ବୁର୍ଲା ଭିମସାରରେ ହେବ ଦ୍ୱିତୀୟ କୋଭିଡ୍ ହସ୍ପିଟାଲ
ସମ୍ୱଲପୁର : ପଶ୍ଚିମ ଓଡ଼ିଶାରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ। ଏଥିଲାଗି ବୁଧବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସମ୍ବଲପୁର ଯାଇ କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ବୁର୍ଲା ଭିମସାରରେ ଦ୍ୱିତୀୟ କୋଭିଡ୍ ହସ୍ପିଟାଲ ହେବା ନେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।
ବୁଧବାର ସକାଳେ ମୁଖ୍ୟ ଶାସନ ସଚିବ ସମ୍ବଲପୁରରେ ପହଞ୍ଚି ଜିଲ୍ଲା ପ୍ରଶାସନ ସହ କରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ।ବୁର୍ଲା ଭିମସାରରେ ଥିବା କୋଭିଡ ହସ୍ପିଟାଲକୁ ବୁଲି ଦେଖିବା ପରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ ବୁର୍ଲା ଭିମସାରରେ ୩୦୦ ଶଯ୍ୟା ବିଶିଷ୍ଟ ଆଉ ଏକ କୋଭିଡ ହସ୍ପିଟାଲ ୧୦ ଦିନ ମଧ୍ୟରେ ପ୍ରସ୍ତୁତ କରାଯିବ। ଏହି ୩୦୦ ଶଯ୍ୟାରୁ ୨୫୦ଟି ବେଡ଼ରେ ଅମ୍ଳଜାନ ସୁବିଧା ରହିବ। ଆଉ ୫୦ଟି ଆଇସିୟୁ ବେଡ଼ ରହିବ। ବର୍ତ୍ତମାନ ଯେଉଁ କୋଭିଡ ହସ୍ପିଟାଲ ଅଛି ସେଠାରେ ବର୍ତ୍ତମାନ ୨୦ଟି ଆଇସିୟୁ ବେଡ଼ ଥିବାବେଳେ ଆଉ ୩୦ଟି ଆଇସିୟୁ ବେଡ଼ ବୃଦ୍ଧି କରାଯିବ । ସେହିପରି ଏଠାରେ ୧୭୫ଟି ଶଯ୍ୟା ଥିବାବେଳେ ଚେଷ୍ଟା କରାଯାଉଛି ଯେ ବୁର୍ଲା ଭିମସାରରେ ୫୨୫ଟି ବେଡ଼ ରହିବ । ଏହା ବାଦ ପର୍ଯ୍ୟାପ୍ତ ମେଡ଼ିସିନ ଓ ଚିକିତ୍ସା ଉପକରଣ ମହଜୁଦ ଅଛି। ଏହା ସହ ଝାରସୁଗୁଡା ଓ ବରଗଡ଼ ଜିଲ୍ଲାର ମଧ୍ୟ ସମୀକ୍ଷା କରିଛନ୍ତି ଏହି ଟିମ୍ । ତେବେ ଛତିଶଗଡରେ ସଂକ୍ରମଣ ବଢୁଥିବାରୁ ସ୍ଥିତି ଉପରେ ନଜର ରଖାଯାଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ । ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ଡିଏମଇଟି ସିବିକେ ମହାନ୍ତି, ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା, ଝାରସୁଗୁଡା ଜିଲ୍ଲାପାଳ ସରୋଜ ସାମଲ, ବରଗଡ ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନ, ଉତ୍ତରାଂଚଳ ଆଇଜି ନରସିଂହ ଭୋଳ, ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର, ଭୀମସାର ନିର୍ଦ୍ଦେଶ ପ୍ରଫେସର ଲଳିତ ମେହେର, ଅଧକ୍ଷା ଡାକ୍ତର ଜୟଶ୍ରୀ ଦୋରା ପ୍ରମୁଖ ଉପସ୍ଥିତ ଥିଲେ ।