ଏଥର ମିଛ ନୁହେଁ ! କ୍ରିକେଟ୍ର ସମସ୍ତ ଫର୍ମାଟ୍ରେ ଏକ ନମ୍ବର ଭାରତ
ନୂଆଦିଲ୍ଲୀ : ଏଥର ମିଛ ନୁହେଁ । ସତ ଘଟଣା । ଅନ୍ତର୍ଜାତୀୟ କ୍ରିକେଟ୍ରେ ଜଲଓ୍ଵା ଦେଖାଇବା ସହ ଇତିହାସ ରଚିଲା ଭାରତ । କ୍ରିକେଟ୍ର ସମସ୍ତ ତିନି ଫର୍ମାଟ୍ରେ ଏକ ନମ୍ବର ଦଳର ମାନ୍ୟତା ହାସଲ । ଏମିତି ସଫଳତା ହାସଲ କରିବାରେ ବିଶ୍ଵ କ୍ରିକେଟ୍ରେ ଦ୍ଵିତୀୟ ଦଳ ଭାରତ। କିଛି ସମୟ ପାଇଁ ଏହି ଉପଲବ୍ଧି ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳ ନାମରେ ଥିଲା।
ଟି-୨୦ ଏବଂ ଦିନିକିଆ ପରେ ଏବେ ଟେଷ୍ଟ କ୍ରିକେଟ୍ରେ ବି ଭାରତ ଆଇସିସି ମାନ୍ୟତାରେ ଶୀର୍ଷରେ ପହଞ୍ଚିଛି।ଭାରତ ଦୁନିଆରେ ଏମିତି ଦ୍ଵିତୀୟ ଦଳ ଯିଏ ଗୋଟିଏ ସମୟରେ ଅନ୍ତର୍ଜାତୀୟ କ୍ରିକେଟ୍ର ତିନୋଟି ଫର୍ମାଟ୍ରେ ଏକ ନମ୍ବର ସ୍ଥାନରେ ରହିଛି। ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ଜିତି ଏହି ଉପଲବ୍ଧି ନିଜ ନାମରେ କରିଛି। ବର୍ଡର-ଗାଭାସ୍କର ଶୃଙ୍ଖଳା ପୂର୍ବରୁ ଭାରତ ଦ୍ଵିତୀୟ ସ୍ଥାନରେ ଥିଲା, ମାତ୍ର ଏବେ କଙ୍ଗାରୁକୁ ଦୁଇଟି ଟେଷ୍ଟରେ ହରାଇବା ପରେ ପ୍ରଥମ ସ୍ଥାନକୁ ଉଠିଛି ଟିମ୍ ଇଣ୍ଡିଆ।
ଆଇସିସି ଟେଷ୍ଟ ମାନ୍ୟତାରେ ଶୀର୍ଷରେ ପହଞ୍ଚିଥିବା ଭାରତୀୟ ଦଳ ଖାତାରେ ୧୨୧ ରେଟିଂ ପଏଣ୍ଟ ର ରହିଛି। ଅନ୍ୟପଟେ ଦ୍ଵିତୀୟ ସ୍ଥାନକୁ ଖସିଥିବା ଅଷ୍ଟ୍ରେଲିଆ ଖାତାରେ ରହିଛି ୧୨୦ ପଏଣ୍ଟ। ଚଳିତ ଶୃଙ୍ଖଳା ପୂର୍ବରୁ ୧୨୬ ପଏଣ୍ଟ ସହ ଶୀର୍ଷରେ ଥିଲା ଅଷ୍ଟ୍ରେଲିଆ। ଆଉ ଭାରତ ଖାତାରେ ଥିଲା ୧୧୫ ପଏଣ୍ଟ। ତେବେ ଚଳିତ ଶୃଙ୍ଖଳାରେ ଭାରତ କ୍ରମାଗତ ଦୁଇଟି ମ୍ୟାଚ୍ ଜିତିବା ପରେ ସବୁ ଓଲଟ ପାଲଟ ହୋଇ ଯାଇଛି। ସେହିପରି ୧୦୭ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି ଇଂଲଣ୍ଡ। ତେବେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଅର୍ଥାତ ଆଇସିସି ପକ୍ଷରୁ ଆନୁଷ୍ଠାନିକ ଭାବେ ଟେଷ୍ଟ ମାନ୍ୟତା ଜାରି ହୋଇ ନାହିଁ। ମାତ୍ର ଆଇସିସି ମାନ୍ୟତାର ପ୍ରେଡିକ୍ଟରଙ୍କ ଅନୁସାରେ ଭାରତୀୟ ଦଳ ଶୀର୍ଷରେ ପହଞ୍ଚିଛି। ପ୍ରତ୍ୟେକ ଟେଷ୍ଟ ଶୃଙ୍ଖଳା ପରେ ଆଇସିସି ନିଜର ସଦ୍ୟତମ ମାନ୍ୟତା ଜାରି କରିଥାଏ। ମାତ୍ର ଏବେ କୌଣସି ଟେଷ୍ଟ ଶୃଙ୍ଖଳା ସମାପ୍ତ ହୋଇ ନାହିଁ। ଭାରତ ଏବଂ ଅଷ୍ଟ୍ରେଲିଆ ସହ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟର ଟେଷ୍ଟ ଶୃଙ୍ଖଳା ଜାରି ରହିଛି।