ଆମେରିକା ସୀମାରୁ ମାତ୍ର ୧୦୦ ମାଇଲ ଦୂରରେ ଗୁଇନ୍ଦା କେନ୍ଦ୍ର ନିର୍ମାଣ କରୁଛି ଚୀନ
ନୂଆଦିଲ୍ଲୀ: ଆମେରିକା ଏବଂ ଚୀନ ମଧ୍ୟରେ ଲଗାତାର ବଢୁଥିବା ତିକ୍ତତା ମଧ୍ୟରେ ଡ୍ରାଗନ ଏକ ବଡ଼ ସ୍ପାଏ ସେଣ୍ଟର ଖୋଲିବାକୁ ଯାଉଛି । ଚଳିତ ବର୍ଷ ଆରମ୍ଭରେ ଚୀନର ଏକ କଥିତ ଗୁଇନ୍ଦା ବେଲୁନ ଆମେରିକା ଉପରେ ଉଡାଣ ଭରିଥିଲା । ଯାହାକୁ ନେଇ ପରେ ବେଶ ବିବାଦ ମଧ୍ୟ ହୋଇଥିଲା ।
ଆମେରିକା ଗୁଇନ୍ଦାର ଏକ ରିପୋର୍ଟ ଅନୁସାରେ ଚୀନ ଖୁବଶୀଘ୍ର କ୍ୟୁବାରେ ଏକ ସ୍ପାଏ ସେଣ୍ଟର ଖୋଲିବାକୁ ଯାଉଛି । ଏବଂ ଏହି କେନ୍ଦ୍ର ଆମେରିକାର ଫ୍ଲୋରିଡାଠାରୁ ମାତ୍ର ୧୦୦ ମାଇଲ୍ ଦୂରରେ ଥିବା ଏକ ଦ୍ୱୀପରେ ନିର୍ମାଣ କରାଯାଉଛି ।
ଆମେରିକୀୟ ଟିଭି ମିଡିଆ ସିଏନଏନର ଖବର ଅନୁସାରେ, ଚୀନର ଇଲେକ୍ଟ୍ରନିକ ଇଭେସଡ୍ରପିଙ୍ଗ ଫେସିଲିଟିକୁ ପ୍ରତିଷ୍ଠା ପାଇଁ କ୍ୟୁବା ଅନୁମତି ଦେଇଛି । ଏହାପରେ ଚୀନ ଏବଂ କ୍ୟୁବା ସ୍ପାଏ ସେଣ୍ଟର ପାଇଁ ଏକ ବୁଝାମଣାରେ ପହଞ୍ଚିଛନ୍ତି । ଇଣ୍ଟେଲିଜେନ୍ସି ଡିପାର୍ଟମେଣ୍ଟର ଅଧିକାରୀଙ୍କ କହିବା ଅନୁସାରେ ଚୀନ ଏଥିପାଇଁ କ୍ୟୁବାକୁ ବିଲିୟନ ବିଲିୟନ ଡଲାର ଦେବାକୁ ପ୍ରସ୍ତୁତ ଅଛି । ଏଠାରୁ ହିଁ ଆମେରିକା ଉପରେ ଚୀନ ନଜର ରଖିବ ।
ଗୁଇନ୍ଦା କେନ୍ଦ୍ର ଉପରେ ଚୀନ କାମ କରିବା ଆରମ୍ଭ କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ । ଅନ୍ୟପଟେ ଏହି ସମସ୍ତ ଦାବିକୁ କ୍ୟୁବାର ଉପ-ବିଦେଶ ମନ୍ତ୍ରୀ କାର୍ଲେସ ଫର୍ଣ୍ଣାଡିଜ୍ ଡି କୋସିୟୋ ଖଣ୍ଡନ କରିଛନ୍ତି । ଏହି ଖବରରେ କୌଣସି ସତ୍ୟତା ନଥିବା ସେ କହିଛନ୍ତି ।