ଆଇପିଏଲ୍-୨୦୨୧ ଟାଇଟଲ ଜିତିଲା ଚେନ୍ନାଇ
![](https://thetruths.in/wp-content/uploads/2021/10/CSK-Win-1024x768.jpg)
ଦୁବାଇ : ଦୁବାଇର ଅନ୍ତର୍ଜାତୀୟ ଷ୍ଟାଡିୟମରେ ଆଇପିଏଲ-୨୦୨୧ର ଟାଇଟଲ୍ ମୁକାବିଲା ଖେଳ ଯାଇଛି । ଏଥିରେ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସକେ) ଓ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ମୁହାଁମୁହିଁ ହୋଇଥିଲେ । ଧୂଆଁଧାର ବ୍ୟାଟିଂ ଓ ପରେ ବୋଲରଙ୍କ ଉନ୍ନତ ବୋଲିଂ ଯୋଗୁଁ ସିଏସକେ ଚତୁର୍ଥ ଥର ପାଇଁ ଆଇପିଏଲ ଚାମ୍ପିଅନ ହୋଇଛି । ସେହିପରି କେକେଆରର ତୃତୀୟ ଟାଇଟଲ୍ ଆସ ଆଶାରେ ହିଁ ରହିଯାଇଛି ।
ଟସ୍ ଜିତି କେକେଆର ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଆମନ୍ତ୍ରଣ ପାଇ ଚେନ୍ନାଇ ପକ୍ଷରୁ ଡୁପ୍ଲେସିସ୍ ଓ ଗାଏକ୍ୱାଡ୍ ଓପନ୍ କରିବାକୁ ଆସିଥିଲେ । ଦୁହେଁ ପ୍ରଥମ ୱିକେଟ ପାଇଁ ୬୧ ରନର ଭାଗିଦାରୀ କରିଥିଲେ। ଗାଏକ୍ୱାଡ୍ ୩୨ (୨୭ ବଲ, ୩ ଚୌକା, ୧ ଛକା) ରନ୍ କରି ସୁନୀଲ ନରିନଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ରବିନ୍ ଉଥାପ୍ପା ପୁଣିଥରେ ଖେଳିଥିଲେ ଆକ୍ରମଣାତ୍ମକ ଇନିଂସ୍। ସେ ମାତ୍ର ୧୫ ବଲରେ ୩୧ ରନର (୩ ଛକା) ଧୂଆଁଧାର ଇନିଂସ୍ ଖେଳିଥିଲେ, ଯାହା ବଳରେ ଚେନ୍ନାଇର ରନ୍ ଗତି ବଢ଼ିଥିଲା। ଉଥାପ୍ପାଙ୍କୁ ମଧ୍ୟ ନରିନ୍ ନିଜର ଶିକାର ବନାଇଥିଲେ। ଆଉଟ୍ ହେବା ପୂର୍ବରୁ ସେ ଡୁପ୍ଲେସିସଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୬୩ ରନ୍ ଯୋଡ଼ିଥିଲେ। ମୋଇନ୍ ଅଲୀ ମଧ୍ୟ ଠିକଣା ସମୟରେ କ୍ଲିକ୍ କରିଥିଲେ ଏବଂ ଖେଳିଥିଲେ ବିସ୍ଫୋରକ ଇନିଂସ୍। ଡୁପ୍ଲେସିସ୍ ଓ ମୋଇନ୍ ମିଶି ଦଳକୁ ମଜଭୁତ୍ ସ୍କୋରରେ ପହଞ୍ଚାଇଥିଲେ। ଦୁହେଁ ତୃତୀୟ ୱିକେଟ୍ ପାଇଁ ୬୮ ରନ୍ ଯୋଡ଼ିଥିଲେ। ଡୁପ୍ଲେସିସ୍ ଇନିଂସର ଶେଷ ବଲରେ ଆଉଟ୍ ହୋଇଥିଲେ। ସେ ୫୯ ବଲରେ ୭ ଚୌକା ଓ ୩ ଛକା ସହ ୮୬ ଓ ମୋଇନ୍ ୨୦ ବଲରେ ୨ ଚୌକା ଓ ୩ ଛକା ସହ ୩୭ ରନ କରି ଅପରାଜିତ ଥିଲେ। କେକେଆର୍ ପକ୍ଷରୁ ନରିନ୍ ୨ଟି ଓ ଶିବମ ମାଭି ଗୋଟିଏ ୱିକେଟ୍ ନେଇଥିଲେ।
୧୯୩ ରନ୍ ବିଜୟ ଲକ୍ଷ୍ୟ ରଖି କେକେଆର ପକ୍ଷରୁ ଭଲ ଓପନିଂ ଆରମ୍ଭ ହୋଇଥିଲା । ଓପନିଂ ଆସିଥିବା ଶୁଭମନ ଗିଲ ଓ ଭେଙ୍କଟେଶ ଆୟରଙ୍କ ଦମଦାର ଖେଳ ପ୍ରଦର୍ଶନ କରିଥିଲେ । ବିଶେଷ କରି ଭେଙ୍କଟେଶ ୩୧ ବଲରୁ ୫୦ ରନର ପାଳି ଖେଳିଥିଲେ । ମାତ୍ର ୧୧ତମ ଓଭରରେ ସାର୍ଦ୍ଧୁଲ ଠାକୁରଙ୍କ ୧୧ତମ ଓଭରରେ ସବୁ ଓଲଟପାଲଟ ହୋଇଯାଇଥିଲା । ସାର୍ଦ୍ଧୁଲଙ୍କ ବୋଲରେ ପ୍ରଥମେ ଭେଙ୍କଟେଶ ଶିକାର ହୋଇଥିବା ବେଳେ ପରେ ଉକ୍ତ ଓଭରରେ ନୀତିଶ ରାଣା (୦) ରନରେ ଆଉଟ ହୋଇଥିଲେ । ପରେ ବ୍ୟାଟିଂ କରିବାକୁ ଆସିଥିବା ସୁନୀଲ ନାରିନ ମଧ୍ୟ ମାତ୍ର ୨ ରନ କରି ହାଜେଲଉଡ଼ଙ୍କ ବଲରେ ଆଉଟ ହୋଇଥିଲେ । ଏହାପରେ କେକେଆରକୁ ଗୋଟେ ପରେ ଗୋଟେ ଝଟକା ଦେଇଥିଲେ ଚେନ୍ନାଇ ବୋଲର । ଓପନର ଗିଲ ମଧ୍ୟ ନିଜର ଅର୍ଦ୍ଧଶତକ ପାରି ଖେଳି ଦୀପକ ଚହରଙ୍କ ବୋଲରେ ଆଉଟ ହୋଇଥିଲେ। ପରେ ଦୀନେଶ କାର୍ତିକ (୯), ଶକିବ ଅଲ ହାସନ (୦), ରାହୁଲ ତ୍ରିପାଠୀ (୨), ଅଧିନାୟକ ଇଅନ ମୋର୍ଗାନ (୪), କରି ଆଉଟ ହୋଇଥିଲେ । ଏହାପରେ ଲୋକି ଫର୍ଗ୍ୟୁସନ ଓ ଶିବମ ମାଭି ପାରି ସମ୍ଭାଳିଥିଲେ । ଉଭୟ ଭଲ ପ୍ରଦର୍ଶନ କରିଥିଲେ ହେଁ ଟିମକୁ ବିଜୟ ଦେଇ ପାରି ନଥିଲେ ।