ବାଲେଶ୍ୱର : ଭୋଟର ସଚେତନତା ଏବଂ ଅଂଶଗ୍ରହଣ ବୃଦ୍ଧି ନିମନ୍ତେ ବ୍ୟାପକ କରାଯାଉଛି ‘ସ୍ୱୀପ୍ ଅଭିଯାନ’
ବାଲେଶ୍ୱର : ପ୍ରଭାବଶାଳୀ ବ୍ୟବସ୍ଥିତ ଭୋଟର ଶିକ୍ଷା ଏବଂ ନିର୍ବାଚନ ଅଂଶଗ୍ରହଣ (ଏସ୍ଭିଇଇପି) ମାଧ୍ୟମରେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଆଶୀଷ ଠାକରେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲାରେ ଭୋଟ ହାର ବୃଦ୍ଧି ଓ ଜନସାଧାରଣଙ୍କୁ ଆଗାମୀ ନିର୍ବାଚନରେ ସାମିଲ କରିବା ପାଇଁ ବିଶେଷ କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯାଉଛି । ଏଥି ନିମନ୍ତେ ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସ୍ୱୀପ୍ ଅଭିଯାନ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମକୁ ଆୟୋଜନ କରାଯାଉଛି ।
ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘରକୁ ଘର ବୁଲି, ପଥପ୍ରାନ୍ତ ନାଟକ, ଗୋଷ୍ଠୀ ବୈଠକ କରି ତୃଣମୂଳସ୍ତରର ଜନସାଧାରଣଙ୍କ ନିକଟରେ ପହଞ୍ôଚବା ସହ ଭୋଟ୍ ସମ୍ପର୍କିତ ସେମାନଙ୍କ ପ୍ରଶ୍ନଗୁଡ଼ିକର ସମାଧାନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଜିଲାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ସଚେତନତା ସଭା ଆୟୋଜନ କରାଯାଇ ସ୍ଥାନୀୟ ଯୁବ ତଥା ନୂତନ ମତଦାତାଙ୍କୁ ସାମିଲ କରାଯିବା ସହ ସକ୍ରିୟ ଭୋଟର ଅଂଶଗ୍ରହଣ ଉପରେ ଆଲୋଚନା କରାଯାଉଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ସଦର ବ୍ଲକ ରସାଳପୁର ସ୍ଥିତ ଡ. ଯଦୁନାଥ ମହାବିଦ୍ୟାଳୟ, ଜଳେଶ୍ୱର ବ୍ଲକ ସ୍ଥିତ ଜଗନ୍ନାଥ ଡିଗ୍ରୀ କଲେଜ, ଜଳେଶ୍ୱର ମହିଳା ମହାବିଦ୍ୟାଳୟ, ଖଇରା ବ୍ଲକ ଅଧିନସ୍ଥ ଖଇରା କଲେଜ ଏବଂ ବାଲିଆପାଳ ବ୍ଲକ ଠାରେ ନବନିର୍ମିତ ବୁଥ୍ଗୁଡ଼ିକରେ ‘ସ୍ୱୀପ୍ ଅଭିଯାନ\’ ଅଧୀନରେ ୱାକାଥନ୍, ସାଇକେଲ ରାଲି, ଦସ୍ତଖତ ଅଭିଯାନ, ପୋଷ୍ଟକାର୍ଡ଼ ମାଧ୍ୟମରେ ଚିଠି, ‘ନିର୍ବାଚନ ପାଠଶାଳା\’ ଭଳି ଅନେକ ସଚେତନତାଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭୋଟରମାନଙ୍କୁ ନିଜ ମତଦାନ ସାବ୍ୟସ୍ତ କରିବା ପାଇଁ ଅନୁପ୍ରାଣିତ କରିବା ଏବଂ ଗଣତାନ୍ତ୍ରିକ ରାଷ୍ଟ୍ରରେ ଗୋଟେ ଭୋଟର ମହତ୍ତ୍ୱ ବାବଦରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ନିମନ୍ତେ ସମସ୍ତ ନାଗରିକଙ୍କୁ ସକ୍ରିୟ ଭାବେ ‘ସ୍ୱୀପ୍\’ ଅଭିଯାନରେ ସାମିଲ ହୋଇ ଆଗାମୀ ନିର୍ବାଚନକୁ ସଫଳ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।