୟବସାୟୀ ଓ ପୁଲିସ ମୁହାଁମୁହିଁ ହୋଇଥିଲେ । ପ୍ରତିବାଦରେ ବ୍ୟବସାୟୀ ଓ ତାଙ୍କ ପରିବାରର ସଦସ୍ୟମାନେ ବଡଶଙ୍ଖରେ ଧାରଣା ଦେବା ସହ ନ୍ୟାୟ ମାଗିଥିଲେ । ବିଭିନ୍ନ ସମୟରେ ଉଠାଦୋକାନୀଙ୍କର ଛତା, ଠେଲାଗାଡି, ଓଜନ ସାମଗ୍ରୀ ପୁଲିସ ନେଇଯାଉଥିବା ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି । ବ୍ୟବସାୟ କରିପାରୁନଥିବାରୁ ଉଠାଦୋକାନୀମାନେ ଅତିଷ୍ଠ ହୋଇ ରହିଥିଲେ । ଏହି ଘଟଣା ପରେ ସେଠାରେ ଜନସମାଗମ ବଢିଥିଲା । ଅନ୍ୟପକ୍ଷରେ ବଡଶଙ୍ଖରେ ସବୁବେଳେ ଗହଳି ଲାଗୁଥିବା ନେଇ ପୁଲିସ ବାରମ୍ବାର ବାରଣ କରିବା ସତ୍ୱେ ଅମାନିଆମାନେ ମାନୁନଥିବା ପୁଲିସ କହିଛି । ବ୍ୟବସାୟୀ ଓ ସାମ୍ବାଦିକଙ୍କୁ ମାଡ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଦୋଷୀକୁ ଆଇନ ଅନୁଯାୟୀ ଦଣ୍ଡ ଦିଆଯିବ ବୋଲି ପୁଲିସ ଅଧିକାରୀମାନେ କହିଛନ୍ତି । ସାମ୍ବାଦିକଙ୍କୁ ମାଡ ଘଟଣାରେ ସାମ୍ବାଦିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଭିନ୍ନ ସାମ୍ବାଦିକ ସଂଘ, ସାମ୍ବାଦିକମାନେ ଏହି ଘଟଣାକୁ ନିନ୍ଦା କରିଛନ୍ତି । ବର୍ତବ୍ୟରତ ସାମ୍ବାଦିକଙ୍କୁ ସର୍ବ ସମ୍ମୁଖରେ ପୁଲିସ ବାଡେଇବା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବକୁ କୁଠାରଘାତ ବୋଲି କେତେକ ସାମ୍ବାଦିକ କହିଛନ୍ତି ।