ସ୍ତନ କର୍କଟ ସମ୍ପର୍କିତ ସଚେତନତା କର୍ମଶାଳା
କଟକ : ଭାରତରେ ପ୍ରତି ୪ ମିନିଟ୍ରେ ଜଣେ ସ୍ତନ କର୍କଟ ରୋଗୀ ଚିହ୍ନଟ ହୋଇଥାନ୍ତି । ପ୍ରତି ୨୨ ଜଣ ମହିଳାଙ୍କ ମଧ୍ୟରୁ ଜଣକୁ ଏହି ରୋଗ ହୋଇଥାଏ । ଭାରତରେ ପ୍ରାୟ ୧.୬୫ ଲକ୍ଷ ନୂତନ ପ୍ରକାରର ସ୍ତନ କର୍କଟ ରୋଗୀ ଚିହ୍ନଟ ହୋଇଛନ୍ତି ଯାହାକି ସମସ୍ତ କର୍କଟ ରୋଗର ୧୪ ପ୍ରତିଶତ ଅଟେ । ପ୍ରତି ଶହେ ଜଣ ସ୍ତନ କର୍କଟ ରୋଗୀଙ୍କ ମଧ୍ୟରେ ଜଣେ ପୁରୁଷ ରହିଛନ୍ତି । ପ୍ରାୟତଃ ୪୦ରୁ ୫୦ ବର୍ଷ ବୟସ ମଧ୍ୟରେ ମହିଳାଙ୍କ କ୍ଷେତ୍ରରେ ଏପରି ରୋଗ ପ୍ରକାଶ ପାଇଥାଏ ବୋଲି ସ୍ତନ କର୍କଟ ସମ୍ପର୍କିତ ସଚେତନତା କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଡିକାଲ୍ ଅଙ୍କୋଲୋଜିଷ୍ଟ୍ ଡାକ୍ତର ପ୍ରଶାନ୍ତ କୁମାରର ପରିଡା ସୂଚନା ଦେଇଥିଲେ । ସ୍ୱେଚ୍ଛାସେବୀ ସଂଗଠନ ଶୋଭା ପକ୍ଷରୁ ଆୟୋଜିତ ଏହି ସଚେତନତା କର୍ମଶାଳାରେ ରେଡିଏସନ୍ ଅଙ୍କୋଲୋଜି ଡାକ୍ତର ପ୍ରକାଶ କୁମାର ସ୍ୱାଇଁ ଯୋଗ ଦେଇ କହିଲେ ଯେ ପାଶ୍ଚାତ୍ୟ ଦେଶମାନଙ୍କରେ ୮୦ରୁ ୯୦ ଶତକଡା ରୋଗୀ ପ୍ରାଥମିକ ଅବସ୍ଥାରୁ ଚିହ୍ନଟ ହୋଇଥାନ୍ତି । କର୍ମ ବୟସରେ ଋତୁସ୍ରାବ ଆରମ୍ଭ ହୋଇ ଅଧିକ ବର୍ଷଧରି ଚାଲୁରହିବା ସନ୍ତାନହୀନତା, ବିଳମ୍ବରେ ଗର୍ଭଧାରଣ, ଶିଶୁକୁ ସ୍ତନ୍ୟପାନ ନ କରାଇବା, ମେଦ ବହୁଳତା, କମ୍ ଶାରିରକ ପରିଶ୍ରମ, ଚର୍ବିଜାତୀୟ ଖାଦ୍ୟ ଖାଇବା ଆଦି ବିଭିନ୍ନ କାରଣରୁ ଏପରି ରୋଗ ହୋଇଥାଏ । ଆମ ଦେଶରେ ବିଭିନ୍ନ କାରଣରୁ ଏବଂ ସଚେତନତାର ଅଭାବ ତଥା ଉପଯୁକ୍ତ ସମୟରେ ଚିକିତ୍ସା ଆରମ୍ଭ ନ କରିବା କାରଣରୁ ଏହି ରୋଗୀଙ୍କ ସଂଖ୍ୟା ଭାରତରେ ବୃଦ୍ଧିପାଇଛି । ୫ରୁ ୧୦ ପ୍ରତିଶତ ସ୍ତନ କର୍କଟ ରୋଗ ବଂଶାନୁଗତିକ କାରଣରୁ ହୋଇଥିବାବେଳେ ରୋଗ ଶିଘ୍ର ଚିହ୍ନଟ ହେବା ପରେ ସଠିକ୍ ଚିକିତ୍ସା କରାଗଲେ ରୋଗୀଟି ସମ୍ପୂର୍ଣ୍ଣ ଆରୋଗ୍ୟଲାଭ କରିଥାଏ । ଏଣୁ ଆମ ଦେଶରେ ପ୍ରତିବର୍ଷ ଅକ୍ଟୋବର ମାସରେ କର୍କଟ ରୋଗ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଲୋକମାନଙ୍କୁ ଏ ସମ୍ପର୍କରେ ସଚେତନତା କରାଯାଉଛି ବୋଲି ଡାକ୍ତର ନିତୀଶ୍ ଆଚାର୍ଯ୍ୟ କହିଥିଲେ । ଏହି ଅବସରରେ ସ୍ତନ କର୍କଟରୁ ଆରୋଗ୍ୟଲାଭ କରିଥିବା ମହିଳା ତାଙ୍କର ଅନୁଭୁତି ପ୍ରକାଶ କରିଥିଲେ ।