ଆଜିଠୁ ଖୋଲିବ ଭିତରକନିକା, ପଲିଥିନ ପ୍ରବେଶ ଉପରେ କଟକଣା
![](https://thetruths.in/wp-content/uploads/2022/08/Bhitarakanika-Open-1024x576.jpg)
ପଟ୍ଟାମୁଣ୍ଡାଇ : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ପର୍ଯ୍ୟଟକ ମାନଙ୍କୁ ଭିତରକନିକାକୁ ସ୍ୱାଗତ କରିବା ପାଇଁ ବନବିଭାଗ ପ୍ରସ୍ତୁତ ହୋଇଛି। ନୂତନ ଲୁଣା ନର୍ସରୀ, ସେଲ୍ଫି ପଏଣ୍ଟ, ବିଳାସପୂର୍ଣ୍ଣ ଏସି ରେଷ୍ଟୁରାଣ୍ଟ, ବୋଟ ଲାଇବ୍ରେରୀ ଓ ବ୍ୟାଟେରୀ ବୋଟ ଆଦିକୁ ପ୍ରସ୍ତୁତ ରଖାଯାଇଛି। ସେହିପରି କଟେଜ୍, ମିୟୁଜିୟମ, ବୋଟ୍ ଓ ବ୍ୟାଟେରୀ ଚାଳିତ ଗାଡ଼ି ମଧ୍ୟ ପ୍ରସ୍ତୁତ ରଖାଯାଇଛି। ଗୁପ୍ତି, ଖୋଳା, ଚାନ୍ଦବାଲି ଦେଇ ଭିତରକନିକାକୁ ଜଳପଥରେ ପ୍ରବେଶ କରି ହେବ। ସ୍ଥଳପଥରେ ଡାଙ୍ଗମାଳ ମୁଖ୍ୟ ଫାଟକ ଦେଇ ଭିତରକନିକାକୁ ପ୍ରବେଶ କରିପାରିବେ ପର୍ଯ୍ୟଟକ। ରାତ୍ରି ଯାପନ ପାଇଁ ଡାଙ୍ଗମାଳ ଓ ଗୁପ୍ତିରେ କଟେଜ ବ୍ୟବସ୍ଥା କରାଯାଇଛି।
ରାଜନଗର ବନଖଣ୍ଡ ଅଧିକାରୀ ଯଜ୍ଞଦତ୍ତ ପତି କହିଛନ୍ତି, ଆମର ପଲିଥିନ୍ ମୁକ୍ତ ଭିତରକନିକା ଅଞ୍ଚଳ ଡାଙ୍ଗମାଳ ପୂର୍ବରୁ ଆରମ୍ଭ ହେଉଛି। ଏହାକୁ କାର୍ଯ୍ୟକାରୀ କରାଯିବ। ତା’ଛଡ଼ା କୋଭିଡ୍ ନିୟମ ମାନି ପର୍ଯ୍ୟଟକମାନେ ଆସିବେ ବୋଲି ଆଶା ରଖିଛୁ। ଡାଙ୍ଗମାଳରେ ଆମେ ଏକ ନୂଆ କ୍ୟାଫେ ଖୋଲିଛୁ। ଏହା ସହିତ ବୋଟ୍ ଲାଇବ୍ରେରୀ ମଧ୍ୟ ତିଆରି କରିଛୁ। ଏହା ପର୍ଯ୍ୟଟକଙ୍କୁ ପସନ୍ଦ ଆସିବ ବୋଲି ଆମେ ଆଶା କରୁଛୁ।
ଭିତରକନିକା ମଧ୍ୟକୁ ପଲିଥିନ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ପୂର୍ବରୁ ଏହି କଟକଣା ଥିଲେ ମଧ୍ୟ କେତେକାଂଶରେ ପର୍ଯ୍ୟଟକ ପଲିଥିନ ଭିତରକୁ ନେଇ ଏଣେତେଣେ ଫୋପାଡିବା ସହ ନଦୀ ନାଳରେ ମଧ୍ୟ ଫିଙ୍ଗୁଥିଲେ। ପଲିଥିନ ଓ ପ୍ଲାଷ୍ଟିକ ଆବର୍ଜନା ଜୈବ ବିବିଧତା ସନ୍ତୁଳନ ରକ୍ଷା କରିବାରେ ବ୍ୟାଘାତ ସୃଷ୍ଟି କରୁଛି। ଏ ନେଇ ପର୍ଯ୍ୟଟକଙ୍କୁ ବନବିଭାଗ ପକ୍ଷରୁ ସଚେତନ କରାଯିବ। ଏଥିସହ ପର୍ଯ୍ୟଟକଙ୍କୁ ଶୁଦ୍ଧ ପାନୀୟଜଳ ଯୋଗାଇ ଦେବାକୁ ଭିତରକନିକାର ବିଭିନ୍ନ ସ୍ଥାନରେ ପାନୀୟ ଜଳର ବ୍ୟବସ୍ଥା କରାଯିବ। ସୁସ୍ଥ ପରିବେଶ ଓ ଭିତରକନିକା ଜୈବ ବିବିଧତାର ସୁରକ୍ଷା ପାଇଁ ପର୍ଯ୍ୟଟକମାନେ ଏହି ପଲିଥିନ ଓ ପ୍ଲାଷ୍ଟିକ ମୁକ୍ତ ଭିତରକନିକା ଗଢିବାରେ ସହଯୋଗର ହାତ ବଢେଇବାକୁ କନିକା ରେଞ୍ଜ ଅଫିସର ମାନସ କୁମାର ଦାସ ନିବେଦନ କରିଛନ୍ତି। ପଲିଥିନ ବଦଳରେ କପଡ଼ା, କାଗଜ ଓ ଝୋଟରେ ପ୍ରସ୍ତୁତ ବ୍ୟାଗରେ ବ୍ୟବହାର୍ଯ୍ୟ ସାମଗ୍ରୀ ଭିତରକନିକା ମଧ୍ୟକୁ ନେବାକୁ ଅନୁରୋଧ କରାଯାଇଛି।