ସ୍ମୃତିରେ ବିଜୁ ବାବୁ ! ଜାଣନ୍ତୁ ତାଙ୍କ ସମ୍ପର୍କରେ ୧୦ଟି ଅଜଣା କଥା

୧୯୧୬ ମାର୍ଚ୍ଚ ୫ ତାରିଖ। କଟକର ତୁଳସୀପୁର ଠାରେ ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ମାତା ଆଶାଲତା ପଟ୍ଟନାୟକଙ୍କ କୋଳରେ ତୃତୀୟ ସନ୍ତାନ ଭାବେ ଜନ୍ମ ନିଅନ୍ତି ଶ୍ରୀ ବିଜୟାନନ୍ଦ ପଟ୍ଟନାୟକ @ ବିଜୁ ପଟ୍ଟନାୟକ । ବିଜୁ ପଟ୍ଟନାୟକ ଖାଲି ଏକ ନାମ ନୁହେଁ ଏକ ସ୍ପର୍ଦ୍ଧିତ ଉଚ୍ଚାରଣ । ଉଭୟ କେନ୍ଦ୍ର ଓ ରାଜ୍ୟ ରାଜନୀତିରେ ଏକ ଆକର୍ଷଣୀୟ ଓ ଘଟଣା ବହୁଳ ବ୍ୟକ୍ତିତ୍ୱ । ସେ ଏକା ଧାରରେ ଜଣେ ବିଚକ୍ଷଣ ରାଜନେତା, ସ୍ୱାଧୀନତା ସଂଗ୍ରାମୀ ଓ ଦୁର୍ଦ୍ଧଶ ବିମାନ ଚାଳକ ।
ଆଜି ଓଡ଼ିଶାର କିମ୍ବଦନ୍ତୀ ମହାନାୟକ ପ୍ରବାଦ ଜନନେତା ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ । ବିଜୁ ବାବୁ ଜଣେ ଏପରି ଏ ମାଟି ଓ ରାଜ୍ୟକୁ ଭଲ ପାଉଥିଲେ ତାଙ୍କୁ କଳିଙ୍ଗ ପୁତ୍ର ମଧ୍ୟ କୁହାଯାଏ । ବିଜୁ ପଟ୍ଟନାୟକ ଆଜି ନାହାନ୍ତି ସତ, କିନ୍ତୁ ତାଙ୍କ ବୀରତ୍ୱର ଗାଥା ସର୍ବତ୍ର ଗୁଞ୍ଜରିତ ହେଉଛି ।
ସାହାସର ଅନ୍ୟନାମ ହେଉଛନ୍ତି ବିଜୁ ପଟ୍ଟନାୟକ । ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ କିଏବା ନ ଜାଣେ । ସେ ଏଭଳି ଜଣେ ବ୍ୟକ୍ତିତ୍ୱ, ଯିଏକି ଏକାଧାରାରେ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ, ନିର୍ଭୀକ ପାଇଲଟ, ସଚ୍ଚୋଟ ରାଜନେତା ଓ ଯୁଗସ୍ରଷ୍ଟା ଜନନାୟକ ମଧ୍ୟ।
ଏହି ଦୁଃସାହସିକ ବ୍ୟକ୍ତିତ୍ୱଙ୍କ ଜନ୍ମ ଦିବସ ଅବସରରେ ଜାଣନ୍ତୁ ତାଙ୍କ ସମ୍ପର୍କରେ….
ବିଜୁ ବାବୁଙ୍କ ପୂରା ନାମ ହେଉଛି ବିଜୟାନନ୍ଦ ପଟ୍ଟନାୟକ । ସେ ସମସ୍ତଙ୍କ ଗହଣରେ ବିଜୁ ବାବୁ ନାମରେ ଖୁବ୍ ପରିଚିତ ଥିଲେ । ତାଙ୍କ ଜୟନ୍ତୀ ତଥା ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଇଥାଏ ।
ବିଜୁ ବାବୁ ୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ କଟକର ତୁଳସୀପୁର ଠାରେ ଜନ୍ମଗ୍ରହଣ କରିଥିବା ବେଳେ ତାଙ୍କ ମାଆ ଆଶାଲତା ଦେବୀ ବେଙ୍ଗଲୀ ପରିବାରରୁ ଆସିଥିଲେ । ଯାହାଫଳରେ ସେ ଜଣେ ଓଡିଆ ହେବା ସହ ଜଣେ ବଙ୍ଗାଳୀ ମଧ୍ୟ ।
ଦ୍ବିତୀୟ ବିଶ୍ୱଯୁଦ୍ଧ ସମୟରେ ହିଟଲରଙ୍କ ବିରୋଧରେ ସେ ସୋଭିଏତ୍ ସୈନ୍ୟବାହିନୀକୁ ସାହାଯ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ଋଷିଆ ସରକାରଙ୍କ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଥିଲା ।
ଏକ ଘଡିସନ୍ଧି ମୁହୂର୍ତ୍ତରେ ସ୍ୱାଧୀନ ଇଣ୍ଡୋନେସିଆ ଉପରେ ଡଚ୍ ସାମ୍ରାଜ୍ୟବାଦୀମାନଙ୍କ ଆକ୍ରମଣ ବେଳେ ଅତି ଚତୁରତାର ସହ ବିଜୁ ବାବୁ ଇଣ୍ଡୋନେସିଆ ରାଷ୍ଟ୍ରପତି ସାହାରିୟାଙ୍କୁ ଜାକର୍ତ୍ତାରୁ ରେଙ୍ଗୁନ ଓ ସେଠାରୁ ନୂଆଦିଲ୍ଲୀକୁ ଉଡାଇ ଆଣିଥିଲେ ।
ବିଜୁ ବାବୁ ଓ ତାଙ୍କ ପତ୍ନୀ ଜ୍ଞାନ ପଟ୍ଟନାୟକ ଇଣ୍ଡୋନେସିଆ ରାଷ୍ଟ୍ରପତି ସୁକର୍ଣ୍ଣଙ୍କ ଝିଅ ‘ମେଘାବତୀ’ର ନାମକରଣ କରିଥିଲେ।
କ୍ରୀଡା ପ୍ରତି ବିଜୁ ବାବୁଙ୍କ ଦୁର୍ବଳତା ରହିଥିବା ବେଳେ ସେ ଜଣେ ନିପୁଣା ବ୍ରିଡଜ୍ ଖେଳାଳି ବୋଲି ଖୁବ୍ କମ୍ ଲୋକେ ଜାଣନ୍ତି ।
ବିଜୁ ବାବୁ ଜଣେ ସାଇକେଲ୍ ପ୍ରେମୀ ମଧ୍ୟ । ସେ ସାଇକେଲରେ ରାଜ୍ୟ ସଚିବାଳୟକୁ ଯାଉଥିବା ନେଇ ବହୁବାର ଦେଖିବାକୁ ମିଳିଥାଏ । ଏପରିକି ମାନବିକତା ଉପରେ ଜନସାଧାରଣଙ୍କୁ ସଚେତନ କରିବାକୁ ଯାଇ ସେ ସାଇକେଲରେ ପାକିସ୍ତାନର ପେଶାୱାର ଯାଏଁ ଯାଇଥିଲେ ।
ସେ ଜଣେ ପ୍ରଜାବତ୍ସଳ ତଥା ଲୋକପ୍ରିୟ ରାଜନେତା ଭାବେ ପ୍ରାୟ ୭ ବର୍ଷ ଧରି ଓଡିଶାର ମୁଖ୍ୟମନ୍ତ୍ରୀ ଆସନରେ ଅବସ୍ଥାପିତ ରହିଥିଲେ ।
ସେ ନିଜର ଶେଷ ଜୀବନ ନବୀନ ନିବାସରେ ନୁହେଁ ବରଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଅତି ଘନିଷ୍ଠ ଦିଲୀପ ରାୟଙ୍କ ଘରେ ଅତିବାହିତ କରିଥିଲେ । ଯାହାକୁ ସେ ପୁଅ ଭଳି ସ୍ନେହ କରୁଥିଲେ ।
ସେ କଳିଙ୍ଗ ଷଣ୍ଡ ଓ ଭାରତୀୟ ରାଜନୀତିର ବିଗ୍ ଡାଡୀ ଆଦି ବହୁ ନାମରେ ପରିଚିତ ଥିଲେ ।