ବିଜୁ ବାବୁଙ୍କ ଅଧୁରା ସ୍ୱପ୍ନ

ଉତ୍କଳ ସାଧବ ପୁଅ ମାନଙ୍କର ନୈାବାଣିଜ୍ୟକୁ ସ୍ମରଣ କରି ପାରାଦୀପ ଠାରେ ଗଢି ଉଠି ଥିଲା ବନ୍ଦରଟିଏ । ତାକୁ ବିଭିନ୍ନ ଅଞ୍ଚଳ ସହିତ ସଂଯୋକ କରିବା ପାଇଁ ନିର୍ମାଣ କରାଯାଇ ଥିଲା ସୁଦୀର୍ଘ ରାଜପଥ । ଉତ୍କଳ ପ୍ରଗତିର ମହାରଥକୁ ଆଗୁସାର କରିବା ପାଇଁ ଯେଉଁ ମହାନାୟକ ଆଗଭର ହୋଇଥିଲେ । ସେ ଆଉ କେହି ନୁହେଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକ । ଜନସାଧାରଣଙ୍କ ଚିର ନମସ୍ୟ ପ୍ରିୟ ନେତା ବିଜୁବାବୁ । ଯାହାଙ୍କର ଶାସନ କାଳରେ ଓଡ଼ିଶାର ଶିଳ୍ପ, ବାଣିଜ୍ୟ, କୃଷି, ଶିକ୍ଷା ଓ ସଂସ୍କୃତିର ଉନ୍ନତି ଘଟିଥିଲା ।
ସେ ୧୯୭୭ ମସିହାରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିପୁଳ ଜନ ସମର୍ଥନ ପାଇ ନିର୍ବାଚିତ ହୋଇଥିଲେ । ସେ ମୋରାଜି ଦେଶାଇଙ୍କ ମନ୍ତ୍ରୀ ମଣ୍ଡଳରେ ଇସ୍ପାତ୍ ଓ ଖଣି ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ରୂପେ ଦାୟିତ୍ୱ ଗ୍ରହଣ କରିଥିଲେ । ବିଜୁବାବୁଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ର ଜନସାଧାରଣ ମନ, ପ୍ରାଣ ହୃଦୟ ଦେଇ ଭଲ ପାଉଥିଲେ । ତେଣୁ ୧୯୮୦ ମସିହାରୁ ୧୯୮୪ ପର୍ଯ୍ୟନ୍ତ ପୁନର୍ବାର ତାଙ୍କୁ ନିର୍ବାଚିତ କରିଥିଲେ । ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନାଗରିକ ମାନେ ଭୋଟ ଦାନ କରନ୍ତି । ଏହି ନିର୍ବାଚନ ମଣ୍ଡଳୀରୁ ସ୍ୱର୍ଗତ ରବି ରାୟ ନିର୍ବାଚିତ ହୋଇ ଥିଲେ । ସେ ମଧ୍ୟ ଲୋକସଭା ର ଗାରିମାମୟ ଅଧକ୍ଷ ରୂପେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ବିଜୁବାବୁ ସାରା ଓଡ଼ିଶାର ଉନ୍ନତି ପ୍ରତି ଧ୍ୟାନ ଦେଲା ବେଳେ । କିଛି ପ୍ରତିଶୃତି ତାଙ୍କ ମାନସ ପଟରୁ ହଟି ଯାଇଥିଲା । ବିକାଶର ସ୍ୱପ୍ନ ଦେଖି ଦେଖି ଉପକୂଳବର୍ତି ଅଂଚଳ କେନ୍ଦ୍ରାପଡ଼ା, ଜଗସିଂହପୁର ଓ ଭଦ୍ରକର ଜନସାଧାରଣ ଚାହିଁ ବସିଛନ୍ତି । କେବେ ତାହା ପୂରଣ ହେବ । ଭଲ ପାଇବାର ଅବଦାନ କଣ ଦୁଃଖ ଯନ୍ତ୍ରଣା ହୋଇପାରେ ? ନା କଦାପି ନୁହେଁ । ଯଦି ତାହା ହୋଇଥାନ୍ତା ତେବେ ଆମ ଓଡ଼ିଶା ସରକାର କରୋନା ଓ ବନ୍ୟା ପୀଡ଼ିତ ଲୋକମାନଙ୍କ ପାଇଁ ଏତେ ସାହାଯ୍ୟ ସହଯୋଗ କରିଥାନ୍ତେ ! ଯାହା ଅତ୍ୟନ୍ତ ପ୍ରଶଂସା ଯୋଗ୍ୟ । ହେଲେ ପ୍ରଶ୍ନ ଉଠେ ତାଙ୍କର ସ୍ୱପ୍ନ ଓ ପ୍ରତିଶୃତି କେବେ ପାଳନ ହେବ । ବିଜୁବାବୁ ରାଜନୈତିକ ସଭା ସମିତିରେ କହିଥିଲେ ‘ମୁଁ ଅଛି ତୁମ ସାଥିରେ ଦୁଃଖ କଣ ବିଗାଡ଼ିବ ।’ ଆଜି ଏଇ କରୋନା ପରିସ୍ଥିତିରେ ଏକ ଚିନ୍ତାର ବିଷୟ ଆସି ଯାଇଛି । ଆମ ଏ ଅଞ୍ଚଳର ଦୁଃଖ କଷ୍ଟ କେବେ ହଟିବ । ସେଥିପାଇଁ ଯୋଜନା ବଦ୍ଧ କାର୍ଯ୍ୟ କରିବାକୁ ହେବ ।
୧. ବନ୍ୟା ବାତ୍ୟା ସମୟରେ ବା ଦୁଇ ମାସ ପୂର୍ବରୁ ବନ୍ଧ, ପୋଲ ଆଦି ମରାମତି କାର୍ଯ୍ୟ ଆରମ୍ଭ ହୁଏ । ଯଦି ଏ ସବୁର ନିୟମିତ ମରାମତି ବା ଯତ୍ନ ନିଆଯାଏ । ତେବେ ବନ୍ୟା ସମୟରେ ବନ୍ଧ ଭାଙ୍ଗିବା ବା ଘାଇ ହେବାର ପରିସ୍ଥିତି ଉପୁଯିବ ନାହିଁ ।
୨. ଅଧିକରୁ ଅଧିକ ୱାଟର କଟ୍ ବା କେନାଲ ନିର୍ମାଣ କରାଗଲେ ବନ୍ୟା ଜଳ ନିଷ୍କାସନ ଓ କୃଷି କାର୍ଯ୍ୟରେ ଏଗୁଡ଼ିକ ସହାୟକ ହେବ ।
୩. ସମୁଦ୍ର ତରଙ୍ଗରୁ ବିଜୁଳି ଶକ୍ତି ଓ ସୂର୍ଯ୍ୟଙ୍କ ଶକ୍ତିରୁ ସୌର ଶକ୍ତି ଉତ୍ପାଦନ କରାଗଲେ । ଏ ଅଞ୍ଚଳର ବିଜୁଳି ଶକ୍ତି ଜନିତ ଅସୁବିଧା ଦୂରିଭୁତ ହେବ । ଏହା ମଧ୍ୟ ସହଜ ଓ ସୁଲଭ ମୂଲ୍ୟରେ ଜନସାଧାରଙ୍କ ବିତରଣ କରାଯାଇ ପାରିବ ।
୪. ଉପକୂଳ ବର୍ତୀ ଅଞ୍ଚଳରେ ସୁଉଚ୍ଚ ଦୁର୍ବିପାକ ଆଶ୍ରୟ ସ୍ଥଳି ନିର୍ମାଣ କରାଗଲେ । ସୁନାମି, ବନ୍ୟା ,ବାତ୍ୟା ସମୟରେ ଲୋକମାନଙ୍କୁ ମୃତ୍ୟୁ ମୁଖରୁ ବଞ୍ଚା ଯାଇପାରିବ ।
୫. ମେଡ଼ିକାଲ କଲେଜ, କୃଷି ମହାବିଦ୍ୟାଳୟ, ବୈଶୟିକ ଶିକ୍ଷା କେନ୍ଦ୍ର, କୁଟିର ଶିଳ୍ପ ତାଲିମ କେନ୍ଦ୍ର ଆଦି ପ୍ରତିଷ୍ଠା କରାଗଲେ, ମାନବ ସମ୍ବଳର ଅଶେଷ ବିକାଶ ହେବ ।
୬. କୃଷି ଭିତ୍ତିକ ଶିଳ୍ପ କେନ୍ଦ୍ର ବା ଖାଦ୍ୟ ପକ୍ରିୟା କରଣ କେନ୍ଦ୍ର ମାନ ପ୍ରତିଷ୍ଠା କରାଗଲେ ବେକାରି ଯୁବକ ଯୁବତୀ ମାନେ କର୍ମ ସଂସ୍ଥାନ ପାଇ ପାରିବେ । ତା ଛଡ଼ା ନଷ୍ଟ ହୋଇ ଯାଉଥିବା ଖାଦ୍ୟ ପଦାର୍ଥକୁ ବହୁ ଦିନ ପର୍ଯ୍ୟନ୍ତ ସଂଗ୍ରକ୍ଷିତ କରି ରଖାଯାଇ ପାରିବ ।
୭. ଧାନ ଚୋପାରୁ (କୁଣ୍ଡା) ତୈଳ ପ୍ରସ୍ତୁତ କରିବା କଥା ବିଜୁବାବୁ କହିଥିଲେ । ହେଲେ ତାହା ଏବେ ବି ସ୍ୱପ୍ନରେ ରହିଯାଇଛି । ଯଦି ବାସ୍ତବରେ ଏହା ପରିଣତ ହୁଏ ତେବେ ଆମର ଅର୍ଥନୈତିକ ଅଭିବୃଦ୍ଧି ହେବ ।
୮. ଓଡ଼ିଶା ସରକାରଙ୍କ ବନୀକରଣ ଯୋଜନାରେ ବୃକ୍ଷ ରୋପଣ କରି ଆମ ଅଂଚଳର ଅନେକ ଉନ୍ନତି ହୋଇଛି । ସେଥିପାଇଁ ବିଭାଗର କର୍ମଚାରୀମାନେ ପ୍ରଶଂସାର ପାତ୍ର । ଯଦି ସେମାନେ ଜାଳେନି କାଠ ଗଛ ସହିତ ନଡ଼ିଆ, ଆମ୍ବ, କାଜୁ, ରବର ଆଦି ବୃକ୍ଷ ରୋପଣ କରନ୍ତେ । ତେବେ ଏହା କେତେକାଂଶରେ ଏ ଅଞ୍ଚଳର ଅର୍ଥ ନୈତିକ ବିକାଶ ହୁଅନ୍ତା ।
୯. ପୁଷ୍ପ ଉଦ୍ୟାନ ଭିତ୍ତିକ କୃଷି ଓଡ଼ିଶାରେ ଅତି ବିରଳ । ସେଥିପାଇଁ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ବିଭିନ୍ନ ପ୍ରକାର ପୁଷ୍ପ ଅଣା ଯାଏ । ଯଦି ଓଡ଼ିଶାରେ ପୁଷ୍ପ ଭତ୍ତିକ କୃଷି କରାଯାଏ ଏହା ଅର୍ଥନୈତିକ ବିକାଶ ହେବା ସଙ୍ଗେ ସଙ୍ଗେ ମଧୁମକ୍ଷୀ ପାଳନରେ ସହାୟକ ହେବ ।
ବିଶ୍ୱ ଘୋର ଆର୍ଥିକ ସଙ୍କଟରେ ଦେଇ ଗତି କରୁଥିବା ବେଳେ । ପ୍ରତ୍ୟେକ ରାଷ୍ଟ୍ର ଜନସାଧାରଣଙ୍କ ମୈାଳିକ ଆବଶ୍ୟକତା ପୂରଣ କରିବାକୁ ଚେଷ୍ଟା କରୁଛନ୍ତି । ଆମ ଦେଶର ଏ ଘଡ଼ି ସନ୍ଧି ମୁହୁର୍ତ୍ତରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସୁଚିନ୍ତିତ ପଦକ୍ଷେପ ମାନ ନେବା ଉଚିତ୍ । ଯାହା ଦ୍ୱାରା ମାନବ ସମ୍ବଳର ସମ୍ପୂର୍ଣ୍ଣ ରୂପେ ବିକାଶ ହୋଇପାରିବ । ଓଡ଼ିଶାର ବର ପୁତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ କେନ୍ଦ୍ରାପଡ଼ା ଲୋକମାନଙ୍କୁ ଭରସା ଦେଇ ଥିଲେ “ମୁଁ ଅଛି ତୁମ ସାଥିରେ ।” ସେହି ଅଞ୍ଚଳର ଭାଇ, ଭଉଣୀ, ମା’ ମାନେ ଆଜି କାଲି କେତେ ଅସୁବିଧାରେ ଅଛନ୍ତି ତାହା ଅବର୍ଣ୍ଣନୀୟ । କରୋନା ଭାଙ୍ଗି ଦେଇଛି ଆର୍ଥିକ ମେରୁଦଣ୍ଡ ଯାହା ଫଳରେ କେତେକ ଆତ୍ମ ହତ୍ୟା କରୁଛନ୍ତି । ଆଉ କେତେକ ପେଟପାଟଣା ପାଇଁ ଅନୀତିର ଆଶ୍ରୟ ନେଉଛନ୍ତି । ଏପରି ଦୁଃଖଦ ଦୟନୀୟ ସମୟରେ ସରକାର ତଥା ବେସରକାରୀ ସଂସ୍ଥା ମାନେ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଆଗଭର ହେବା ଦରକାର । ରିଲିଫ୍ ବଣ୍ଟନ ତାର ସମାଧାନ ମାର୍ଗ ନୁହେଁ । ଏଠାକାର ଜନସାଧାରଣ ମାନେ ସ୍ଥାୟୀ ପ୍ରତିକାର ଚାହୁଁଥିଲେ । ଆଉ ଚାହୁଁଛନ୍ତି ମଧ୍ୟ । ସେମାନେ ତାଙ୍କ ପ୍ରିୟ ନେତାଙ୍କର ଅଧା ଅଧୁରା କାମକୁ ପୁରା କରିବା ପାଇଁ ନିବେଦନ କରୁଛନ୍ତି । ବିପଦ ଆସିବା ପରେ ସମାଧାନ ଅପେକ୍ଷା ବିପଦ ଆସିବା ପୂର୍ବରୁ ସୁ ଚିନ୍ତିତ ଯୋଜନା ମାନ ପ୍ରସ୍ତୁତ କରିବା ଭଲ । ଗଣତନ୍ତ୍ରର ମର୍ଯ୍ୟାଦା ବୃଦ୍ଧି ହୁଏ ତାର ଜନସାଧାରଣ ସୁଖ ଶାନ୍ତି ଓ ଆନନ୍ଦରେ ରହିଲେ । ଲୁହ ଝରୁଥିବା ମୁହଁରେ କେବେ ଫୁଟିବ ହସ । ଆଉ ପୂରଣ ହେବ ବିଜୁବାବୁଙ୍କର ଅଧୁରା ସ୍ୱପ୍ନ ।