ବାଲେଶ୍ୱର : ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ଓ ଲାଭାର୍ଥୀ ସମାବେଶ
ବାଲେଶ୍ୱର : ଦେବଶିଳ୍ପୀ ଭଗବାନ ବିଶ୍ୱକର୍ମାଙ୍କ ଜନ୍ମ ଦିବସରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା’ ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମ ସମଗ୍ର ଦେଶର ବିଭିନ୍ନ ସହରରେ ଆଭାସୀ ମାଧ୍ୟମରେ ଆୟୋଜିତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଗାନ୍ଧୀ ସ୍ମୃତି ଭବନରେ ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତତ୍ତ୍ୱାବଧାନରେ ଏକ ସୁରମ୍ୟ କାର୍ଯ୍ୟକ୍ରମ ସହିତ ଯୋଜନାର ଲାଭାର୍ଥୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଧୋବା, ବାରିକ, ମୋଚି, କମାର, କୁମ୍ଭାର, ପଥର କାରିଗର, କଣ୍ଢେଇ କାରିଗର, ଜାଲ ବୁଣାଳୀ, ମିସ୍ତ୍ରୀ ପ୍ରମୁଖ ୧୮ ପ୍ରକାରର ପାରମ୍ପରିକ ଓ କୌଳିକ ବୃତ୍ତି କରୁଥିବା ବର୍ଗର ଲୋକମାନଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଏଥିରେ ଯୋଗ୍ୟ ବିବେଚିତ ଲାଭାର୍ଥୀଙ୍କୁ ବୃତ୍ତି ଅନୁସାରେ ଯନ୍ତ୍ରାଂଶ କିଣିବାରେ ୧୫୦୦୦ ଟଙ୍କାର ସହାୟତା ତତପଶ୍ଚାତ୍ ପ୍ରଶିକ୍ଷଣ ଦିଆଯିବ । ପ୍ରଶିକ୍ଷଣ ସମୟରେ ଦୈନିକ ୫୦୦ ଟଙ୍କା ଭତ୍ତା ସହିତ ବିନା ଗ୍ୟାରେଣ୍ଟିରେ ପ୍ରଥମେ ୫% ସୁଧ ହାରରେ ଏକ ଲକ୍ଷ ୠଣ ପ୍ରଦାନ କରାଯିବାର ପ୍ରାବଧାନ ରହିଛି । ଉତ୍ପାଦଗୁଡ଼ିକର ବିତରଣର ବ୍ୟବସ୍ଥା ମଧ୍ୟ କରାଯିବ । ଉଚିତ୍ ସମୟରେ ୠଣ ପରିଶୋଧ କଲେ ପରବର୍ତ୍ତୀ ସମୟରେ ୨ ଲକ୍ଷ ୠଣ ମିଳିପାରିବ ବୋଲି ଏମ୍ପି ଶ୍ରୀ ଷଡ଼ଙ୍ଗୀ ପ୍ରକାଶ କରିଥିଲେ ।
କାର୍ଯ୍ୟକ୍ରମରେ ଜିଲାର ଏହି ସମସ୍ତ ବୃତ୍ତିରେ ଯୁକ୍ତ ଥିବା ସଂଗଠନର କର୍ମକର୍ତ୍ତା ଯୋଗଦେଇଥିଲେ । ଏହ ପରିପ୍ରେକ୍ଷୀରେ ମୋଟ୍ ୪୬୫ ଜଣ ବ୍ୟକ୍ତି ପଞ୍ଜିକରଣ କରିଛନ୍ତି । ସମାଜ ନିର୍ମାଣରେ ଆବାହମାନ କାଳରୁ ନିୟୋଜିତ ଏହି ବ୍ୟକ୍ତି ବର୍ଗଙ୍କ ବିଷୟରେ କୌଣସି ସରକାର କେବେହେଲେ ଚିନ୍ତିତ ନଥିଲେ କି ସମ୍ମାନିତ କରିନଥିଲେ । ପ୍ରଧାନମନ୍ତ୍ରୀ ଆଜି ସେହି ବର୍ଗର ଲୋକମାନଙ୍କୁ ବିଶ୍ୱକର୍ମାର ଆଖ୍ୟା ଦେଇ ଏକ ସ୍ୱତନ୍ତ୍ର ପରିଚୟ ସହିତ ସ୍ୱାବଲମ୍ବୀ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିବାରୁ ଉପସ୍ଥିତ ଲାଭାର୍ଥୀମାନେ ଯୋଜନାକୁ ଭୂୟସୀ ପ୍ରଶଂସା କରିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । କାର୍ଯ୍ୟକ୍ରମରେ ଭାଜପା ଜିଲା ସଭାପତି ଉମାକାନ୍ତ ମହାପାତ୍ର, ନୀଳଗିରି ବିଧାୟକ ଇଂ. ସୁକାନ୍ତ ନାୟକ, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର ଓ ଶୋଭନା ମହାନ୍ତି, ରାଜ୍ୟ ମହିଳା ମୋର୍ଚ୍ଚା ଉପ-ସଭାନେତ୍ରୀ ସୁଷମା ରାଣୀ ବିଶ୍ୱାଳ, ରାଜ୍ୟ ଯୁବମୋର୍ଚ୍ଚା ଉପ-ସଭାପତି ମାନସ କୁମାର ଦତ୍ତ, ଜିଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ପ୍ରଦୀପ ପଣ୍ଡା, ଇଶ୍ୱର ଚନ୍ଦ୍ର ବେହେରା, ପୂର୍ବତନ ଜିଲା ସଭାପତି ଲମ୍ବୋଦର ନାୟକ, ସମ୍ପାଦକ ଆଶିଷ ଘୋଷ, ବିଜୟ ସାହୁ, ଉପ-ସଭାପତି କମଲଲୋଚନ ଦାସ, ମମତା ମହାପାତ୍ର, ସୋର ବିଧାୟକ ପାର୍ଥୀ ରାକେଶ ମଲ୍ଲିକ, ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ ଓ ସହ-ସଂଯୋଜକ ରଞ୍ଜିତ ପୁଷ୍ଟି, ଅରୂପ ଜେନା, ସଞ୍ଜିବ ସାହୁ, ତାପସ ମହାନ୍ତି, ମନୀଷା ବେହେରା, ନାରାୟଣ ମହନ୍ତ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।