ବାଲେଶ୍ୱର : କୋଭିଡ଼ ସମ୍ବଳିତ ଆଲୋଚନାଚକ୍ର, ପରିଚାଳନା ନେଇ ବିଭିନ୍ନ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ
ବାଲେଶ୍ୱର : ମହାମାରୀ କରୋନାର ଦ୍ଵିତୀୟ ଲହର ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲାରେ ମଧ୍ୟ କରୋନା ସଂକ୍ରମଣ ହୁ ହୁ ହୋଇ ମାଡି ଚାଲିଛି । ଇତି ମଧ୍ୟରେ ଜିଲାରେ ସଂକ୍ରମଣ ଦୃଷ୍ଟିରେ ଲାଲ ବଳୟ ମଧ୍ୟକୁ ଯାଇ ସାରିଛି । ଏନେଇ ଶନିବାର କୋଭିଡ଼ ସମ୍ବଳିତ ଏକ ଆଲୋଚନାଚକ୍ରରେ ବାଲେଶ୍ୱର ଜିଲାପ୍ରଶାସନ ଓ ସମସ୍ତ ଲୋକପ୍ରତିନିଧି ଯଥା ବିଧାୟକ, ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ, ଭଦ୍ରକ ଏମ୍ପି, ବ୍ଲକ ଚେୟାରମ୍ୟାନ୍ ବୃନ୍ଦ, ଜିଲାପରିଷଦ ଅଧ୍ୟକ୍ଷା ଓ ସଦସ୍ୟଗଣ, ସରପଞ୍ଚ ପ୍ରମୁଖଙ୍କ ସହ ମିଳିତ ହୋଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜିଲାର କୋଭିଡ୍ ପରିଚାଳନା ସମ୍ବଳିତ ତଥ୍ୟ ଜିଲାପାଳ ମହୋଦୟ ଉପସ୍ଥାପନ କରିଥିଲେ । ସେହିପରି ବାଲେଶ୍ୱର ଏମପି ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କୋଭିଡ଼ ପରିଚାଳନା ନେଇ ବିଭିନ୍ନ ପରାମର୍ଶ ମାନ ଉପସ୍ଥାପନ କରିଥିଲେ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀଙ୍କ ପରାମର୍ଶ ଅନୁସାରେ, ଜିଲାକୁ କରୋନା ମୁକ୍ତ କରିବା ପାଇଁ ଆମେ ଦୃଢ଼ ଇଚ୍ଚାଶକ୍ତିର ସହିତ ସଂକଳ୍ପ ନେବା ଆବଶ୍ୟକ । କୋଭିଡ୍ ଚିକିତ୍ସା କେନ୍ଦ୍ରମାନଙ୍କରେ (ସିସିସି, ଡିସିଏଚ୍ ଓ ଟିଏମ୍ସି) ସ୍ୱଚ୍ଛତା ପ୍ରତି ବିଶେଷ ଧ୍ୟାନ ଦିଆଯାଉ । ରୋଗୀର ବିଛଣାପତ୍ର, ଘର, ଭୋଜନ ଓ ପାକଶାଳା ଏବଂ ପରିସର ସର୍ବତ୍ର ସ୍ୱଚ୍ଛତା ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଉ । ଜଳ ନିଷ୍କାସନର ସୁବ୍ୟବସ୍ଥା ମଧ୍ୟ ନିହାତି ଜରୁରୀ । ରୋଗୀମାନେ ଏକୁଟିଆ ରହୁଥିବାରୁ ଅନେକ ସମୟରେ ଅବସାଦଗ୍ରସ୍ତ ହୋଇଥାନ୍ତି ସୁଲଭ ବେଦଯନ୍ତ୍ର ଭଜନ ଆଦି ବିଭିନ୍ନ ମାଧ୍ୟମରେ ଶୁଣାଇ ତାଙ୍କର ମନର ପ୍ରସନ୍ନତା ବଜାୟ ରଖାଯାଉ । ପ୍ରତି କୋଠରୀରେ ଟିଭି ଲଗାଯାଇ ରାମାୟଣ, ମହାଭାରତ ଏବଂ ଶ୍ର୍ରୀକୃଷ୍ଣ ପ୍ରଭୃତି ପ୍ରେରଣାଦାୟୀ ଧାରାବାହିକ ପ୍ରଦର୍ଶନ କରାଯାଉ । ମଝିରେ ମଝିରେ ଭର୍ଚୁଆଲ ପ୍ରବଚନ (ସାଧୁ, ସନ୍ଥ ବା ଅନ୍ୟ ପ୍ରେରଣାଦାୟୀ ବକ୍ତାଙ୍କ ଦ୍ୱାରା) କରାଯାଉ । ଦିନରେ ଦୁଇଓଳି ଭିଡ଼ିଓ କନଫାରେନ୍ସ ବା ପ୍ରତ୍ୟକ୍ଷ ରୂପେ ପ୍ରାଣାୟାମଦିର ପ୍ରଶିକ୍ଷଣ ଦିଆଯାଉ । ଏଥିପାଇଁ ବିବେକାନନ୍ଦ କେନ୍ଦ୍ର, ଆର୍ଟ ଅଫ୍ ଲିଭିଙ୍ଗ୍ ଓ ପତଞ୍ଜଳି ଯୋଗପୀଠ ଆଦି ସଂସ୍କାର ଯୋଗ ଶିକ୍ଷକମାନଙ୍କର ସହଯୋଗ ନିଆଯାଇପାରେ । ଏସବୁ ଦ୍ୱାରା ସେମାନଙ୍କର ଆତ୍ମବିଶ୍ୱାସ ବଢ଼ିବ ଏବଂ ସେମାନଙ୍କର ରୋଗ ପ୍ରତିରୋଧକାରୀ ଶକ୍ତି ମଧ୍ୟ ବୃଦ୍ଧି ପାଇବ । ଖାଦ୍ୟର ମାନ ଏବଂ ପୋଷାକ ତତ୍ତ୍ୱ ସୁନିଶ୍ଚିତ କରାଯାଉ । ସମସ୍ତଙ୍କୁ ପ୍ରତିଦିନ କାଡ଼ା ଦିଆଯାଉ । ପ୍ରତି କେନ୍ଦ୍ର ପାଇଁ ଅଧିକ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀ ନିଯୁକ୍ତ କରାଯାଉ । ରୋଗୀର ଉପଯୁକ୍ତ ଯତ୍ନ ନିଆଯାଇଛି ବୋଲି ସେ ଅନୁଭୂତ କରୁ । ରୋଗୀର ଅଭିଭାବକମାନଙ୍କୁ ପ୍ରତିଦିନ ଦୁଇଥଣ ମୋବାଇଲ ଦ୍ୱାରା ଅବସ୍ଥା ବିଷୟରେ ସୂଚନା ପ୍ରଦାନ କରାଯାଉ । ସୁରକ୍ଷା ଓ ବିଶେଷତଃ ମହିଳାମାନଙ୍କର ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଉ । କେହି ମରିବା ମାତ୍ରେ ଶବକୁ ତୁରନ୍ତ ସେଠାରୁ ସ୍ଥାନାନ୍ତର କରାଯାଉ । ଦୀର୍ଘ ସମୟ ସେଠାରେ ପଡ଼ି ରହିବା ଫଳରେ ପାଶ୍ୱର୍ବର୍ତ୍ତୀ ରୋଗୀ ଭୟଭୀତ ହେଉଛନ୍ତି । ଡାକ୍ତରଖାନାର କର୍ତ୍ତୃପକ୍ଷମାନଙ୍କୁ ବିପୁଳ ପରିମାଣର ପିପିଇ କିଟ୍ ପ୍ରଦାନ କରାଯାଉ । ସେମାନଙ୍କର ମନୋବଳ ବଢ଼ାଇବା ପାଇ ନିରନ୍ତର ସମ୍ବାଦ (ଓରିଏଣ୍ଟେସନ୍ ଓ କାଉନସେଲିଂ) କରାଯାଉ । ଅଧିକ ପରୀକ୍ଷଣ କେନ୍ଦ୍ର ଖୋଲାଯାଇ ଓ ଅଧିକ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ମଧ୍ୟ କରାଯାଉ । ହୋମ୍ କ୍ୱାରେଣ୍ଟାଇନ୍ର ପ୍ରତିଦିନ ସର୍ବେକ୍ଷଣ ହେଉ । ରୋଗୀମାନଙ୍କ ସହିତ ସହାନୁଭୂତି ପୂର୍ବକ ବ୍ୟବହାର କରାଯାଉ ।