ସମୃଦ୍ଧ ଓଡ଼ିଶାର ସ୍ୱପ୍ନଦ୍ରଷ୍ଟା ବିଜୁ ପଟ୍ଟନାୟକ
ଓଡିଶା ରାଜ୍ୟକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବାକୁ ବିଜୁବାବୁ ହିଁ ସ୍ୱପ୍ନ ଦେଖିଥିଲେ । ସେହି ଆଧୁନିକ ଓଡିଶାର ନିର୍ମାତା, ପ୍ରବାଦ ପୁରୁଷ, ସ୍ୱପ୍ନର ସମ୍ରାଟ ବିଜୟାନନ୍ଦ ପଟ୍ଟନାୟକଙ୍କ ଜନ୍ମ ହେଉଛି ୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ କଟକ ସହରରେ । ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ମାତା ଆଶାଦେବୀଙ୍କ ସୁଯୋଗ୍ୟ ତଥା ତୃତୀୟ ସନ୍ତାନ ଥିଲେ ବିଜୁ । ବାଲ୍ୟକାଳୁ ତାଙ୍କଠାରେ ଥିବା ବହୁମୂଖୀ ପ୍ରତିଭାର ସ୍ଫୁରଣ ହୋଇଥିôଲା । ଜୀବନରେ ବଡ ହେବାର ଲକ୍ଷ୍ୟ ଓ ଅଭିଳାଷ ଛାତ୍ରାବସ୍ଥାରୁ ପରିପ୍ରକାଶ ହୋଇଥିଲା ।
କଟକସ୍ଥିତ ମିଶନ ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷାରମ୍ଭ କରି ପରେ ରେଭେନ୍ସା କଲିଜିଏଟ୍ ସ୍କୁଲରେ ଅଧ୍ୟୟନ କଲେ । ୧୯୩୨ ମସିହାରେ ପାଟଣା ବିଶ୍ୱବିଦ୍ୟାଳୟ ଅଧିନରେ ପ୍ରବେଶିକା ପରୀକ୍ଷା ଦେଇ ପ୍ରଥମ ଶ୍ରେଣୀରେ କୃତୀତ୍ୱର ସହ ଉତୀର୍ଣ୍ଣ ହେଲେ । ରେଭେନ୍ସା କଲେଜରେ ଆଇ,ଏସ୍.ସି ପଢୁଥିବାବେଳେ କଟକରୁ ପେଶାୱାର ପର୍ଯ୍ୟନ୍ତ ସାଇକେଲ ଯୋଗେ ଦୁଃସାହାସିକ ଯାତ୍ରା କରି ସମସ୍ତଙ୍କୁ ଚମତ୍କୃତ କରି ଦେଇଥିଲେ । ବି.ଏସ୍.ସି ପଢୁଥିବାବେଳେ ଜଣେ ବୈମାନିକ ହେବା ପାଇଁ ଇଛା ପ୍ରକାଶ କରିଥିଲେ ଏବଂ ପରେ ଟ୍ରେନିଂରେ ଯୋଗ ଦେଇ ୧୯୩୬ ମସିହାରେ ଇଣ୍ଡିଆନ୍ ନ୍ୟାସନ୍ୟାଲ ଏୟାରଲାଇନ୍ସରେ ପାଇଲଟ୍ ରୂପେ ଯୋଗ ଦେଇଥିଲେ । ଜଣେ ସଫଳ ପାଇଲଟ୍ ହୋଇ ଓଡିଶାର ସୁନାମକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠା କରାଇଥିଲେ । ଓଡିଶା ଓ ଭାରତବର୍ଷର ବହୁ ତୁଙ୍ଗନେତାଙ୍କ ସଂସ୍ପର୍ଶରେ ସେ ନିଜ ଛାତ୍ରାବସ୍ଥାରେ ଆସିବା କମ୍ ଗୈାରବର କଥା ନୁହେଁ ।
୧୯୨୬ ମସିହାରେ ମହାତ୍ମାଗାନ୍ଧୀ କଟକର ସ୍ୱରାଜ ଆଶ୍ରମକୁ ଆଗମନ କରିଥିଲେ । ସେତେବେଳେ ବିଜୁବାବୁଙ୍କ ବୟସ ମାତ୍ର ୧୦ବର୍ଷ । ପ୍ରବଳ ଜନଗହଳିକୁ ଭୃକ୍ଷେପ ନ କରି ଗାନ୍ଧୀଙ୍କ ସହିତ କରମର୍ଦ୍ଦନ କରିଥିଲେ । ଏଥିପାଇଁ ଗୋରା ପୋଲିସ ଏସ୍.ପି ହାରଗ୍ରୀଭ୍ ସାହେବଙ୍କଠାରୁ ଲାଠିମାଡ ଖାଇବାକୁ ପଡିଥିଲା । ଏହି ଅବସରରେ ଗାନ୍ଧିଜୀ ବିଜୁବାବୁଙ୍କୁ ଆର୍ଶୀବାଦ କରି ଭବିଷ୍ୟତରେ ଜଣେ ବଡ ମଣିଷ ହେବ ବୋଲି କହିଥିଲେ । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ବାଲ୍ୟକାଳୁ ତାଙ୍କଠାରେ ମହାନ୍ ଜନନାୟକ ହେବାର ସୂଚନା ମିଳିଥିଲା । ମୋ’ ଓଡିଶା – ଏହି କଥା ହିଁ ବିଜୁବାବୁ କହିଥିଲେ । ଓଡିଶାକୁ ଭଲପାଉଥିବା ଜଣେ ମହାନ ଦେଶ ଭକ୍ତ ଭାବେ ବିଜୁବାବୁ ସର୍ବଦା ସାହସିକତା ପ୍ରଦର୍ଶନ କରିଥିଲେ । ତାଙ୍କର ଦୃଢ ଇଛାଶକ୍ତି, ବଳିଷ୍ଠ ନେତୃତ୍ୱ, ଉତୁଙ୍ଗ ବ୍ୟକ୍ତିତ୍ୱ ଯୋଗୁଁ ଓଡିଶା ଆଜି ଏକ ବିକଶିତ ରାଜ୍ୟ ରୂପେ ଦଣ୍ଡାୟମାନ ହେବାକୁ ଯାଉଛି । ସେ ଦୀର୍ଘକାଳ ଓଡିଶାର କ୍ଷମତା ରାଜନୀତିରେ ନ ରହିଥିଲେ ମଧ୍ୟ ଓଡିଶାକୁ ବିକାଶ ପଥରେ ଆଗେଇ ନେବାରେ ସର୍ବଦା ଚେଷ୍ଟିତ ଥିଲେ । ବିଜୁବାବୁ ହିିଁ ସମୃଦ୍ଧ ଓଡିଶାର ନିର୍ମାତା ଥିଲେ ।
୧୯୬୧ ମସିହା ଜୁନ୍ ୨୩ ତାରିଖରେ ଓଡିଶାର ମୂଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କଲେ ବିଜୁବାବୁ । ତାଙ୍କ ମୂଖ୍ୟମନ୍ତ୍ରୀତ୍ୱ କାଳରେ ଓଡିଶାରେ ନିର୍ମାଣ ଯୁଗର ଶୁଭାରମ୍ଭ ହେଲା । ତାଙ୍କର ଏକାନ୍ତ ଚେଷ୍ଟା ଓ ଆନ୍ତରିକତା ପାଇଁ ଓଡିଶାରେ ପାରାଦ୍ୱୀପ ବନ୍ଦର ନିର୍ମାଣ ହେବା ସମ୍ଭବ ହେଲା । ସମସ୍ତ ପ୍ରତିବନ୍ଧକକୁ ଆଡେଇ ତତ୍କାଳୀନ ଭାରତର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଶୁଭ ଦେବା ନିମିତ ଓଡିଶା ଆସିଥିଲେ । ଭାରତର ଗଭୀରତମ ବୃହତ୍ ବନ୍ଦର ଭାବେ ପାରାଦ୍ୱୀପ ୧୯୬୬ ମସିହାରେ ଦେଶ ଓ ଜାତିର ପ୍ରଗତିରେ ଉତ୍ସର୍ଗୀକୃତ ହେଲା । ପାରାଦ୍ୱୀପ ବନ୍ଦର ବ୍ୟତୀତ ଜାତୀୟ ରାଜପଥ, ରାଉରକେଲା ଆଂଚଳିକ ଇଂଞ୍ଜିନିୟରିଂ କଲେଜ, ସୁନାବେଡା ମିଗ୍ କାରଖାନା, ଚାରବାଟିଆ ମିଲିଟାରୀ ବିମାନ ଅବତରଣ କେନ୍ଦ୍ର, ବୁର୍ଲା ଇଞ୍ଜିନିୟରିଂ କଲେଜ, ନାଲ୍କୋ ଆଲୁମିନିୟମ୍ ପ୍ରକଳ୍ପ, କୃଷି ଏବଂ ବୈଷୟିକ ବିଶ୍ୱବିଦ୍ୟାଳୟ, ବାଲିମେଳା ଡ୍ୟାମ୍ ପ୍ରୋଜେକ୍ଟ, ବରଗଡ ସିମେଂଟ କାରଖାନା, ବୁର୍ଲା ଓ ବ୍ରହ୍ମପୁର ଓ ଜ୍ୟୋତିବିହାର, ସମ୍ବଲପୁରଠାରେ ଦୁଇଗୋଟି ନୂଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସହ ଓଡିଶାର ୧୩ଗୋଟି ଜିଲ୍ଲାକୁ ୩୦କୁ ବୃଦ୍ଧି କରିବା ଥିଲା ବିଜୁଙ୍କ ଯୁଗାନ୍ତକାରୀ ପଦକ୍ଷେପ । ଗ୍ରାମପଂଚାୟତକୁ ସୁଦୃଢ କରିବା ପାଇଁ ବିଜୁବାବୁଙ୍କ ଉଦ୍ୟମ ଚିରସ୍ମରଣୀୟ ।
ଷଷ୍ଠ ଦଶକରେ ବିଜୁବାବୁ କହିଥିଲେ ଯେ- ‘ସରପଂଚ ହେଉଛି ପଂଚାୟତର ମୂଖ୍ୟ’ । ପଂଚାୟତସ୍ତରରେ ମହିଳାମାନଙ୍କୁ ସୁବିଧା ସୁଯୋଗ ଦେବା ପାଇଁ ସେ ଅନେକ ଯୋଜନା ହାତକୁ ନେଇଥିଲେ । ନିର୍ବାଚନରେ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ସଂରକ୍ଷଣ କରି ନାରୀ ଜାତିକୁ ସମ୍ମାନ ପ୍ରଦାନ କରିଥିଲେ । ମହିଳାମାନଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଯୁକ୍ତିଦେବା ଭଳି ପଦକ୍ଷେପ ଥିଲା ବିଜୁବାବୁଙ୍କର । ବିଜ୍ଞାନକୁ ଜନପ୍ରିୟ କରି ବିଜ୍ଞାନର ପ୍ରଚାର ପ୍ରସାର ପାଇଁ ଉଦ୍ୟମଶୀଳ ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ତାଙ୍କ ଚେଷ୍ଟାରେ ୧୯୫୦ ମସିହାରେ ‘କଳିଙ୍ଗ ଫାଉଣ୍ଡେସନ୍ ଟ୍ରଷ୍ଟ’ ଗଠିତ ହୋଇଥିଲା । ଓଡିଶାକୁ ଅତ୍ୟଧିକ ଭଲ ପାଉଥିବା ବିଜୁବାବୁ ପ୍ରତ୍ୟେକ କ୍ଷେତ୍ରରେ-ଶିକ୍ଷା, ଶିଳ୍ପ,ସ୍ୱାସ୍ଥ୍ୟ, ବିଜ୍ଞାନ ଆଦି ବିଭିନ୍ନ କ୍ଷେତ୍ରରେ ଦେଶ ଓ ଜାତିକୁ ଆଗେଇ ନେବାରେ ନିଜକୁ ନିୟୋଜିତ କରିଥିଲେ । ଭାରତକୁ ଆନ୍ତର୍ଜାତିକ ସ୍ତରରେ ପଂହଚାଇବା ପାଇଁ ଦୃଢ ପଦକ୍ଷେପ ଓ ନୀତିଯୁକ୍ତ ମତାମତ ଦେଇ ଜଣେ ପ୍ରବୀଣ କୂଟନୀତିଜ୍ଞର ପରିଚୟ ଦେଇଥିଲେ । ବିଜୁବାବୁଙ୍କ ସ୍ଥୂଳ ଶରୀର ଆଜି ନାହିଁ ସତ କିନ୍ତୁ ତାଙ୍କ କୀର୍ତିରାଜି ଓଡିଶାର କୋଣ ଅନୁକୋଣରେ ଜାଜ୍ଜୁଲ୍ୟମାନ । ଓଡିଆ ଜାତି ତା’ର ମାନସପଟରୁ ଏହି ବୀର ସଂଗ୍ରାମୀଙ୍କୁ କେବେବି ଭୁଲିବ ନାହିଁ । ଆଜି ସେହି ସ୍ୱପ୍ନଦ୍ରଷ୍ଟା ମହାପୁରୁଷଙ୍କର ଜନ୍ମ ଜୟନ୍ତି ଅବସରରେ ଏଇ ନଗଣ୍ୟ ଲେଖକର ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ।