କେୟାର ଇଣ୍ଡିଆ ପକ୍ଷରୁ ସୁବର୍ଣ୍ଣରେଖା ବନ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କୁ ରିଲିଫ ବଣ୍ଟନ।
ବାଲିଆପାଳ : ସୁବର୍ଣ୍ଣରେଖା ନଦୀର ପ୍ରଳୟଙ୍କରୀ ବନ୍ୟାରେ ବାଲିଆପାଳ ବ୍ଲକର ବିଭିନ୍ନ ଗ୍ରାମର କ୍ଷତିଗ୍ରସ୍ତ ଲୋକଙ୍କୁ କେୟାର ଇଣ୍ଡିଆ ପକ୍ଷରୁ ରିଲିଫ ବଣ୍ଟନ କରା ଯାଇଛି।ବାଲିଆପାଳ ବ୍ଳକର ବନ୍ୟା କ୍ଷତିଗ୍ରସ୍ତ ଲୋକଙ୍କୁ ପ୍ରଥମ ପର୍ୟ୍ୟାୟରେ ଗତ ସୋମବାର ଠାରୁ ରିଲିଫ କାର୍ୟ୍ୟ ଆରମ୍ଭ ହୋଇ ଶନିବାର ଶେଷ ହୋଇଛି।ବାଲିଆପାଳ ବ୍ଳକର ୪ଟି ପଞ୍ଚାୟତର ୧୦ ଗ୍ରାମର ୫ ଶହ ଲୋକଙ୍କୁ ରିଲିଫ ବଣ୍ଟନ କରାଯାଇଛି।ପରବର୍ତ୍ତୀ ସମୟରେ ଆହୁରି ଅଧିକ ରିଲିଫ ପ୍ରଦାନ କରାଯିବା ବୋଲି କେୟାର ଇଣ୍ଡିଆର ପ୍ରାଦେଶିକ ଶାଖାର ବିପର୍ୟ୍ୟୟ ମୁଖ୍ୟ ପ୍ରଶାନ୍ତ ଦାଶ କହିଛନ୍ତି।ବାଲିଆପାଳ ବ୍ଳକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ବିଶ୍ୱାସ” ପରିଚାଳନାରେ ଏବଂ ବାଲେଶ୍ଵର ଜିଲ୍ଲାର ପ୍ରତିଷ୍ଠିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ଫରୋୱାର୍ଡ଼” ସହଯୋଗରେ “କେୟାର ଇଣ୍ଡିଆ” ପକ୍ଷରୁ ପ୍ରଦାନ କରାଯାଇଥିବା ରିଲିଫ କାର୍ୟ୍ୟକ୍ରମ ବାଲିଆପାଳ ବ୍ଳକ ବିଷ୍ଣୁପୁର ପଞ୍ଚାୟତର ନୟାବାଲି,ବିଷ୍ଣୁପୁର, ଇକଡପାଳ, ରସଲପୁର ଓ ରାଉତ୍ରାପୁର, ମଧୁପୁରା ପଞ୍ଚାୟତର ଚଡବସ୍ତ କାଳରୁଇ ଓ ଚୌଧୁରୀକୁଦ,ଜାମକୁଣ୍ଡା ପଞ୍ଚାୟତର କୁହ୍ଲାଚଡ଼,ବାଲିଆପାଳ ପଞ୍ଚାୟତର ବାଲିଆପାଳ ଓ ସୁଙ୍ଗମୁହଁ ଗ୍ରାମରେ ଏହି ରିଲିଫ ବଣ୍ଟନ କରାଯାଇଛି। ଏହି ରିଲିଫ ବଣ୍ଟନ କାର୍ୟ୍ୟକ୍ରମରେ କେୟାର ଇଣ୍ଡିଆର ଦିଲ୍ଲୀ କାର୍ୟ୍ୟାଳୟର ବିପର୍ୟ୍ୟୟ ପରିଚାଳନା ବିଭାଗର ମୁଖ୍ୟ ଅନିମେଶ ପ୍ରକାଶ,ଫରୋୱାର୍ଡ଼ ସ୍ବେଛାସେବୀ ଅନୁଷ୍ଠାନର ଚେୟାରମ୍ୟାନ ଯଜ୍ଞବରାହ ମହାନ୍ତି,ଫରୋୱାର୍ଡ଼ର ବିପର୍ୟ୍ୟୟ କମିଟିର ଜିତେନ୍ଦ୍ର ସାହୁ,ଅଜୟ ମହାନ୍ତି, ଦିଲ୍ଲୀପ କୁମାର ସେଣ,ବିଶ୍ୱାସର ସମ୍ପାଦକ ଅଜୟ କୁମାର ସାହୁ, ଅଦୈତ୍ୟ ବାଗ,ଦିଲ୍ଲୀପ କୁମାର ଦାସ,ଉତ୍ତମ ପିଳା ପ୍ରମୁଖ ରିଲିଫ ବଣ୍ଟନ କାର୍ୟ୍ୟରେ ସହଯୋଗ କରିଥିଲେ। ରିଲିଫ ପ୍ୟାକେଟରେ ଗୋଟିଏ ପରିବାରକୁ ଦୁଇଟି ତାରପୁଲିନ,ଦୁଇଟି ମସିଣା(ସପ), ତାରପୁଲିନ ବାନ୍ଧିବା ପାଇଁ ପ୍ଲାଷ୍ଟିକ ଦଉଡି,ପାଣି ରଖିବା ପାଇଁ ଜାର୍କୀନ ଓ ମଶାରୀ ପ୍ରଭୃତି ରହିଛି।କେୟାର ଇଣ୍ଡିଆର ଓଡ଼ିଶାର ପ୍ରାଦେଶିକ ଶାଖାର ଡକ୍ଟର ପ୍ରଦୀପ କୁମାର ମହାପାତ୍ର, ପ୍ରଶାନ୍ତ କୁମାର ଦାସ,ବିକାଶ ସିଂ ଓ ଶର୍ମିଷ୍ଠା କର ପ୍ରମୁଖଙ୍କ ବନ୍ୟାଞ୍ଚଳ ଗସ୍ତ ପରେ କ୍ଷୟକ୍ଷତିର ଆକଳନ କରାଯାଇ ଏହି କାର୍ୟ୍ୟକ୍ରମ ଚାଲୁ ରହିଛି ବୋଲି ବିଶ୍ୱାସର ସମ୍ପାଦକ ଶ୍ରୀ ସାହୁ ପ୍ରକାଶ କରିଛନ୍ତି।