ବଲାଙ୍ଗିର ପୌର ପରିଷଦରେ ବାଜି ମାରିନେଲା ବିଜେଡ଼ି
ସଇଁନ୍ତଲା : ବଲାଙ୍ଗିର ଜିଲାରେ ରାଜା ପରିବାର ଦମ ଦେଖାଇ ଥିବା ବେଳେ ଟିଟିଲାଗଡ଼ର ନିଜ ସହରରେ ପୌର ପରିଷଦ ପଦବୀ ହାତେଇବା ପାଇଁ ମନ୍ତ୍ରୀ ଟୁକୁନି ସାହୁ ତାଙ୍କର ସମର୍ଥକଙ୍କ ପାଇଁ ଚେଷ୍ଟା କରିଥିବା ବେଳେ ତାହା ଫେଲ ମାରିଛି। ଯାହାକୁ ନେଇ ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ବଲାଙ୍ଗିର ପୌର ପରିଷଦରେ ବାଜି ମାରିନେଲା ବିଜେଡ଼ି। ବିଜେଡ଼ି ଅଧ୍ୟକ୍ଷା ପ୍ରାର୍ଥିନୀ ଲିକା ସାହୁ କଂଗ୍ରେସ ପ୍ରାର୍ଥିନୀ ମିଲନୀ ସାହୁଙ୍କୁ ୧୪ ହଜାର ୪୩୨ ଭୋଟରେ ପଛରେ ପକାଇ ବିଜୟୀ ହୋଇଛନ୍ତି। କଂଗ୍ରେସ ଅଧ୍ୟକ୍ଷା ପ୍ରାର୍ଥିନୀ ସମୁଦାୟ ୧୧ ହଜାର ୬୫୯ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ବିଜେପି ପ୍ରାର୍ଥିନୀ ସବିତା ବାର୍ଲା ୭ ହଜାର ୧୧୬ ଖଣ୍ଡ ଭୋଟ୍ ପାଇଛନ୍ତି। ବିଜୟୀ ପ୍ରାର୍ଥିନୀ ଲିକା ସାହୁ ସମୁଦାୟ ୨୬ ହଜାର ୯୧ ଖଣ୍ଡ ଭୋଟ ପାଇ ଜୟଯୁକ୍ତ ହୋଇଛନ୍ତି।
ବିଜେଡ଼ି ଶିବିରରେ ଏବେ ଉତ୍ସାହର ମାହୋଲ୍ ଦେଖିବାକୁ ମିଳିଛି। ସ୍ଥାନେ ସ୍ଥାନେ ବିଜେଡ଼ି ପକ୍ଷରୁ ପ୍ରସେସନ୍ ଚାଲିଥିବା ବେଳେ କଂଗ୍ରେସକୁ ପୁଣି ହତାଶ ହେବାକୁ ପଡ଼ିଛି।ସେହିପରି ବଲାଙ୍ଗିର ଜିଲ୍ଲାରେ ଏକମାତ୍ର ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ଟୁକୁନି ସାହୁ ନିଜ ନିର୍ବାଚନମଣ୍ଡଳୀ ଟିଟିଲାଗଡ଼ ପୌର ପରିଷଦର ଅଧ୍ୟକ୍ଷ ପଦରେ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବାରେ ସକ୍ଷମ ହୋଇପାରିନାହାନ୍ତି। ବଲାଙ୍ଗିର ଜିଲାର ବିଜେଡି ପର୍ଯ୍ୟବେକ୍ଷକ ଭାବେ ମନ୍ତ୍ରୀ ସୁଶାନ୍ତ ସିଂ କାର୍ଯ୍ୟ କରୁଥିବାବେଳେ ତାଙ୍କର ଘନିଷ୍ଠ ଭାବେ ଟୁକୁନି ଜଣାଶୁଣା। ଜିଲ୍ଲାର ୫ଟି ପୌରାଂଚଳର ଅଧ୍ୟକ୍ଷ ପଦବୀ ଚୟନରେ ସେ ନିଜର ପତିଆରା ଦେଖାଇଥିଲେ। କିନ୍ତୁ ପରିସ୍ଥିତି ଏପରି ହେଲା ଯେ, ବିଜେଡି ହାତରୁ କଣ୍ଟାବାଞ୍ଜି ଓ ଟିଟିଲାଗଡ଼ ପୌର ପରିଷଦକୁ ବିରୋଧୀ ଦଳ ଛଡ଼ାଇ ନେଲେ। ଟୁକୁନି ନିଜର ଜଣେ ଖାସ୍ ଅନୁଗତ ମହିଳାଙ୍କୁ ଟିଟିଲାଗଡ଼ ପୌର ପରିଷଦ ଅଧ୍ୟକ୍ଷ ପାଇଁ ପ୍ରାର୍ଥୀ କରିଥିଲେ ମଧ୍ୟ ବିଜେପିର ମମତା ଦେବୀ ଜୈନ ୩୭୪୩ଖଣ୍ଡ ଭୋଟରେ ଟୁକୁନିଙ୍କ ସମର୍ଥିତ ବିଜେଡି ପ୍ରାର୍ଥୀଙ୍କୁ ପରାଜିତ କରିଛନ୍ତି। ବିଜେଡି ସହ ବିରୋଧୀ ଦଳର ସଲାସୁତରା ଯୋଗୁ ବଲାଙ୍ଗିର ପୌର ପରିଷଦ ଆସନଟି ବିଜେଡି ହାତକୁ ଯାଇଥିବା ଚର୍ଚ୍ଚା ହେଉଛି।