ବାଲେଶ୍ୱର : ଗନିପୁରରେ ଗୋଷ୍ଠୀ ସଂଘର୍ଷ, ୧୪୪ଧାରା ଜାରି, ବ୍ୟାପକ ପୋଲିସ ମୁତୟନ
ବାଲେଶ୍ୱର : ହିନ୍ଦୁ ନବ ବର୍ଷ ଅବସରରେ ବଜରଙ୍ଗ ଦଳ ପକ୍ଷରୁ ରବିବାର ବାଲେଶ୍ୱର ଜିଲା ରେମୁଣା ଥାନା ଅର୍ନ୍ତଗତ ରେମୁଣା ମନ୍ଦିର ଛକ ଠାରୁ ଏକ ଶୋଭାଯାତ୍ରା ବାହାରିବାର ଥିଲା । ଏହା ଗନିପୁର ହୋଇ କନକଦୁର୍ଗା ମନ୍ଦିର ପର୍ଯ୍ୟନ୍ତ ଯିବାର କାର୍ଯ୍ୟକ୍ରମ ରହିଥିଲା । ଏହି ଅବସରରେ ଅପରାହ୍ନ ୩ଟା୩୦ମିନିଟ ସମୟରେ ମନ୍ଦିର ଛକ ଠାରୁ ଏହି ଶୋଭାଯାତ୍ରା ବାହାରି ଗନିପୁର ବସ୍ତି ମଧ୍ୟରେ ପ୍ରବେଶ କରିବା ପରେ ସେହି ବସ୍ତିର କିଛି ଅନ୍ୟ ସମ୍ପ୍ରଦାୟର ଲୋକେ ଅଚାନକ ଏହି ଶୋଭାଯାତ୍ରା ଉପରେ ପଥରମାଡ଼ କରିଥିଲେ । ଏହି ପଥରମାଡ ପରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡୋଗୋଳ ଆରମ୍ଭ ହୋଇଥିଲା । ଏଥିରେ ପୋଲିସ କର୍ମଚାରୀଙ୍କ ସମତେ ଉଭୟ ଗୋଷ୍ଠୀର ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ଆହତ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଆହତଙ୍କ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ପରିସ୍ଥିତିକୁ ନଜରରେ ରଖାଯାଇ ଘଟଣାସ୍ଥଳରେ ୧୪୪ଧାରା ଜାରି କରାଯାଇଥିବା ବେଳେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ସୂଚନା ଅନୁସାରେ, ରବିବାର ବଜରଙ୍ଗ ଦଳ ପକ୍ଷରୁ ହିନ୍ଦୁ ନବ ବର୍ଷ ଅବସରରେ ଏକ ଶୋଭାଯାତ୍ରା ଗୋପୀନାଥ ମନ୍ଦିର ଛକରୁ ବାହାରି ଗନିପୁର ହୋଇ ପୁଟପୋଖରୀ ସ୍ଥିତ କନକ ଦୁର୍ଗା ମନ୍ଦିର ହୋଇ ସେଠାରୁ ଫେରିବାର କାର୍ଯ୍ୟକ୍ରମ ରହିଥିଲା । ଏହି ଅନୁସାରେ ଶୋଭାଯାତ୍ରା ମଧ୍ୟ ବାହାରିଥିଲା । ହେଲେ ଶୋଭାଯାତ୍ରା ଗନିପୁର ବସ୍ତି ମଧ୍ୟରେ ପ୍ରବେଶ କରିବା ପରେ ବାଲିପାଟଣା ପ୍ରାଥମିକ ବିଦ୍ୟାଳୟ ନିକଟରେ ଅନ୍ୟ ସମ୍ପ୍ରଦାୟର ଲୋକେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବା ସାଉଣ୍ଡକୁ କମାଇବା ପାଇଁ କହିଥିଲେ । ଏପରିକି ସେମାନେ ସମ୍ପୂର୍ଣ୍ଣ ଭାବେ ମାଇକ ବନ୍ଦ କରିବାକୁ ଉଦ୍ୟମ କରିଥିଲେ । ତେବେ ସେଠାରେ ଏହି ଶୋଭାଯାତ୍ରା ଅଟକି ଯିବା ଫଳରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ସେମାନଙ୍କ ଉପରକୁ ଢ଼େଲାପଥର ମାଡ ଆରମ୍ଭ କରିଥିଲେ । ଉଭୟଙ୍କ ପକ୍ଷରୁ ଢ଼େଲାପଥର ମାଡ ଫଳରେ ବ୍ୟାପକ ଭଙ୍ଗାରୁଜା ହୋଇଥିବା ବେଳେ ପୋଲିସ ଏବଂ ଶୋଭାଯାତ୍ରାକାରୀଙ୍କ ସମେତ ୫୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି । ତେବେ ଘଟଣା ବଢ଼ିବା ପରେ ତୁରନ୍ତ ସେଠାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏପରିକି ଛକଛକମାନଙ୍କରେ ଶହ ଶହ ସଂଖ୍ୟାରେ ପୋଲିସ ମୁତୟନ କରାଯାଇଥିବା ଦେଖିବାକୁ ମିଳିଛି । ଏହି ଢ଼େଲାପଥର ମାଡ଼ରେ ଏସ୍ପିଙ୍କ ଗାଡ଼ି ଭାଙ୍ଗିଥିବା ଜଣାଯାଇଛି । ଘଟଣା ସ୍ଥଳରେ ଆଇଜି ଦୀପକ କୁମାରଙ୍କ ସମେତ ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥଙ୍କ ସମେତ ସିଟି ଡିଏସପି ଗାୟତ୍ରୀ ପ୍ରଧାନ, ସଦର ଏସ୍ଡିପିଓ ଡ. ଶଶାଙ୍କ ଶେଖର ବେହୁରିଆ, ରେମୁଣା ଥାନା ଅଧିକାରୀ ଆର୍ତ୍ତତ୍ରାଣ ସେଠୀ ପ୍ରମୁଖଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଛନ୍ତି । ତେବେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଲକ୍ଷ୍ୟ କରି ସେଠାରେ ୧୪୪ଧାରା ଜାରି କରାଯାଇଛି । ତେବେ ଏହି ଘଟଣାରେ ପରେ ଗନିପୁର ବସ୍ତିରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ବେଳେ ଆକ୍ରମଣକାରୀଙ୍କୁ ଖୋଜା ଚାଲିଛି ।