ଉଦ୍ବେଗଜନକ ଥିବା ୧୦ଟି ରାଜ୍ୟର କୋଭିଡ୍ ପରିସ୍ଥିତି ସମୀକ୍ଷା କରିବେ କେନ୍ଦ୍ର ସରକାର
ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନା ସଂକ୍ରମଣ ସ୍ଥିର ରହିଛି । ଦୈନିକ ସଂକ୍ରମଣ ଏବଂ ମୃତ୍ୟୁରେ କିଛିଟା କମିଛି । ମାତ୍ର କେରଳ ଓ ଉତ୍ତରପୂର୍ବାଞ୍ଚଳର ୧୦ଟି ରାଜ୍ୟର କୋଭିଡ୍ ଉଦ୍ବେଗଜନକ ସ୍ଥିତି ସମଗ୍ର ଦେଶ ପାଇଁ ଚିନ୍ତା ବଢାଇ ଦେଇଛି । ଦେଶର ବାକି ସମସ୍ତ ପ୍ରଦେଶରେ ସଂକ୍ରମଣ ହ୍ରାସ ପାଉଥିବା ବେଳେ ଏହି ୧୦ଟି ରାଜ୍ୟରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି। ଏଥିପାଇଁ କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଆସାମ, ମିଜୋରାମ, ମେଘାଳୟ ଏବଂ ମଣିପୁରର କୋଭିଡ୍-୧୯ଜନିତ ପରିସ୍ଥିତି କେନ୍ଦ୍ର ସରକାର ସମୀକ୍ଷା କରିବେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି ।
କେନ୍ଦ୍ର ସରକାର କେରଳକୁ ୬ଜଣିଆ ସଦସ୍ୟବିଶିଷ୍ଟ ‘ମଲ୍ଟି-ଡିସିପ୍ଲିନେରି ଟିମ୍’ ପଠାଇ ସାରିଲେଣି। ସେମାନେ ସେଠାକାର କୋଭିଡ୍-୧୯ ମହାମାରୀ ସ୍ଥିତି ଅନୁଧ୍ୟାନ କରି ସଂକ୍ରମଣ ବିସ୍ତାର ରୋକିବା ଲାଗି ପଦକ୍ଷେପ ସଂକ୍ରାନ୍ତରେ ପରାମର୍ଶ ଦେବେ। ଏହି ବିଶେଷଜ୍ଞ ଦଳର ନେତୃତ୍ବ ନେଇଥିବା ‘ନ୍ୟାସ୍ନାଲ୍ ସେଣ୍ଟର୍ଫର୍ ଡିଜିଜ୍ କଣ୍ଟ୍ରୋଲ୍’ର (ଏନ୍ସିଡିସି) ନିର୍ଦେଶକ ଡାକ୍ତର ସୁଜିତ ସିଂହ ଶୁକ୍ରବାର ରାତିରେ ତିରୁବନନ୍ତପୁରମ୍ରେ ପହଞ୍ଚିଛନ୍ତି। ପୂର୍ବରୁ ମଧ୍ୟ ଡାକ୍ତର ସିଂହ କହିଥିଲେ ଯେ, ଉଦ୍ବେଗର ଅନେକ କାରଣ ମଧ୍ୟରୁ ପଜିଟିଭିଟି ହାର ବୃଦ୍ଧି ଅନ୍ୟତମ। ସବୁଆଡ଼େ ସଂକ୍ରମଣ ମାମଲା ହ୍ରାସ ପାଉଥିବା ବେଳେ କେରଳରେ ସଂକ୍ରମଣ ଚାଲୁ ରହିଛି। ରାଜ୍ୟ ସରକାରଙ୍କର ସହ ଆଲୋଚନା କରାଯିବ। ଏହା ଏକ ସାମୂହିକ ପରିସ୍ଥିତି। ଦେଖାଯାଉ ପରିସ୍ଥିତି କିଭଳି ସୁଧୁରୁଛି।