ଥମୁନି ବିବାଦ, ଆଜି ହେବ ନାହିଁ ବନକଲାଗି ନୀତି
![](https://thetruths.in/wp-content/uploads/2023/02/Puri.jpg)
ପୁରୀ : ମହାପ୍ରଭୁଙ୍କ ବନକଲାଗି ନୀତିକୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ଥମୁନି ମହାପ୍ରଭୁଙ୍କ ବନକଲାଗି ବିବାଦ । ଶ୍ରୀମନ୍ଦିରରେ ଆଜି ମଧ୍ୟ ହେବ ନାହିଁ ବନକ ଲାଗି ନୀତି । ଦତ୍ତ ମହାପାତ୍ର ସେବାୟତ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଶ୍ରୀମନ୍ଦିର କମାଣ୍ଡର ମନା କରିଥିଲେ।
ଗୁରୁବାର ବନକଲାଗି ନୀତି କରିବା ପାଇଁ ଦତ୍ତମହାପାତ୍ର ନିଯୋଗ ଦାବି କରୁଥିବା ବେଳେ ବୁଧବାରରେ ବନକଲାଗି ନୀତି କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା। ନିର୍ଦ୍ଦେଶ ଅନୁପାଳନ ନକଲେ ସମ୍ପୃକ୍ତ ନିଯୋଗ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ନୋଟିସ ମାଧ୍ୟମରେ ଜଣାଇଥିଲା। ଏଭଳି ସ୍ଥିତିରେ ଏପର୍ଯ୍ୟନ୍ତ ବନକଲାଗି ନୀତି ହୋଇପାରିନଥିବା ବେଳେ ପ୍ରଶାସନର କୌଣସି କାର୍ଯ୍ୟାନୁଷ୍ଠାନ ସଂପର୍କରେ ସୂଚନା ଆସିନାହିଁ।
ଗତକାଲି ବନକ ଲାଗି କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଚିଠି କରିଥିଲା। ତେବେ ବନକ ଲାଗି ହୋଇନଥିଲା। ଦତ୍ତ ମହାପାତ୍ର ସେବାୟତ ସେମାନଙ୍କ ଜିଦ୍ରେ ଅଟଳ ରହିଥିଲେ । ତେବେ ଆଜି ସେମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବା ପାଇଁ ପ୍ରସ୍ତୁତ ଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ରାଜି ନାହିଁ। ବାମଦେବ ସଂହିତା ଏବଂ ରେକର୍ଡ ଅଫ ରାଇଟ୍ ଅନୁସାରେ ବୁଧବାର ବନକଲାଗି ପରଂପରା ରହିଛି। ଯାହାକୁ ଦତ୍ତମହାପାତ୍ର ସେବାୟତ ଅମାନ୍ୟ କରିଥିବା କୁହାଯାଉଛି । ଏବେ ଶ୍ରୀମନ୍ଦିର ପ୍ରଶାସନ ଏ ନେଇ କି ପଦକ୍ଷେପ ନେଉଛନ୍ତି ତାକୁ ଅପେକ୍ଷା ।
ପ୍ରଶାସନ କହିଛି ବୁଧବାର ବନକଲାଗି ନୀତି କର, ସେବାୟତ କହିଛନ୍ତି ଗୁରୁବାର କରିବେ। ଏମିତି ଅବସ୍ଥାରେ ମୁହାଁମୁହିଁ ହୋଇଛନ୍ତି ପ୍ରଶାସନ ଓ ସେବାୟତ। ଦତ୍ତ ମହାପାତ୍ର ନିଯୋଗ ଏବଂ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଶ୍ରୀମନ୍ଦିର ସ୍ଵତ୍ଵଲିପିକୁ ନେଇ ଚାଲିଥିବା ବିବାଦର କୌଣସି ସମାଧାନ ହୋଇପାରିନାହିଁ। ଫଳରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ହୋଇପାରିଲାନାହିଁ । ଶ୍ରୀମନ୍ଦିର ସ୍ଵତ୍ଵଲିପି ଅନୁଯାୟୀ ଗୁରୁବାର ଦିନ ହିଁ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ପ୍ରକୃଷ୍ଟ ଦିବସ ବୋଲି ଦତ୍ତମହାପାତ୍ର ନିଯୋଗ କହୁଛି। ବୁଧବାରରେ ବନକଲାଗି ନୀତି କରାନଗଲେ ଦତ୍ତମହାପାତ୍ର ନିଯୋଗ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ବନକଲାଗି ନୀତି ପାଇଁ ଆବଶ୍ୟକ ଥିବା ପାରମ୍ପରିକ ଦ୍ରବ୍ୟର ପ୍ରସ୍ତୁତି ପାଇଁ ୧୨ଘଣ୍ଟାରୁ ଉର୍ଦ୍ଧ୍ବ ସମୟର ଆବଶ୍ୟକତା ରହିଛି ବୋଲି ଦତ୍ତମହାପାତ୍ର ନିଯୋଗ କହିଛି।
ସେପଟେ ବୁଧବାର ଦିନ ହିଁ ମହାପ୍ରଭୁଙ୍କ ବନକଲାଗି ନୀତି ହେବା ଯଥାର୍ଥ ବୋଲି ଶ୍ରୀମନ୍ଦିର ରେକର୍ଡ ଅଫ ରାଇଟସ ଏବଂ ବାମଦେବ ସଂହିତାରେ ଉଲ୍ଲେଖ ରହିଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ୨୦୧୮ ମସିହାରେ ବୁଧବାର ଦିନ ବନକଲାଗି ନୀତି କରାଯାଇଥିଲା। ଏହା ଜାଣି ମଧ୍ୟ ଦତ୍ତମହାପାତ୍ର ନିଯୋଗ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି। ଶ୍ରୀମନ୍ଦିର ରେକର୍ଡ ଅଫ ରାଇଟସ୍ ଧାରା ୩୩ ଅନୁଯାୟୀ ଦତ୍ତମହାପାତ୍ର ନିଯୋଗ ବୁଧବାର ବନକଲାଗି ନୀତି ନକଲେ ତାଙ୍କ ବିରୁଦ୍ଧରେ ପ୍ରଶାସନ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏଥିସହ ଏହାର ବିକଳ୍ପ ଭାବେ ସୁଦ୍ଧସୁଆର ସେବକ ଏହି ନୀତି କରିପାରିବେ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ।
ସୂଚନା ଯେ, ନୀଳାଦ୍ରି ବିଜେ ଅର୍ଥାତ୍ ୧ ତାରିଖ ପରଠାରୁ ଆଜକୁ ଦୀର୍ଘ ୨୬ ଦିନ ବିତିବାକୁ ଥିବାବେଳେ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇପାରିନାହିଁ। ଫଳରେ ବନକଲାଗି ବିନା ମହାପ୍ରଭୁଙ୍କ ଶ୍ରୀମୁଖ ମଳିନ ପଡୁଥିବା ବେଳେ ଏହାକୁ ନେଇ ସେବାୟତ ଏବଂ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି।