କେପଟାଉନ ଟେଷ୍ଟ : ପନ୍ତଙ୍କ ଶତକ, ଭାରତ ୧୯୮ରେ ଅଲଆଉଟ୍
କେପଟାଉନ : କେପଟାଉନଠାରେ ଖେଳାଯାଉଥିବା ୩ୟ ଟେଷ୍ଟରେ ଭାରତ ନିଜର ୨ୟ ଇନିଂସରେ ୧୯୮ରନରେ ଅଲଆଉଟ ହୋଇଯାଇଛି । ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ବିଜୟ ପାଇଁ ୨୧୨ ରନର ଲକ୍ଷ୍ୟ ରହିଛି । ୨ୟ ଇନିଂସରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । କିନ୍ତୁ ଏହି ଇନିଂସର ମୁଖ୍ୟ ଆକର୍ଷଣ ଥିଲା ଋଷଭ ପନ୍ତଙ୍କ ଶତକ । ଏହି ଶତକ ବଳରେ ଭାରତ ନିଜର ୨ୟ ଇନିଂସରେ ଏକ ସମ୍ମାନଜନକ ସ୍କୋର କରିପାରିଥିଲା । ପନ୍ତଙ୍କ ପରେ ଅଧିନାୟକ ବିରାଟ କୋହଲି ୨ୟ ସର୍ବାଧିକ ୨୯ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜାନସେନ ୪ଟି ୱିକେଟ ନେଇଥିବାବେଳେ କାସିଗୋ ରବାଡା ୩ ୱିକେଟ ଓ ଲୁଙ୍ଗି ଏନଗିଡି ୩ଟି ୱିକେଟ ନେଇଥିଲେ । ଏହି ମ୍ୟାଚରେ ଭାରତ ନିଜର ପ୍ରଥମ ଇନିଂସରେ ମାତ୍ର ୨୨୩ ରନରେ ଅଲଆଉଟ୍ ହୋଇଯାଇଥିଲା । ଏହାର ଜବାବରେ ଦକ୍ଷିଣ ଆଫ୍ରିକା ନିଜର ପ୍ରଥମ ଇନିଂସରେ ୨୧୦ ରନ କରି ଅଲଆଉଟ ହୋଇଥିଲା । ଫଳରେ ପ୍ରଥମ ଇନିଂସରେ ଭାରତ ୧୩ ରନରେ ଆଗୁଆ ରହିଥିଲା ।
ପ୍ରଥମ ଇନିଂସରେ ୧୩ ରନର ଅଗ୍ରଣୀ ହାସଲ କରିଥିବା ଭାରତ ଦ୍ୱିତୀୟ ପାଳିରେ ମଧ୍ୟ ନୈରାଶ୍ୟଜନକ ବ୍ୟାଟିଂ କରିଥିଲା । ପ୍ରଥମ ଇନିଂସରେ ୭୯ ରନର ଇନିଂସ୍ ଖେଳିଥିବା କ୍ୟାପଟେନ୍ ବିରାଟ୍ କୋହଲି ଧୀମା ବ୍ୟାଟିଂ କରି ମାତ୍ର ୨୯ ରନରେ ପ୍ୟାଭିଲିୟନ୍ ଫେରିଥିଲେ । ତାଙ୍କୁ ଲୁଙ୍ଗି ଏନଗିଡି ଆଉଟ୍ କରିଥିଲେ । ପୂର୍ବଦିନର ଅପରାଜିତ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା (୯) ଓ ଆଉଟ୍ ଅଫ୍ ଫର୍ମ ଅଜିଙ୍କ୍ୟ ରାହାଣେ (୧) ପୁଣି ଫେଲ୍ ମାରିଥିଲେ । ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ପନ୍ତ ଏକାକୀ ଭାରତ ପାଇଁ ଲଢ଼ିଥିବା ବେଳେ ତାଙ୍କୁ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସହଯୋଗ କରିନଥିଲେ । ପନ୍ତ ୧୩୩ ବଲରେ ନିଜର ଚତୁର୍ଥ ଟେଷ୍ଟ ଶତକ ପୂରଣ କରିଥିଲେ । ଦକ୍ଷିଣ ଆଫ୍ରିକାରେ ଏହା ତାଙ୍କର ପ୍ରଥମ ଶତକ । ଅନ୍ୟମାନଙ୍କ ମଧ୍ୟରେ ରବିଚନ୍ଦ୍ରନ୍ ଅଶ୍ୱିନ୍ (୭), ଶାର୍ଦ୍ଦୁଲ ଠାକୁର (୫), ଉମେଶ ଯାଦବ (୦), ମହମ୍ମଦ ଶାମି (୦), ଯଶପ୍ରୀତ ବୁମ୍ରା (୨) ନିରାଶ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜାନସେନ୍ ୪ଟି ୱିକେଟ୍ ନେଇଥିବା ବେଳେ କାଗିସୋ ରବାଡା ଓ ଏନଗିଡି ୩ଟି ଲେଖାଏ ୱିକେଟ୍ ହାସଲ କରିଥିଲେ ।
ଟେଷ୍ଟ କ୍ୟାରିୟରରେ ପନ୍ତଙ୍କର ଏହା ଚତୁର୍ଥ ଶତକ । ୧୩୯ ବଲ ଖେଳି ଚାପରେ ଥାଇ ମଧ୍ୟ ଅପରାଜିତ ଶତକ ହାସଲ କରିଥିଲେ ପନ୍ତ । ଯେଉଁଥିରେ ୪ଟି ଛକା ଏବଂ ୬ଟି ଚୌକା ମଧ୍ୟ ସାମିଲ ଅଛି । ଦକ୍ଷିଣ ଆଫ୍ରିକା ବୋଲରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲେ ଏହି ବାମହାତୀ ଖେଳାଳି । ଏହି ଅପରାଜିତ ଶତକ ସହ ଋଷଭ ପନ୍ତ ଦକ୍ଷିଣ ଆଫ୍ରିକାରେ ଆଉ ଏକ ରେକର୍ଡ ମଧ୍ୟ ହାସଲ କରିଛନ୍ତି । ଭାରତୀୟ ୱିକେଟ କିପର ଭାବେ ସେ ଧୋନୀଙ୍କୁ ପଛରେ ପକାଇ ସର୍ବାଧିକ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି । ପୂର୍ବରୁ ଭାରତୀୟ ୱିକେଟ କିପର ଭାବେ ଦକ୍ଷିଣ ଆଫ୍ରିକା ମାଟିରେ ଦୀପ୍ ଦାସଗୁପ୍ତା ୬୩ ରନ କରିଥିବା ବେଳେ ମହେନ୍ଦ୍ର ସିଂହ ଧୋନୀ ୯୦ ରନ କରିଥିଲେ । ଏବେ ଏହି ଲିଷ୍ଟରେ ଯୋଡି ହୋଇଛନ୍ତି ଋଷଭ ପନ୍ତ । ଏକମାତ୍ର ୱିକେଟ କିପର ଭାବେ ଶତକ ହାସଲ କରିବା ସହିତ ସର୍ବାଧିକ ସ୍କୋରର ମଧ୍ୟ ହୋଇଯାଇଛନ୍ତି । ପନ୍ତଙ୍କ ଜବରଦସ୍ତ ଇନିଂକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଛି । କିମ୍ବଦନ୍ତୀ କ୍ରିକେଟର ସଚିନ୍ ତେନ୍ଦୁଲକର ଟ୍ୱିଟ୍ କରି ଋଷଭ ପନ୍ତଙ୍କ ଧମାକାଦାର ଇନିଂସକୁ ଖୁବ ପ୍ରଶଂସା କରିଛନ୍ତି । ଦଳ ସଙ୍କଟରେ ଥିବା ସମୟରେ ପନ୍ତ ଯେଉଁଭଳି ଭାବେ ଧୌର୍ଯ୍ୟର ସହ ସ୍କୋର ଆଗକୁ ବଢାଇଥିଲେ ତାହା ବେଶ ଚିତାକର୍ଷକ ବୋଲିଂ ତେନ୍ଦୁଲକର କହିଛନ୍ତି ।