ବୋଲବମ୍ ଭକ୍ତଙ୍କ ଉପରେ ମାଡ଼ିଗଲା କାର : ୨ ମୃତ, ୧୦ ଆହତ
ବ୍ରହ୍ମପୁର: ଶ୍ରାବଣ ସୋମବାରରେ ମହାଦେବଙ୍କୁ ଜଳାଭିଷେକ ଲାଗି ବୋଲବମ୍ ଯାତ୍ରା ପାଲଟିଛି ଶେଷ ଯାତ୍ରା। ରବିବାର ମଧ୍ୟରାତ୍ରରେ ଆସିକା-ଭେଟନଇ ରାସ୍ତାର ଭେଟସିଙ୍ଗି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । କାର୍ ମାଡିଯାଇ ଦୁଇ ବୋଲବମ୍ ଭକ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୦ ଜଣ ବୋଲବମ୍ ଭକ୍ତ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଏ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେହିପରି ଦୁର୍ଘଟଣା ଘଟାଇ କାରଟି ରାସ୍ତା ପାର୍ଶ୍ଵରେ ବିଲକୁ ଖସି ପଡ଼ିଛି।
ଆସିକା ନିକଟ ଋଷିକୁଲ୍ୟା-ବଡ଼ ନଦୀ ସଙ୍ଗମ ସ୍ଥଳରୁ ଜଳ ନେଇ ବୋଲବମ୍ ଭକ୍ତମାନେ ଅରଖପୁରର ତାରକେଶ୍ୱର ମନ୍ଦିରକୁ ଯାଉଥିଲେ। ଭେଟନଇ ପାଖ ଭେଟସିଙ୍ଗି ରାସ୍ତାରେ ଦ୍ରୁତ ଗତିରେ ଆସି କାରଟି ବୋଲବମ୍ ଭକ୍ତଙ୍କୁ ଧକ୍କା ଦେଇଥିଲା। ଫଳରେ ଦୁଇ କାଉଡିଆଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ମୃତକଙ୍କ ନାମ ଅନିତା ସ୍ୱାଇଁ ଏବଂ ମୁକୁନା ବେହେରା ବୋଲି ଜଣାପଡିଛି । ଆହତ ବୋଲବମ୍ ଭକ୍ତମାନଙ୍କୁ ଆସିକା ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା। ତେବେ ଆସିକା ଡାକ୍ତରଖାନାରେ ଅନିତା ଓ ବ୍ରହ୍ମପୁରରେ କୁନାଙ୍କ ମୃତ୍ୟୁ ଘଟିଥିଲା। ପରେ ଗୁରୁତରଙ୍କୁ ବ୍ରହ୍ମପୁର ଏବଂ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ଡ୍ରାଇଭର୍ ସମେତ କାରରେ ଥିବା ଯାତ୍ରୀମାନେ ଚମ୍ପଟ ମାରିଥିଲେ। କୋଟିନଡ଼ା ଥାନା ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି।