ଛତିଶଗଡ଼ ସୀମା ସିଲ୍ କଲେ ମଧ୍ୟପ୍ରଦେଶ ସରକାର
ଭୋପାଳ: ଦେଶରେ ହୁ ହୁ ହୋଇ କରୋନା ବଢିଚାଲିଥିବା ବେଳେ ମଧ୍ୟପ୍ରଦେଶ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ର ପରେ ଏବେ ଛତିଶଗଡ଼ର ସୀମାକୁ ମଧ୍ୟ ସିଲ୍ କରାଯାଇଛି। ମହାରାଷ୍ଟ୍ର ଓ ଛତିଶଗଡ଼ରୁ ଅଧିକ ସଂକ୍ରମିତ ମଧ୍ୟପ୍ରଦେଶକୁ ଆସୁଥିବାର ଲକ୍ଷ୍ୟ କରି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଏଣେ ମଧ୍ୟପ୍ରଦେଶର ଜବଲପୁର ସାଂସଦ ରାକେଶ ସିଂହ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏସବୁ ଘଟଣାକ୍ରମେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ କହିଛନ୍ତି, ଆବଶ୍ୟକ ସ୍ଥଳେ ରାଜ୍ୟରେ ଲକଡାଉନ୍ ଲାଗୁ କରାଯିବ।
ସୂଚନା ଯେ, ମଧ୍ୟପ୍ରଦେଶର ଇନ୍ଦୋରରେ ସର୍ବାଧିକ ୭୩୭ ସଂକ୍ରମିତ ଅଛନ୍ତି। ଠିକ୍ ସେହିପରି ଭୋପାଳରେ ୫୩୬, ଜବଲପୁରରେ ୨୨୪ ଏବଂ ଗ୍ୱାଲିଅରରେ ୧୨୦ ଜଣ ସଂକ୍ରମିତ ଥିବା ଜଣାଯାଇଛି। ରାଜ୍ୟରେ ମୋଟ୍ ସକ୍ରିୟ ମାମଲା ସଂଖ୍ୟା ମଧ୍ୟ ୨୦ହଜାର ୩୬୯ ରେ ପହଞ୍ଚିଛି। ଚଳିତ ଏପ୍ରିଲ ଶେଷ ସୁଦ୍ଧା କରୋନା ଶିଖରରେ ପହଞ୍ଚିପାରେ ବୋଲି ରାଜ୍ୟ ସରକାର ଆକଳନ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ସରକାର ପୁନର୍ବାର କୋଭିଡ କେୟାର ସେଣ୍ଟର ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି।