ବାଲେଶ୍ୱର : ଗଣେଶ ପୂଜା ପାଳନ ନହେବାକୁ ନେଇ ସିଦ୍ଧେଶ୍ୱର ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି, ମୁଖ୍ୟ ଫାଟକରେ ତାଲା ପକାଇଲେ ଛାତ୍ରୀଛାତ୍ର
ବସ୍ତା : ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଅମର୍ଦାରୋଡ଼ ସ୍ଥିତ ସିଦ୍ଧେଶ୍ୱର ମହାବିଦ୍ୟାଳୟରେ ଶୁକ୍ରବାର ଛାତ୍ର ଅଶାନ୍ତି ଦେଖାଦେଇଛି । ଚଳିତ ବର୍ଷ ମହାବିଦ୍ୟାଳୟରେ ଗଣେଶ ପୂଜା ପାଳନ ନହେବାକୁ କେନ୍ଦ୍ର କରି ଛାତ୍ରୀଛାତ୍ର କଲେଜ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପୋଲିସ ପହଞ୍ଚି ଆନ୍ଦୋଳନରତ ଛାତ୍ରୀଛାତ୍ର ଓ କଲେଜ କର୍ତୃପକ୍ଷଙ୍କ ସହ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।
ଆସନ୍ତା ୧୯ ତାରିଖରେ ଗଣେଶ ପୂଜା ଅନୁଷ୍ଠିତ ହେବ । ଏଯାବତ୍ କଲେଜ ପକ୍ଷରୁ କୌଣସି ବୈଠକର ଆୟୋଜନ ନହେବା ଓ ଚଳିତ ବର୍ଷ ପୂଜା ପାଳନ ନହେବା ନିଷ୍ପତ୍ତିକୁ ବିରୋଧ କରି ପୁର୍ନଃବିଚାର ଦାବିରେ ଛାତ୍ରୀଛାତ୍ର ମହାବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ । ଏହି ମହାବିଦ୍ୟାଳୟ ପକ୍ଷରୁ ଆୟୋଜିତ ମୁଖ୍ୟ ପୂଜାକୁ ବାଦ ଦେଲେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ଇତିହାସ, ଅର୍ଥନୀତି, ଇଂରାଜୀ, ଓଡ଼ିଆ, ଶିକ୍ଷା, ରାଜନୀତି ବିଜ୍ଞାନ ଆଦି ବିଭାଗ ମାନଙ୍କରେ ବିଭାଗ ମୁଖ୍ୟ, ଅଧ୍ୟାପକ ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ପ୍ରତି ବର୍ଷ ପୂଜାକାର୍ଯ୍ୟ ସମ୍ପନ୍ନ ହୋଇଆସୁଅଛି । ମାତ୍ର ଉକ୍ତ ବିଭାଗ ମାନଙ୍କ ମଧ୍ୟରୁ ଅଳ୍ପ କେତୋଟି ବିଭାଗକୁ ଛାଡ଼ି ଅନ୍ୟ ବିଭାଗ ମାନଙ୍କରେ ପୂଜା ହେଉ ନଥିବା ଜାଣିବାକୁ ପାଇ ପୁର୍ନଃବିଚାର ଦାବି କରି ଆଜି ଛାତ୍ରୀଛାତ୍ରମାନେ ମହାବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅକ୍ଷୟ କୁମାର ପରିଡ଼ା ଓ ଅନ୍ୟ ଅଧ୍ୟାପକ ମୁଖ୍ୟ ଫାଟକ ନିକଟକୁ ଯାଇ ବିଭାଗ ମୁଖ୍ୟଙ୍କ ସହ ଆଲୋଚନା କରି ନିଷ୍ପତ୍ତି ଜଣାଇବା ଲାଗି ପିଲାଙ୍କୁ ୧ଘଣ୍ଟା ସମୟ ନେଇଥିଲେ । ପରେ ଏକ ବୈଠକ ଡକାଯାଇ ପ୍ରତ୍ୟେକ ବିଭାଗର ମୁଖ୍ୟଙ୍କ ସହ ଆଲୋଚନା କ୍ରମେ ଛାତ୍ରୀଛାତ୍ରଙ୍କ ସହଯୋଗରେ ପୂଜାକାର୍ଯ୍ୟ ସମ୍ପାଦନ ହେବାର ନିଷ୍ପତ୍ତି ନିଆଯିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।