ବାଲେଶ୍ୱର : ଫକୀରମୋହନ ବିଶ୍ୱବିଦ୍ୟାଳୟରେ ବିଶ୍ୱ ଐତିହ୍ୟ ଦିବସ ପାଳନ
ବାଲେଶ୍ୱର : ଐତିହ୍ୟ ସୁରକ୍ଷାକୁ ସ୍ୱତନ୍ତ୍ର ଦାୟିତ୍ୱ ଗ୍ରହଣ କରିବାର ବାର୍ତ୍ତା ନେଇ ଅବିରତ ଭାବେ ସଚେତନଶୀଳ ଫକୀରମୋହନ ବିଶ୍ୱବିଦ୍ୟାଳୟ । ବିଶ୍ୱବିଦ୍ୟାଳୟର ଇତିହାସ ଓ ପ୍ରତ୍ନତତ୍ତ୍ୱ ବିଭାଗର ପ୍ରୟାସ ଦ୍ୱାରା ସ୍ନାତକୋତ୍ତର ପରିଷଦ ବୈଠକକକ୍ଷରେ ଆଜି ବିଶ୍ୱ ଐତିହ୍ୟ ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଛାତ୍ରଛାତ୍ରୀମାନେ ନିଜର ପୂର୍ବ ପୁରୁଷମାନଙ୍କ ଅସ୍ଥିତ୍ୱ, ଅବସ୍ଥିତି ଓ ବିଲୁପ୍ତ ଇତିହାସ ସଂପର୍କରେ ଅନୁସନ୍ଧାନ କରିବାର ପ୍ରୟାସ କରିପାରିଲେ ବିଶେଷ ଉପକୃତ ହୋଇପାରିବେ ବୋଲି କୁଳପତି ପ୍ରଫେସର ତ୍ରିପାଠୀ ଆଶାବ୍ୟକ୍ତ କରିଥିଲେ । ନିଜର ଆଖପାଖ ଅଞ୍ଚଳରେ ଲୁକ୍କାୟିତ ଐତିହ୍ୟ ଅନୁସନ୍ଧାନର ଉତ୍ତରଦାୟିତ୍ୱ ବହନ କରିବାକୁ ଉପଦେଶ ଦେଇ ଏହାର ରହସ୍ୟକୁ ଗବେଷଣା ମାଧ୍ୟମରେ ଲୋକଲୋଚନକୁ ଆଣିବା ଓ ଏଥିପ୍ରତି ଅନୁସନ୍ଧିତ୍ସୁ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଭଦ୍ଭାବନ, ସଂରକ୍ଷଣ ସହ ତତସଂପର୍କିତ ଜ୍ଞାନ ଆହରଣ ହିଁ ଛାତ୍ରଛାତ୍ରୀଙ୍କର ମୂଳ ଉଦ୍ଦେଶ୍ୟ ରହିବା ଉଚିତ ବୋଲି ଉଲ୍ଲେଖ କରିଥିଲେ ଓ ଏହି ସ୍ୱତନ୍ତ୍ର ଦିବସ ପାଳନ ନିମନ୍ତେ ସଂପୃକ୍ତ ବିଭାଗର ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।
ମୂଖ୍ୟବକ୍ତା ଭାବେ ପ୍ରଫେସର ସୁନୀଲ ପଟ୍ଟନାୟକ ଯୋଗଦେଇ ଐତିହ୍ଯ ସୁରକ୍ଷାକୁ ଏକ ସାମୂହିକ ଦାୟୀତ୍ୱ ଭାବରେ ଗ୍ରହଣ କରାଯିବାର ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ । ପରିବେଶର ପରିବର୍ତ୍ତନ ଯୋଗୁଁ ପ୍ରତ୍ନତାତ୍ତ୍ୱିକ ପରିବର୍ତ୍ତନ ମଧ୍ୟ ଘଟୁଛି, ତେଣୁ ଛାତ୍ରଛାତ୍ରୀମାନେ ନିଜର ଗବେଷଣା ଅନ୍ତର୍ଗତ ସାଂସ୍କୃତିକ ଏବଂ ପ୍ରାକୃତିକ ଐତିହ୍ୟର ସଂରକ୍ଷଣ ଦିଗରେ ଉତ୍ସାହିତ ହେବାର ଆବଶ୍ୟକତା ରହିଛି ବୋଲି ଉପଦେଶ ଦେଇଥିଲେ । ଏଥିସହ ସମ୍ମାନୀତ ଅତିଥି ଭାବେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସବ୍ୟସାଚୀ ପଟ୍ଟନାୟକ ଐତିହ୍ଯ ସୁରକ୍ଷା ପାଇଁ ସଚେତନ କରାଇବା, ଏହାର ସଂରକ୍ଷଣର ପନ୍ଥାଗୁଡିକ ସଂପର୍କରେ ଅବଗତ ହେବା ଓ ଆସନ୍ନ ପିଢ଼ିକୁ ଏହାର ମୂଲ୍ଯବୋଧ କରାଇବାର ପଦକ୍ଷେପ ନେବା ଉଚିତ ବୋଲି ଉଲ୍ଲେଖ କରିଥିଲେ ।
ଏହିବର୍ଷ ଐତିହ୍ଯ ଦିବସର ମୂଖ୍ଯ ପ୍ରସଙ୍ଗ ” ବିବିଧତାକୁ ଆବିଷ୍କାର ଏବଂ ଅନୁଭବ କର” ସଂପର୍କରେ ଇତିହାସ ଓ ପ୍ରତ୍ନତତ୍ତ୍ୱ ବିଭାଗର ପ୍ରଫେସର ଡ଼କ୍ଟର ପବିତ୍ର ମୋହନ ନାୟକ ଓ ଡ଼କ୍ଟର ଶିଖାଶ୍ରୀ ରାୟ ଆଲୋକପାତ କରିଥିଲେ । ଏହି ଅବସରରେ ବିଭାଗର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ଐତିହ ସଂରକ୍ଷଣର ସଚେତନତା ଧର୍ମୀ କ୍ଷୁଦ୍ର ନାଟକ ପରିବେଷଣ କରାଯାଇଥିଲା । ଏଥିସହ ବିଭାଗ ତରଫରୁ , ମୟୁରଭଞ୍ଜ ଜିଲା ସ୍ଥିତ ଏକ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା “ବାଥୁଡି’ ଜନଜାତିଙ୍କୁ ପରିଦର୍ଶନ ସହ ସେମାନଙ୍କ ଜୀବନଯାପନ ସମ୍ପର୍କିତ ଏକ ଅଡିଓ-ଭିଜୁଆଲ୍ ସୂଚିତ ଡକ୍ୟୁମେଣ୍ଟାରୀ ଉପସ୍ଥାପନା କରିଥିଲେ । କାର୍ଯ୍ୟକ୍ରମକୁ ଡ. ଶିଖାଶ୍ରୀ ରାୟ ପରିଚାଳନା କରିଥିଲେ ଓ ଡ. ସୌମୀ ସେନଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ ।