ବାଲେଶ୍ୱର : ଫକୀରମୋହନ ବିଶ୍ୱବିଦ୍ୟାଳୟରେ “ଗୁଗୁଲ୍ ଆର୍ଥ୍ ଇଞ୍ଜିନ୍ ଓ ଭୂ-ସ୍ଥାନିକ ବିଶ୍ଳେଷଣର ଉପଯୋଗୀତା” ପ୍ରସଙ୍ଗରେ କର୍ମଶାଳା
ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ବ୍ଲକ ନୂଆପାଢ଼ୀ ସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟର ମାନବ ସମ୍ବଳ ବିକାଶ କେନ୍ଦ୍ର, ସ୍ନାତକୋତ୍ତର ଭୁଗୋଳ ବିଭାଗ ଓ ସ୍ନାତକୋତ୍ତର ଭୂତତ୍ତ୍ୱ ବିଭାଗର ମିଳିତ ଆନୁକୁଲ୍ୟରେ “ଗୁଗୁଲ୍ ଆର୍ଥ୍ ଇଞ୍ଜିନ୍ ଓ ଭୂ-ସ୍ଥାନିକ ବିଶ୍ଳେଷଣର ଉପଯୋଗୀତା” ଶୀର୍ଷକ ନେଇ ତ୍ରି-ଦିବସୀୟ କର୍ମଶାଳା ଉଦ୍ଘାଟିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ କର୍ମଶାଳାକୁ ଉଦ୍ଘାଟନ କରି ବନ୍ୟା, ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ କାଳରେ ତାର ପରିଚାଳନା ଓ ପ୍ରଶମନ ସକାଶେ ଲୋକେସନ୍ ଷ୍ଟ୍ରେସ୍ର ଆବଶ୍ୟକତା ଅପରିହାର୍ଯ୍ୟ ହୋଇଥିବା ହେତୁ ଏହି ଭୂ-ସ୍ଥାନିକ ବିଶ୍ଳେଷଣ ଜନିତ ବ୍ୟବହାରିକ ଜ୍ଞାନ ଆହରଣର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ତଥା ବିଷୟ-ବିଶାରଦ ଭାବରେ ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରଫେସର୍ ଡ. ବିକାଶ ରଞ୍ଜନ ପରିଡ଼ା ଯୋଗଦେଇ ପାଶ୍ଚାତ୍ୟ ରାଷ୍ଟ୍ର ଗୁଡ଼ିକ ଏହିପରି ଅନଲାଇନ୍ ପ୍ଲାଟଫର୍ମ ଗୁଡ଼ିକରେ ବର୍ତ୍ତମାନ ବିଶେଷ ଅଗ୍ରଗତି କରିସାରିଛନ୍ତି । ଭାରତର ସମ୍ପ୍ରତି କୁଶଳୀ ଓ ମେଧାବୀ ଯୁବଗୋଷ୍ଠୀ ତଥା ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଗୁଗୁଲ୍ ଆର୍ଥ୍ ଇଞ୍ଜିନ୍ ପରି ବହୁବିଧ ବିଷୟର ବ୍ୟବହାର ଅତି ସରଳ ଓ ସାଧାରଣ ହୋଇପାରିଛି । ଯାହାର ଉପଯୋଗ କରି ଅଧ୍ୟୟନ ଓ ଗବେଷଣା କ୍ଷେତ୍ରରେ ସମସ୍ତେ ବିଶେଷ ଉପକୃତ ହୋଇପାରୁଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର୍ ସବ୍ୟସାଚୀ ପଟ୍ଟନାୟକ ଯୋଗଦେଇ କ୍ଲାଉଡ୍ କମ୍ପ୍ୟୁଟିକ୍ ଏବଂ ମଲ୍ଟି ପେଟାବାଇଟ୍ ଆପ୍ଲିକେସନ୍ ହୋଇଥିବା ହେତୁ ବିଶେଷତଃ ଭୂଗୋଳ, ଭୂତତ୍ତ୍ୱ ଓ କମ୍ପ୍ୟୁଟର ବିଷୟର ଗବେଷକ ମାନଙ୍କ ପାଇଁ ତଥ୍ୟ ବିଶ୍ଳେଷଣ ନିମିତ୍ତ ଏହି ଗୁଗୁଲ୍ ଆର୍ଥ୍ ଇଞ୍ଜିନ୍ ଏକ ଉପଯୁକ୍ତ କ୍ଷେତ୍ର ହୋଇପାରିବ ବୋଲି ପ୍ରକାଶ କରିଥିଲେ ।
ମାନବ ସମ୍ବଳ ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ମନୋରଞ୍ଜନ ମିଶ୍ର କର୍ମଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ମତ ଦେଇ, ପ୍ରକୃତିର ନିୟମାନୁସାରେ ପରିଚାଳିତ ବିଶ୍ୱ ଏବଂ ମାନବୀୟ-ବୌଦ୍ଧିକତା ଦ୍ୱାରା ପରିଚାଳିତ ବିଶ୍ୱ ସମ୍ପର୍କିତ ଯାବତୀୟ ତଥ୍ୟ ବିଶ୍ଳେଷଣ ନିମିତ୍ତ ଗୁଗୁଲ୍ ଆର୍ଥ୍ ଇଞ୍ଜିନ୍ ଓ ଭୂ-ସ୍ଥାନିକ ଅବସ୍ଥାନ ଜନିତ ଅବଧାରଣାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରକାଶ କରିଥିଲେ । ଭୂଗୋଳ ବିଭାଗର ବିଭାଗ ମୁଖ୍ୟ ଡ. ନିହାର ରଞ୍ଜନ ରାଉତ ଯୋଗଦେଇ ଗୁଗୁଲ୍ ଆର୍ଥ୍ ଇଞ୍ଜିନ୍ ଏକ ମୁକ୍ତ ବ୍ୟବହାରିକ ଉତ୍ସ ହୋଇଥିବା ସହିତ ଏକ ଆକର୍ଷଣୀୟ ପ୍ଲାଟଫର୍ମ ହୋଇଥିବା ହେତୁ ବିଶେଷକରି ଭୂତତ୍ତ୍ୱ ସମ୍ପର୍କିତ ଅଧ୍ୟୟନ ଓ ତଥ୍ୟ ବିଶ୍ଳେଷଣ କ୍ଷେତ୍ରରେ ଛାତ୍ରୀଛାତ୍ରଙ୍କ ପାଇଁ ସହାୟକ ଅଟେ ବୋଲି କହିଥିଲେ । ଅନୁରୂପ ଭାବରେ ଭୂତତ୍ତ୍ୱ ବିଭାଗର ବିଭାଗ ମୁଖ୍ୟ ଡ. ରୋଜାଲିନ୍ ଦାସ ଏହି ଆପ୍ଲିକେସନ୍ରେ ଲକ୍ଷ ଲକ୍ଷ ତଥ୍ୟ ସନ୍ନିବେଶିତ ଥିବା ହେତୁ ଏହା ଏକ ଯୁଗୋପଯୋଗୀ ସଫ୍ଟୱେର୍ ବୋଲି ମତାମତ ଦେଇଥିଲେ ।
କର୍ମଶାଳାରେ ଓଡ଼ିଶା ଓ ଅନ୍ୟାନ୍ୟ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନରୁ ୬୫ ଜଣ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଛନ୍ତି । ଆସନ୍ତା ୨୦ ତାରିଖ ଶନିବାର ଏହି କର୍ମଶାଳା ଉଦ୍ଯାପିତ ହେବାର କାର୍ଯ୍ୟକ୍ରମ ରହିଛି । ମାନବ ସମ୍ବଳ ବିକାଶ କେନ୍ଦ୍ରର ସଦସ୍ୟ ଡ. ରାଜଶ୍ରୀ ଦତ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ମାନବ ସମ୍ବଳ ବିକାଶ କେନ୍ଦ୍ରର ଉପନିର୍ଦ୍ଦେଶକ ଡ. ଦେବଦତ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।