ଜୁଲାଇ ୨୬ରୁ ଖୋଲିବ ଦଶମ ଓ ଦ୍ଵାଦଶ ଶ୍ରେଣୀ
ଭୁବନେଶ୍ଵର : ରାଜ୍ୟରେ କରୋନା ସଂକ୍ରମଣ ଏବେ କମିବାରେ ଲାଗିଛି । ଫଳରେ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ଓ କଲେଜ୍ ଖୋଲିବା ନେଇ ବଡ ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତା ଜୁଲାଇ ୨୬ ତାରିଖ ସୋମବାର ଠାରୁ ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ଖୋଲିବ। ସେହିପରି ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ମଧ୍ୟ ଖୋଲିବ । ଗତ ଜୁନ୍ ମାସ ୨୧ ତାରିଖ ଠାରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୟୁଟ୍ୟୁବ୍ରେ କ୍ଲାସ ଚାଲିଥିବା ବେଳେ ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କର ଅଫ୍ଲାଇନ୍ ପାଠପଢ଼ା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଅନ୍ଲାଇନ୍ ମାଧ୍ୟମରେ ରାଜ୍ୟର କିଛି ସ୍ଥାନରେ ପାଠପଢ଼ା ଅସୁବିଧା ହେଉଥିବାରୁ ସରକାର ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏନେଇ ଶନିବାର ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି।
ସ୍କୁଲକୁ ଆସିବା ପିଲାମାନଙ୍କର ଇଚ୍ଛାଧୀନ ରହିବ । କାରଣ ୟୁଟ୍ୟୁବ୍ରେ କ୍ଲାସ ଜାରି ରହିବ । ଯେଉଁମାନେ ସ୍କୁଲ ଆସିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି, ସେମାନେ ଅନ୍ଲାଇନ୍ରେ କ୍ଲାସ କରିବେ । ଅନ୍ୟପଟରେ ସ୍କୁଲ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳଙ୍କ ଉପରେ ରହିବ । କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସ୍କୁଲ ଖୋଲିବା ବା ବନ୍ଦ କରିବା ନିଷ୍ପତ୍ତି ନେବେ । ସ୍କୁଲ ଗୁଡ଼ିକ ସକାଳ ୧୦ଟାରୁ ଅପରାହ୍ନ ୧ଟା ୩୦ ଯାଏ ଖୋଲିବ । ଖେଳ ଛୁଟି ହେବନି । ପିଲାମାନେ ଛୁଟିରେ ଯିବା ପରେ ଘରେ ମଧ୍ୟାହ୍ନ ଭୋଜନ କରିବେ । ରବିବାର ଓ ସମସ୍ତ ସରକାରୀ ଛୁଟି ଦିନରେ ବିଦ୍ୟାଳୟ ବନ୍ଦ ରହିବ । ବିଦ୍ୟାଳୟରେ କୋଭିଡ କଟକଣାକୁ ବାଧ୍ୟତାମୂଳକ ଭାବେ ପାଳନ କରାଯିବ । ସେହିପରି ସ୍କୁଲ ଖୋଳିବା ପୂର୍ବରୁ ଏହାକୁ ସାନିଟାଇଜ କରାଯିବ । ଗଣଶିକ୍ଷା ସଚିବ ଶ୍ରୀ ସାହୁ କହିଛନ୍ତି ଯେ, ସ୍କୁଲ ଖୋଲିବା ପୂର୍ବରୁ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ପ୍ରାଥମିକତା ଭିତ୍ତିରେ କରୋନା ଟିକା ଦିଆଯିବ । ଯେଉଁ ସ୍କୁଲରେ ମାଟ୍ରିକ୍ ଅଫ୍ଲାଇନ୍ରେ ପରୀକ୍ଷା ହେଉଛି, ସେଠାରେ ପରେ ଖୋଲିବ । କାରଣ ସରକାରଙ୍କ ଦ୍ୱାରା ବିଗତ ଦିନରେ ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ ଅଫ୍ଲାଇନ୍ରେ ପରୀକ୍ଷା ଦେବେ । ସେହିପରି ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିପାରେ । ସେ କହିଛନ୍ତି ଯେ, ଦଶମ ଓ ଦ୍ୱାଦଶ ଶ୍ରେଣୀ ପରେ ନବମ ପାଇଁ ଆମେ ଧ୍ୟାନ ଦେବୁ । ଯଦି ପିରିସ୍ଥିତି ଠିକ୍ଠାକ ରହେ, ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ । ସେହିପରି ରାଜ୍ୟ ସରକାର ସେପ୍ଟେମ୍ବର ୧୫ରୁ ଏକାଦଶ ଶ୍ରେଣୀ ପାଠପଢ଼ା ପାଇଁ ଯୋଜନା କରୁଛନ୍ତି ।