ବାଲେଶ୍ୱର : ପ୍ରକୃତି ପ୍ରେମୀଙ୍କ ନିଆରା ପ୍ରୟାସ, ତୃଷାର୍ତ୍ତ ପକ୍ଷୀଙ୍କ ପାଇଁ ଜଙ୍ଗଲର ଜଳର ବ୍ୟବସ୍ଥା
ନୀଳଗିରି : ରାଜ୍ୟରେ ବଢ଼ିଚାଲିଛି ଗ୍ରୀଷ୍ମ ପ୍ରବାହ । ଦିନକୁ ଦିନ ଉତ୍ତାପର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏଥିରେ ମଣିଷ ସମାଜ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ନୀରିହ ପଶୁପକ୍ଷୀମାନେ ମଧ୍ୟ ଏଥିରୁ ବାଦ୍ ପଡୁ ନାହାନ୍ତି । ପ୍ରଚଣ୍ଡ ଗ୍ରୀଷ୍ମକୁ ଦୃଷ୍ଟିରେ ରଖି ପ୍ରକୃତି ପ୍ରେମୀଙ୍କ ଏକ ନିଆରା ପ୍ରୟାସ । ତୃଷାର୍ତ୍ତ ପକ୍ଷୀଙ୍କ ପାଇଁ କଲେ ଜଳର ବ୍ୟବସ୍ଥା ।
ସୂଚନା ଯେ, ଖରାଦିନେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଜଳୀୟ ବାଷ୍ପ ହ୍ରାସ ଯୋଗୁଁ ସାରା ମାନବ ସମାଜ ହାହାକାର ହୋଇଉଠିଛି । କେବଳ ମଣିଷ ନୁହେଁ ନିରୀହ ପଶୁପକ୍ଷୀମାନେ ମଧ୍ୟ କଲବଲ ହେଉଛନ୍ତି । ଅନ୍ୟ ଦିନ ଅପେକ୍ଷା ଗ୍ରୀଷ୍ମ ଋତୁରେ ଅଞ୍ଚଳରେ ଜଳାଶୟଗୁଡ଼ିକ ଶୁଖିଯିବା ଏବଂ ଅସହ୍ୟ ଗରମ ହେତୁ ନଷରିହ ପକ୍ଷୀଙ୍କ ମୃତ୍ୟୁ ଅଧିକ ଘଟିଥାଏ । ତେବେ ଏଭଳି ନିରୀହ ପକ୍ଷୀଙ୍କ ଜୀବନ ବଞ୍ଚାଇବା ପାଇଁ ଗତ ବର୍ଷ ପରି ଏହି ବର୍ଷ ମଧ୍ୟ ଅଣ୍ଟା ଭିଡ଼ିଛି ନୀଳଗିରି ବ୍ଲକ ଅଧିନ ଗୋପୀନାଥପୁର ଅଞ୍ଚଳର ମହାବୀର ଫାଉଣ୍ଡେସନ । ସଂଗଠନ ପକ୍ଷରୁ ପକ୍ଷୀମାନଙ୍କୁ ଜଳ ପାତ୍ରରେ ଜଳ ଦାନ କରିବା ସହିତ ତୃଷାର୍ତ୍ତ ପକ୍ଷୀମାନଙ୍କୁ ଜଳ ଦାନ ପାଇଁ କୁଲଡ଼ିହା ଅଭୟାରଣ୍ୟର ପାଦଦେଷ ତିନିକୋଷିଆ ସଂରକ୍ଷିତ ଜଙ୍ଗଲର ୫୦ରୁ ଉର୍ଦ୍ଧ୍ୱ ସ୍ଥାନରେ ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଦିନ ଏହି ଜଳପାତ୍ରରେ ଜଳ ଭର୍ତ୍ତି କରାଯାଉଛି । ଏହି ଉଦ୍ୟମ ବଳରେ ନିରୀହ ପକ୍ଷୀମାନ ଜୀବନ ବଞ୍ôଚବା ସହ ବନାଞ୍ଚଳବାସୀଙ୍କ ମଧ୍ୟରେ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସଚେତନତା, ଦାୟିତ୍ୱ ବୋଧ ଓ ପ୍ରକୃତିକୁ ଅଧିକ ଭଲ ପାଇବା ସମ୍ବନ୍ଧୀୟ ବାର୍ତ୍ତା ସୃଷ୍ଟି କରିବ ବୋଲି ମହାବୀର ଫାଉଣ୍ଡେସନର ପ୍ରତିଷ୍ଠାତା ବିଦ୍ୟାଧର ବାରିକ କହିଛନ୍ତି ।
ଏହି ପ୍ରକାର ବିଭିନ୍ନ ସଚେତନତାର କାର୍ଯ୍ୟକ୍ରମ ସହ ଗତ ୧୦ ଦିନ ପୂର୍ବେ ନୀଳଗିରି ତିନିକୋଶିଆ ଜଙ୍ଗଲ ରାସ୍ତା ଉଭୟ ପାଶ୍ୱର୍ରେ ଥିବା ଗଛରେ ବ୍ୟାନର ମାରି ବନାଗ୍ନିକୁ ରୋକିବା ତଥା ନିଆଁ ଦାଉରୁ ଜଙ୍ଗଲକୁ ରକ୍ଷା କରିବା ଉଦ୍ଦେଶ୍ୟରେ ବାଟଚଲା ଲୋକଙ୍କୁ ନିବେଦନ ମଧ୍ୟ କରିଥିଲେ । ଏହି ସବୁ କାର୍ଯ୍ୟକ୍ରମରେ ସଭାପତି ବିଶ୍ୱସୁନ୍ଦର ବାରିକ, ସଦସ୍ୟ ପ୍ରମୋଜ୍ୟୋତି ବେହେରା, ବାହୁବଳି ରଣା, ଦିଗମ୍ବର ବେହେରା, ରଞ୍ଜିତ ମଲ୍ଲିକ, ବିଶ୍ୱଜିତ୍ ମଲ୍ଲିକ ପ୍ରମୁଖ ସାମିଲ ରହିଛନ୍ତି । ମହାବୀର ଫାଉଣ୍ଡେସନର ନିସ୍ୱାର୍ଥପର ସେବା ସମାଜ ପାଇଁ ଜାରି ରହିଛି, ଆଉ ଆଗକୁ ମଧ୍ୟ ଜାରି ରହିବ ବୋଲି ପ୍ରତିଷ୍ଠାତା ଶ୍ରୀ ବାରିକ ପ୍ରକାଶ କରିଛନ୍ତି ।