ବସ୍ ଟର୍ମିନାଲର ଅଗ୍ରଗତି ଅନୁଧ୍ୟାନ କଲେ ସିଡିଏ ଅଧ୍ୟକ୍ଷ
କଟକ : କଟକ ଉନ୍ନୟନ କର୍ତୃପକ୍ଷ(ସିଡିଏ) ଅଧ୍ୟକ୍ଷ ଅନୀଲ କୁମାର ସାମଲ ଆଜି ଖାନନଗରସ୍ଥିତ ନେତାଜୀ ବସ୍ ଟର୍ମିନାଲ(ଏନ୍ଏସ୍ବିଟି) କାର୍ଯ୍ୟର ଅଗ୍ରଗତି ସଂପର୍କରେ ଅନୁଧ୍ୟାନ କରିଛନ୍ତି । ଓବିସିସିର ମୁଖ୍ୟଯନ୍ତ୍ରୀ, ମୁଖ୍ୟ ପରିଚାଳକ, ଟାଟା ପାୱାର କମ୍ପାନୀର ଯନ୍ତ୍ରୀ ଓ ପିଡବ୍ଲ୍ୟୁଡିର ଇଞ୍ଜିନିୟର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ଶ୍ରୀ ସାମଲଙ୍କୁ ଅବଗତ କରାଇଥିଲେ । ପ୍ରାୟ ୮୦ ଭାଗ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ବାକି କାର୍ଯ୍ୟ ଧାର୍ଯ୍ୟ ସମୟସୀମା ମଧ୍ୟରେ ଶେଷ କରିବାକୁ ଶ୍ରୀ ସାମଲ ସେମାନଙ୍କୁ ପରାମର୍ଶ ଦେଇଥିଲେ । କାର୍ଯ୍ୟ ସ୍ଥଳରେ ଥିବା ହାଇ ଭୋଲଟେଜ୍ ଇଲେକ୍ଟ୍ରିକ୍ ଲାଇନ୍କୁ ସ୍ଥାନାନ୍ତର କରାଯିବା ସହ ତୁରନ୍ତ ଲ୍ୟାଣ୍ଡ ସ୍କେପ୍ ଓ ସୈାନ୍ଦର୍ଯ୍ୟୀକରଣ କାର୍ଯ୍ୟ ଇତିମଧ୍ୟରେ ଆରମ୍ଭ ହୋଇଯିବ ବୋଲି ଶ୍ରୀ ସାମଲ କହିଛନ୍ତି । ସେହିପରି ବସ୍ ରହଣି ସ୍ଥଳର ୫ଟି ବେ ମଧ୍ୟରୁ ୩ଟି କାର୍ଯ୍ୟ ସଂପନ୍ନ ହୋଇଛି ଓ ବାକି ଦୁଇଟିର କାମ ଚାଲୁ ରହିଥିବା ନେଇ ସେ ସନ୍ତୁଷ୍ଟି ପ୍ରକାଶ କରିଥିଲେ । ସମସ୍ତ କାର୍ଯ୍ୟ ତଡିତ୍ ବେଗରେ ଶେଷ କରାଯିବ ବୋଲି ସେ ଗଣମାଧ୍ୟମକୁ କହିବା ସହ ୨୦୨୩ ମାର୍ଚ୍ଚ ସୁଦ୍ଧା ନୂତନ ବସ୍ ଟର୍ମିନାଲକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।