ଆଜିଠୁ ବର୍ଡ଼ର-ଗାଭାସ୍କର ଟ୍ରଫି: ରୋହିତଙ୍କ ପାଇଁ ବଡ଼ ପରୀକ୍ଷା
![](https://thetruths.in/wp-content/uploads/2023/02/Border-Gavaskar-Trophy-1024x836.jpg)
ନୂଆଦିଲ୍ଲୀ : ଦୀର୍ଘ ୨୭ ବର୍ଷର ବର୍ଡର-ଗାଭାସ୍କର ଟ୍ରଫିର ଇତିହାସ ଓ ରେକର୍ଡ ପୃଷ୍ଠା ବହୁ ଲମ୍ବା । ବିଜୟ ରେକର୍ଡକୁ ଯଦି ବିଚାରକୁ ନିଆଯାଏ ତେବେ ଭାରତ ବହୁ ଆଗରେ ରହିଛି । ୨୦୧୬- ୧୭ରୁ ଭାରତ କ୍ରମାନ୍ୱୟରେ ଟ୍ରଫି ଜିତି ଚାଲିଛି । ଥରେ ନିଜ ଘରୋଇ ଗ୍ରାଉଣ୍ଡ ଏବଂ ୨ ଥର ଅଷ୍ଟ୍ରେଲିଆ ମାଟିରେ ବିଜୟର ପତାକା ଉଡ଼ାଇଛି । ତେଣୁ ସେହିଦୃଷ୍ଟିରୁ ଏଥର ପୁଣି ଘରୋଇ ମାଟିରେ ଭାରତ ଟ୍ରଫି ଦାବିଦାର ରହିଛି । ସବୁଠୁ ବଡ଼ କଥା ହେଉଛି, ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ଏହି ସିରିଜ ଏକ ବଡ଼ ପରୀକ୍ଷା ।
କାରଣ ସେ ଗତ ବର୍ଷ ଠାରୁ ଟେଷ୍ଟ ଅଧିନାୟକ ହେବା ପରଠୁ ମାତ୍ର ୨ଟି ଟେଷ୍ଟ ଖେଳିଛନ୍ତି । ତେଣୁ ବର୍ଡର-ଗାଭାସ୍କର ଟ୍ରଫି ତାଙ୍କ ଟେଷ୍ଟ ନେତୃତ୍ୱ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ । ଦିନିକିଆ ଓ ଟି-ଟ୍ୱେଂଟି ଭଳି ସେ ଟେଷ୍ଟରେ ମଧ୍ୟ ଦଳକୁ ଦୃଢ଼ ନେତୃତ୍ୱ ଦେବାରେ ସଫଳ ହେବେ ବୋଲି ପ୍ରଶଂସକ ଆଶା ବାନ୍ଧି ରହିଛନ୍ତି । ୨୦୨୨, ଫେବ୍ରୁଆରୀ ମାସରେ ରୋହିତ ସବୁ ଫର୍ମାଟରେ ଅଧିନାୟକ ହୋଇଥିଲେ । ସେବେଠୁ ଏ ପର୍ଯ୍ୟନ୍ତ ଭାରତ ୧୦ଟି ଟେଷ୍ଟ ଖେଳିଛି । କିନ୍ତୁ ଆହତ ସମସ୍ୟା ଯୋଗୁ ସେ ମାତ୍ର ୨ଟି ଟେଷ୍ଟ ଖେଳିଥିଲେ । ଗତ ମାର୍ଚ୍ଚ ମାସରେ ବେଙ୍ଗାଲୁରୁରେ ଶ୍ରୀଲଙ୍କା ବିପକ୍ଷରେ ସେ ଶେଷ ମ୍ୟାଚ୍ ଖେଳିଥିଲେ । ପାଖାପାଖି ଗୋଟିଏ ବର୍ଷ ପରେ ସେ ଟେଷ୍ଟକୁ ପ୍ରତ୍ୟାବର୍ତନ କରୁଛନ୍ତି । ଦିନିକିଆ ଓ ଟି-ଟ୍ୱେଂଟି ଭଳି ରୋହିତ ଟେଷ୍ଟରେ ବି ସଫଳ ହେବେ । ଏଥିରେ ସନ୍ଦେହ ନାହିଁ । ତଥାପି ଏକ ବଡ଼ ସିରିଜରେ ଚାପରେ ରହିବା ସ୍ୱାଭାବିକ । ବିରାଟ କୋହଲି ଫର୍ମକୁ ଫେରିଛନ୍ତି । ଯୁବ ତାରକା ଶୁଭମନ ଗିଲ ମଧ୍ୟ କଡ଼ା ଫର୍ମରେ ଅଛନ୍ତି । ଦୀର୍ଘ ଦିନ ପରେ ନିଜେ ହିଟ୍ମ୍ୟାନ ନ୍ୟୁଜିଲାଣ୍ଡ ବିପକ୍ଷରେ ଶତକ ହାସଲ କରି ଦଳର ଶକ୍ତିକୁ ବୃଦ୍ଧି କରିଛନ୍ତି । ସେମିତି ଆର.ଅଶ୍ୱିନଙ୍କ ସହ ଘରୋଇ ବୋଲିଂ ବାହିନୀକୁ ନେଇ ଚିନ୍ତା ପ୍ରକଟ କରିବାର କିଛି କାରଣ ନାହିଁ । ନାଗପୁରରୁ ଆରମ୍ଭ ହୋଇ ସିରିଜ ଅହମ୍ମଦାବାଦରେ ଶେଷ ହେବ ।
ଆଗାମୀ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ପାଇଁ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଦଳ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ବେଙ୍ଗାଲୁରୁ ସ୍ଥିତି ଆଲୁର ଠାରେ ଗତ ୩ ଦିନ ହେଲା ଅଭ୍ୟାସ କରିଥିବା ଅଷ୍ଟ୍ରେଲିଆ ଦଳ ଶନିବାର ନାଗପୁରରେ ପହଂଚିଛି । ଆଜିଠୁ ବିଦର୍ଭ କ୍ରିକେଟ୍ ଆସୋସସିଏସନ୍ ଗ୍ରାଉଣ୍ଡ୍ରେ ଦଳ ୪ଦିନିଆ ଅଭ୍ୟାସ ଶିବିର ଆରମ୍ଭ କରିବ । ଭାରତୀୟ ଦଳ ପୁରୁଣା ଗ୍ରାଉଣ୍ଡ୍ରେ ଅଭ୍ୟାସ ଜାରି ରଖିଛି । ଦ୍ୱିତୀୟ ଅଭ୍ୟାସ ଦିବସରେ ଭାରତୀୟ ବ୍ୟାଟରମାନେ ସୁଇପ୍ ସଟ୍ ଉପରେ ପ୍ରାଥମିକତା ଦେଇଛନ୍ତି । ଭାରତୀୟ ପିଚ୍ ସ୍ପିନରଙ୍କୁ ସହାୟତା କରିବା ନିଶ୍ଚିତ । ଅଷ୍ଟ୍ରେଲିଆ ଦଳ ୪ଜଣ ସ୍ପିନରଙ୍କୁ ନେଇ ଭାରତ ଆସିଛି । ଅନ୍ୟ ପଟରେ ମାର୍ନସ ଲାବୁସାନ, ଟ୍ରେଭିସ ହେଡଙ୍କ ଭଳି ବ୍ୟାଟରମାନେ ମଧ୍ୟ ସ୍ପିନ ବୋଲିଂ କରିବାରେ ସିଦ୍ଧହସ୍ତ । ତେଣୁ ଭାରତୀୟ ଦଳ ସେମାନଙ୍କ ବିପକ୍ଷରେ ଦ୍ରୁତ ରନ୍ ସଂଗ୍ରହ କରିବାକୁ ଯୋଜନା ପ୍ରସ୍ତୁତ କରୁଛି ।