ଶ୍ରୀମନ୍ଦିରରେ ଜେପି ନଡ୍ଡା, ଉତ୍ତରୀୟ ଦେଇ ସ୍ବାଗତ କଲେ ସେବାୟତ
![](https://thetruths.in/wp-content/uploads/2022/09/Bjp-National-President-JP-Nadda-in-Srimandir.jpg)
ପୁରୀ : ମହାପ୍ରଭୁଙ୍କୁ ଦର୍ଶନ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଗତ ଗୁରୁବାର ପୁରୀ ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଶୁକ୍ରବାର ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଏହି ସମୟରେ ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ବହୁ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ଥିଲେ ।
ସିଂହଦ୍ଵାର ସମ୍ମୁଖରେ ବିଜେପି ପାର୍ଟି ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ସେହିପରି ଶ୍ରୀମନ୍ଦିରରେ ସେବାୟତ ନଡ୍ଡାକୁ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ । ପରେ କଡା ସୁରକ୍ଷା ବଳୟ ମଧ୍ୟରେ ସେ ଶ୍ରୀମନ୍ଦିରକୁ ଯାଇ କୈଳିକ ପଣ୍ଡାଙ୍କ ମାଧ୍ୟମରେ ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ । ଶ୍ରୀମନ୍ଦିରରେ ବିମଳା, ମହାଲକ୍ଷ୍ମୀଙ୍କ ମନ୍ଦିର ସହ ଅନ୍ୟାନ୍ୟ ବେଢ଼ା ମନ୍ଦିର ଦର୍ଶନ କରିବା ସହ ପ୍ରାୟ ୪୦ ମିନିଟ ବିତାଇଥିଲେ ।
![](https://thetruths.in/wp-content/uploads/2022/09/Bjp-National-President-JP-Nadda-in-Srimandir-1.png)
![](https://thetruths.in/wp-content/uploads/2022/09/Bjp-National-President-JP-Nadda-in-Srimandir.png)
ପ୍ରକାଶ ଥାଉ କି, ଗତକାଲିଠୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ନଡ୍ଡା । ବିମାନବନ୍ଦରରେ ପହଞ୍ଚିବା ପରେ ଏକ ବିଶାଳ ବାଇକ ରାଲିଲେ ତାଙ୍କୁ ପାଛୋଟି ନେଇଥିଲେ ଦଳୀୟ କର୍ମୀ । ଏହା ପରେ ଭୁବନେଶ୍ବର ଜନତା ମଇଦାନରେ ଶକ୍ତିକେନ୍ଦ୍ର କର୍ମକର୍ତ୍ତା ସମ୍ମିଳନୀରେ ଯୋଗ ଦେଇଥିଲେ । ସେଠାରେ ୨୦୨୪ ପାଇଁ ପ୍ରସ୍ତୁତ ରହିବାକୁ କର୍ମୀଙ୍କୁ ଆହ୍ବାନ ଦେଇଥିଲେ । କାର୍ଯ୍ୟକ୍ରମ ସରିବା ପରେ ସେଠାରୁ ସେ ପୁରୀ ଅଭିମୁଖେ ବାହାରିଥିଲେ । ଅଠରନଳାରେ ତାଙ୍କୁ ବିଜେପି ନେତା ଓ କର୍ମୀ ବିପୁଳ ସ୍ୱାଗତ କରିଥିଲେ ।