ବର୍ଡର-ଗାଭାସ୍କର ଟ୍ରଫିର ଦ୍ଵିତୀୟ ଟେଷ୍ଟ : ଅଷ୍ଟ୍ରେଲିଆକୁ ୬ ଓ୍ବିକେଟରେ ହରାଇ ୨-୦ରେ ଅଗ୍ରଣୀ ଭାରତ
ନୂଆଦିଲ୍ଲୀ : ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମେ ନାଗପୁର ଓ ପରେ ଦିଲ୍ଲୀ ଟେଷ୍ଟକୁ ମଧ୍ୟ ଅଢେଇ ଦିନରେ ଜିତିଛି ଟିମ୍ ଇଣ୍ଡିଆ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟର ତୃତୀୟ ଦିନରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇ ଭାରତ ସିରିଜରେ ୨-୦ରେ ଅପରାଜେୟ ଅଗ୍ରଣୀ ହାସଲ କରିଛି। ଏଥିସହ ଭାରତ ବର୍ଡର-ଗାଭାସ୍କର ଟ୍ରଫି ବଜାୟ ରଖିଛି । କ୍ରମାଗତ ଚତୁର୍ଥ ଥର ପାଇଁ ଭାରତର ବର୍ଡର-ଗାଭାସ୍କର ଟ୍ରଫି ଜିତିଛି ।
ଭାରତର ଏହି ବିଜୟର ହିରୋ ଥିଲେ ରବିନ୍ଦ୍ର ଜାଡେଜା । ସେ ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସରେ ୪୨ ରନ୍ ଦେଇ ୭ ୱିକେଟ୍ ନେଇଥିଲେ। ଫଳରେ କଙ୍ଗାରୁ ଦଳ ଦ୍ବିତୀୟ ଇନିଂସରେ ମାତ୍ର ୧୧୩ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଅଷ୍ଟ୍ରେଲିଆ ମାତ୍ର ୫୨ ରନରେ ଶେଷ ୯ ଓ୍ବିକେଟ୍ ହରାଇଥିଲା । ପ୍ରଥମ ଇନିଂସରେ ଭ୍ରମଣକାରୀ ଦଳ ୧ ରନରେ ଅଗ୍ରଣୀ ହାସଲ କରିଥିବାରୁ ଭାରତ ଆଗରେ ୧୧୫ ରନର ରନ୍ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ଏହାକୁ ଭାରତ ଲଞ୍ଚ୍ ବିରତି ପରେ ୪ ୱିକେଟ୍ ହରାଇ ହାସଲ କରିନେଇଥିଲା | ଦଳ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ୩୧ ରନ୍, ବିରାଟ କୋହଲି ୨୦ ରନ ଓ ରାହୁଲ ୧ ରନ୍ କରି ଆଉଟ୍ ହୋଇଥିଲେ । ଚେତେଶ୍ୱର ପୂଜାରା ୩୧ ଓ କୋନା ଭାରତ ୨୩ ରନ୍ କରି ଅପରାଜିତ ରହି ଔପଚାରିକତା ପୂରଣ କରିଥିଲେ । ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୨୬୩ ରନ୍ ଜବାବରେ ଭାରତ ୨୬୨ କରିଥିଲା। ନାଗପୁରରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଭାରତ ଏକ ଇନିଂସ୍ ଓ ୧୩୨ ରନରେ ଜିତିଥିଲା।
2ND Test. India Won by 6 Wicket(s) https://t.co/hQpFkyZGW8 #INDvAUS @mastercardindia
— BCCI (@BCCI) February 19, 2023
ଟସ୍ ଜିତି ପ୍ରଥମ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ଟିମ୍ ପ୍ରଥମ ଇନିଂସରେ ୨୬୩ରନ୍ରେ ଅଲ୍ଆଉଟ୍ ହୋଇଥିଲା। ଏହାପରେ ବ୍ୟାଟିଂ କରୁବାକୁ ପଡିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ୨୬୨ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା । ଅଷ୍ଟ୍ରେଲିଆ ବୋଲର ନାଥନ ଲାୟନଙ୍କ ସ୍ପିନ୍ ଆଗରେ ମୁଣ୍ଡ ନୁଆଁଇଥିଲେ ଟିମ୍ ଇଣ୍ଡିଆ ବ୍ୟାଟର । ୨ୟ ଇନିଂସରେ ବ୍ୟାଟିଂ ଆରମ୍ଭ କରିଥିଲେ କଙ୍ଗାରୁ ବ୍ୟାଟର । ହେଲେ ଭାରତୀୟ ସ୍ପିନରଙ୍କ ଆଗରେ ଅଧିକ ସମୟ ତିଷ୍ଠି ପାରିନଥିଲେ ଭ୍ରମଣକାରୀ ଦଳ । ରବିଚନ୍ଦ୍ରନ ଅଶ୍ୱିନୀ ଏବଂ ରବିନ୍ଦ୍ର ଜାଡେଜାଙ୍କ ବୋଲିଂ ଭାଙ୍ଗି ଦେଇଥିଲା ଅଷ୍ଟ୍ରେଲିଆର ମେରୁଦଣ୍ଡ । ୨ୟ ଇନିଂସରେ ରବିନ୍ଦ୍ର ଜାଡେଜା ୭ଟି ଓ୍ୱିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନୀ ୩ଟି ଓ୍ୱିକେଟ୍ ନେଇଛନ୍ତି । ଏହି ଦୁଇ ଜଣଙ୍କୁ ଛାଡି ଅନ୍ୟ କୌଣସି ବୋଲର ୨ୟ ଇନିଂସରେ ଓ୍ୱିକେଟ୍ ନେଇପାରିନଥିଲେ । ଏହି ସ୍ପିନର ପୋଛି ନେଇଥିଲେ କଙ୍ଗାରୁ ଓ୍ୱିକେଟ୍ । ତେବେ ୧୧୫ ରନ୍ର ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ଆରମ୍ଭରୁ ଲାଗିଥିଲା ଟିମ୍ ଇଣ୍ଡିଆକୁ ପ୍ରାରମ୍ଭିକ ଝଟ୍କା । ଓପନର କେଏଲ୍ ରାହୁଲ ମାତ୍ର ୧ ରନ୍ କରି ପାଭିଲିୟନ୍ ଫେରିଥିଲେ । ପରେ ଅଧିନାୟକ ରୋହିତ ଶର୍ମା ଏବଂ ଅଭିଜ୍ଞ ଚେତେଶ୍ୱର ପୂଜାରା ଏବେ କ୍ରିଜ୍ରେ ରକ୍ଷାଣତ୍ମକ ସଟ୍ ଖେଳିଥିଲେ । ଶେଷରେ ଦଳ ୨ୟ ଇନିଂସରେ ୨୬ ଓଭର ଖେଳି ୪ଟି ଓ୍ୱିକେଟ୍ ହରାଇ ଟାର୍ଗେଟ ପୂରଣ କରିଛି । ୨ୟ ଇନିଂସରେ ଅଷ୍ଟ୍ରେଲିଆ ପକ୍ଷରୁ ନାଥନ ଲାୟନ୍ ୨ଟି ଓ୍ୱିକେଟ୍ ନେଇଥିବା ବେଳେ ଟୋଡ ମୁର୍ଫି ଗୋଟିଏ ଓ୍ୱିକେଟ ନେଇଛନ୍ତି ।
ସୂଚନା ଯେ, ବର୍ଡର-ଗାଭାସ୍କର ଟ୍ରଫିରେ ମୋଟ ୪ଟି ଟେଷ୍ଟ ମ୍ୟାଚ୍ ରହିଥିଲା । ହେଲେ ପ୍ରଥମ ୨ଟି ଟେଷ୍ଟ ମ୍ୟାଚ୍କୁ ନିଜ ନାମରେ କରିବାରେ ସଫଳ ହୋଇଛି ଟିମ୍ ଇଣ୍ଡିଆ । ପ୍ରଥମେ ନାଗପୁର, ଆଉ ଏବେ ଦିଲ୍ଲୀ ଟେଷ୍ଟରେ କଙ୍ଗାରୁ ବାହିନୀକୁ ଚିଟ୍ପଟାଙ୍ଗ କରିଛି ରୋହିତ ବାହିନୀ ।