ବସକୁ ପଛରୁ ପିଟିଲା ଟ୍ରକ, ୧୮ ମୃତ
ବାରବାଙ୍କୀ : ଉତ୍ତର ପ୍ରଦେଶର ବାରବାଙ୍କୀରେ ବଡ଼ଧରଣର ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମଙ୍ଗଳବାର ବିଳମ୍ବିତ ରାତିରେ ଲକ୍ଷ୍ନୌ-ଅଯୋଧ୍ୟା ଜାତୀୟ ରାଜପଥର ସଡ଼କ ପାଶ୍ୱର୍ରେ ଛିଡ଼ା ହୋଇଥିଲା ବସ୍ । ତେବେ ପଛକୁ ଆସି ପିଟାହୋଇଥିଲା ଟ୍ରକ । ଫଳରେ ଦୁର୍ଘଟଣା ଏତେ ଭୟାବହ ଥିଲା ଯେ ଘଟଣାସ୍ଥଳରେ ହିଁ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୨୦ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଥିବା ବେଳେ ସଡ଼କରେ ଭିଡ଼ ଲାଗି ରହିଛି । ଦୁର୍ଘଟଣା ପରେ ଏଡିଜି ସତ୍ୟନାରାୟଣ ସାବତ ହସ୍ପିଟାଲରେ ପହଂଚି ଆହତ ଲୋକଙ୍କର ସ୍ୱାସ୍ଥ୍ୟ ସଂପର୍କରେ ଅବଗତ ହୋଇଛନ୍ତି ।
ସଡ଼କ ଦୁର୍ଘଟଣା ନେଇ ପୋଲିସ କହିଛି ଯେ, ବସରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ଚାଳକ ଏହାକୁ ରାତି ପ୍ରାୟ ୮ଟାର ସଡ଼କ ପାଶ୍ୱର୍ରେ ଛିଡ଼ା କରିଥିଲେ ଏବଂ ବିଳମ୍ବିତ ରାତି ପ୍ରାୟ ୧୨ଟାରେ ପଛପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଡବଲ ଡେକର ବସକୁ ଧକ୍କା ଦେଇଥିଲା । ପୋଲିସ କହିଛି ଯେ, ବସ୍ଟି ହରିୟାଣାର ପଲଓ୍ବଲରୁ ବିହାର ଆଡ଼କୁ ଯାଉଥିଲା ।