ବାଲେଶ୍ୱର : ୪ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବନ୍ଦୋବସ୍ତ ଅଫିସର କନିଷ୍ଠ କିରାଣୀ
ବାଲେଶ୍ୱର : ବାଲେଶ୍ୱର ଜିଲା ବନ୍ଦୋବସ୍ତ ଅଫିସରେ କାର୍ଯ୍ୟରତ ଜଣେ କନିଷ୍ଠ କିରାଣୀ ଲକ୍ଷ୍ମୀନାରାୟଣ ନାଥ ଶୁକ୍ରବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଏକ ଜମିଜମା ମାମଲାରେ ସାହଜାନ ଅଲୀ ଖାଁଙ୍କ ଠାରୁ କନିଷ୍ଠ କିରାଣୀ ଶ୍ରୀ ନାଥ ୪ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡ଼ିଥିଲେ ।
ଘଟଣାରୁ ପ୍ରକାଶ, ଭଦ୍ରକ ଗୁଜି ଦରଡ଼ା ଗ୍ରାମର ସାହାଜାନ୍ ଅଲ୍ଲୀ ଖାଁ ପୈତୃକ ସମ୍ପତିର ୟାଦସ ସାବକ (୧୯୩୦ ମସିହା ପୂର୍ବର)ର ସାର୍ଟିଫାଏଡ ନକଲ ନେବାପାଇଁ ବନ୍ଦୋବସ୍ତ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ନକଲ ପାଇବା ନିମନ୍ତେ ଆବେଦନକାରୀ ଶ୍ରୀ ଖାଁ ବହୁବାର ବନ୍ଦୋବସ୍ତ କାର୍ଯ୍ୟାଳୟକୁ ଦୌଡ଼ି ନୟାନ୍ତ ହୋଇଥିଲେ । ଏପରିକି ଶ୍ରୀ ନାଥ ତାଙ୍କୁ ଆଜିକାଲି କହି ବାରମ୍ବାର ଫେରାଉଥିଲେ । ପରେ କିରାଣୀ ଶ୍ରୀ ନାଥ ଏଥିନିମନ୍ତେ ୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଶ୍ରୀ ଖାଁ ୧ ହଜାର ଟଙ୍କା ଲାଞ୍ଚ ଦେବାପରେ ବାଲେଶ୍ୱର ଭିଜିଲାନ୍ସର ଦୃଷ୍ଟି ଆକର୍ଷଣ କରିଥିଲେ । ପୂର୍ବ ଯୋଜନା ମତେ ଶୁକ୍ରବାର ପୂର୍ବାହ୍ନରେ ସାହାଜାନ ଅଲ୍ଲୀ ଖାଁ ୪ ହଜାର ଟଙ୍କା ଲାଞ୍ଚ କିରାଣୀ ଲକ୍ଷ୍ମୀନାରାୟଣ ନାଥଙ୍କୁ ଦେବା ସମୟରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା । ଏ ବାବଦରେ ଭିଜିଲାନ୍ସ ପକ୍ଷରୁ ମାମଲା (ନଂ.୩୨/୨୩) ରୁଜୁ କରାଯାଇଛି । ଗିରଫ ଶ୍ରୀ ନାଥ ଗତ ୨୦୧୨ ମସିହାରେ କନିଷ୍ଠ କିରାଣୀ ଭାବେ କାର୍ଯ୍ୟରେ ଯୋଗଦେଇଥିଲେ । କିରାଣୀ ଶ୍ରୀ ନାଥଙ୍କର ବିଭିନ୍ନ ବ୍ୟବସାୟ ଥିବାର ଭିଜିଲାନ୍ସ ବିଭାଗ ଜାଣି ପାରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଭିଜିଲାନ୍ସର ୮ଜଣିଆ ଟିମ୍ ବାଲେଶ୍ୱର କଂଗ୍ରେସ ଅଫିସ ସ୍ଥିତ ଭଡ଼ା ଘର, ସାହାଦା ସ୍ଥିତ ପୈତୃକ ବାସଭବନ ଓ ସରକାରୀ କାର୍ଯ୍ୟାଳୟରେ ଚଢ଼ାଉ କରି କିଛି କାଗଜାତ ଜବତ କରିଥିବାର ଭିଜିଲାନ୍ସ ଅଫିସ ପକ୍ଷରୁ ଜଣାପଡ଼ିଛି ।