ମୁଖ୍ୟମନ୍ତ୍ରୀ ପଦମପୁରବାସୀଙ୍କୁ ପୁଣି ମିଛ କହିଛନ୍ତି : ଜୟନାରାୟଣ ମିଶ୍ର
![](https://thetruths.in/wp-content/uploads/2022/02/MLA-Jayanarayana-Mishra.jpeg)
ପଦମପୁର : ମୁଖ୍ୟମନ୍ତ୍ରୀ ଯେଉଁଠି ଉପନିର୍ବାଚନ ହୁଏ ସେହି ନିର୍ବାଚନ ମଣ୍ଡଳୀର ଦାୟୀତ୍ୱ ସେ ନିଜେ ନିଅନ୍ତି ବୋଲି ସବୁବେଳରେ ଉପନିର୍ବାଚନ ପ୍ରଚାରରେ କୁହନ୍ତି । ହେଲେ ପ୍ରଥମ ଥର ପାଇଁ ସେ ପଦମପୁର ଉପନିର୍ବାଚନରେ ଦାୟୀତ୍ୱ ମୋର ବୋଲି କହିଲେ ନାହିଁ । ବୋଧହୁଏ ବିଜୁ ଜନତା ଦଳ ପଦମପୁର ଉପନିର୍ବାଚନରେ ନିର୍ବାଚନ ହାରିବା ସୁନିଶ୍ଚିନ୍ତ ଜାଣି ମୁଖମନ୍ତ୍ରୀ ଆଉ ଦାୟୀତ୍ୱ ମାଗିନାହାନ୍ତି । ସବୁ ଜନସଭାରେ ମୁଖ୍ୟମନ୍ତ୍ରୀ ପଚାରନ୍ତି ଯେ ଆପଣ ମାନେ ଖୁସି ତ? ହେଲେ ପଦମପୁର ଉପନିର୍ବାଚନ ପ୍ରଚାରରେ ଆପଣ ମାନେ ଖୁସି ତ ବୋଲି ପଚାରିନହାନ୍ତି କାରଣ ସେ ଜାଣିଛନ୍ତି ଯେ ପଦମପୁରର ଲୋକେ ବିଜୁ ଜନତା ଦଳର ଏହି ୨୨ ବର୍ଷର ପ୍ରତାରଣାରେ ଜମା ଖୁସି ନାହାନ୍ତି ବୋଲି ଆଜି ସାମ୍ବାଦିକ ସମ୍ମିଳନିରେ କହିଛନ୍ତି ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ।ଶ୍ରୀ ମିଶ୍ର କହିଛନ୍ତି ଆଜି ମୁଖ୍ୟମନ୍ତ୍ରୀ କେବଳ ମିଛ ଓ ଛଳନାର କଥା ପଦମପୁରର ଲୋକମାନଙ୍କ ଆଗରେ କହିଛନ୍ତି । ବରଗଡ ନୁଆପଡା ରେଳ ପ୍ରକଳ୍ପ ଭାୟା ପଦମପୁର ନେଇ କେନ୍ଦ୍ର ଶୀକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଉଭୟ ଘୋଷଣା କରି କହିଥିଲେ ଯେଉଁ ଦିନ ରାଜ୍ୟ ସରକାର ଜମି ଦେବେ ସେହି ଦିନ ରେଳ ପ୍ରକଳ୍ପର କାମ ଆରମ୍ଭ ହେବ । ହେଲେ ଆଜି ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାର କେତେ ଜମି ଅଧିଗ୍ରହଣ କରିଛନ୍ତି ତାହା ପଦମପୁରର ଲୋକଙ୍କ ଆଗରେ ସ୍ପଷ୍ଟ ନକରି ନିଜର ଦୋଷକୁ ଲୁଚାଇବା ପାଇଁ ଉଦ୍ୟମ କରିଲେ ଯାହା ପଦମପୁରର ଲୋକମାନଙ୍କୁ ଦୁଃଖ ଦେଇଛି । ସେହିଭଳି ପଦମପୁରରେ ଜିଲ୍ଲା ଘୋଷଣା ଦାବି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ତାହା ପଦମପୁରର ଲୋକମାନଙ୍କୁ ନିରାଶ କରିଛି । ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଏବେ ପଦମପୁରକୁ ଜିଲ୍ଲା ଘୋଷଣା ନେଇ କୌଣସି ପ୍ରସ୍ତାବ ନାହିଁ । ଆଉ ଆଜି ମୁଖ୍ୟମନ୍ତ୍ରୀ ପଦମପୁରର ଜିଲ୍ଲା ଘୋଷଣାକୁ ଲମ୍ବା ସମୟ ପର୍ଯ୍ୟନ୍ତ ଅର୍ଥାତ ଡିସେମ୍ବର ୨୦୨୩କୁ ଗଡାଇ ଦେଲେ । ଏହା ଅତ୍ୟନ୍ତ ଦୁଭାର୍ଗ୍ୟ ଜନକ ବୋଲି ଶ୍ରୀ ମିଶ୍ର କହିଛନ୍ତି । ସବୁବେଳେ କେନ୍ଦ୍ର ଅବହେଳାକୁ ବାହାନା କରୁଥିବା ମୁଖ୍ୟମନ୍ତ୍ରୀଙ୍କର ଆଜି ପଦମପୁରର ଲୋକମାନଙ୍କୁ ଅବହେଳା କରିଥୀବା କଥା ଧରା ପଡିଯାଇଛି । ୨୨ ବର୍ଷର ଶାସନରେ ପଦମପୁରରେ କାହିଁକି ଚାଷ ଜମିକୁ ଜଳସେଚନ ହୋଇପାରିନାହିଁ, କେତେ ଚାଷୀଙ୍କୁ ୨୦୨୧ରେ ହୋଇଥିବା ମରୁଡି ପାଇଁ ଇନପୁଟ ସବସିଡ ଦେଇଛନ୍ତି, କାହିଁକି କେନ୍ଦୁପତ୍ରରେ ରାଜ୍ୟ ସରକାର ନେଉଥିବା ୯% ଜିଏସଟିକୁ ଛାଡ କରୁନାହାନ୍ତି ଏସବୁ ପ୍ରସଙ୍ଗରେ ଆଜି ମୁଖ୍ୟମନ୍ତ୍ରୀ କାହିଁକି କିଛି କହିନାହାନ୍ତି ବୋଲି ଜୟନାରାୟଣ ପ୍ରଶ୍ନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସହ ମୁଖ୍ୟ ସୁଜିତ ଦାସ, ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ସନତ ଗଡତିଆ ଓ ଅରୁପା ସାହୁ ଉପସ୍ଥିତ ଥିଲେ ।