ବାଲେଶ୍ୱର : କୌନ ବନେଗା କୋରଡ଼ପତିରେ ଭାଗ ନେଇ ୨୫ ଲକ୍ଷ ଟଙ୍କା ଜିତିଲେ ଅଜମତ, ଅମିତାଭଙ୍କ ୧୩ ପ୍ରଶ୍ନର ଦେଲେ ଉତ୍ତର
ବାଲେଶ୍ୱର : ସୋନି ଟିଭିର ଲୋକପ୍ରିୟ ରିଏଲିଟି ଶୋ କୌନ ବନଗୋ କରୋଡ଼ପତି (କେବିକେ) କାର୍ଯ୍ୟକ୍ରମରେ ଭାଗ ନେଇ ୨୫ ଲକ୍ଷ ଟଙ୍କାର ପୁରଷ୍କାର ରାଶି ଜିତିଛନ୍ତି ବାଲେଶ୍ୱର ଜିଲା ସଦର ବ୍ଲକ ରାଇସୁଆଁ ପଞ୍ଚାୟତ ଅନ୍ତର୍ଗତ ସିଙ୍ଗାରପୁର ଗ୍ରାମର ସେଖ ଅଜମତ (୩୮) ।
ଗତ ସେପ୍ଟେମ୍ବର ମାସ ୨୯ ତାରିଖରେ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ବିଗ୍ ବି ଅମିତାଭ ବଚ୍ଚନଙ୍କ ୧୩ଟି ପ୍ରଶ୍ନର ସଠିକ୍ ଉତ୍ତର ଦେବାରେ ସେ ସମର୍ଥ ହୋଇଥିଲେ । ନଭେମ୍ବର ୧୩ ତାରିଖରେ ଏହା ଟେଲିଭିଜନରେ ପ୍ରସାରିତ ହେବା ଜିଲାର ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ବାଲେଶ୍ୱର ବିଧାୟକ ସ୍ୱରୁପ କୁମାର ଦାସ ଅଜମତଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି । ଏଥିସହ ପରିବାର ଲୋକେ କେକ କାଟି ବେଶ ଖୁସି ମନାଇଛନ୍ତି ।
ସେଖ ଅଜମତ ଏହି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଦୀର୍ଘ ଦିନରୁ ପ୍ରୟାସ କରି ଆସୁଥିଲେ । ଗତ ସେପ୍ଟେମ୍ବର ମାସରେ ତାଙ୍କ ପାଖକୁ ଚେନାଲ ପକ୍ଷରୁ ଫୋନ ଆସିଥିଲା । ସୁପରଷ୍ଟାର ବିଗ ବି ଅମିତାଭ ବଚ୍ଚନଙ୍କ ସମ୍ମୁଖରେ ହଟ ସିଟ୍ରେ ବସିବା ପାଇଁ ସୌଭାଗ୍ୟ ଅର୍ଜନ କରିଥିଲେ । ତାଙ୍କର ସମସ୍ତ ପ୍ରଶ୍ନର ସଠିକ୍ ଉତ୍ତର ଦେବା ପାଇଁ ପ୍ରୟାସ କରିଥିଲେ । ଅଜମତ ଜଣେ ଗରିବ ପରିବାରର ପିଲା ହୋଇଥିବାରୁ ଗାଁ ପିଲାମାନଙ୍କୁ ଟ୍ୟୁସନ କରି ପରିବାର ପ୍ରତିପୋଷଣ କରୁଥିଲେ । ସେଖ ସାର ନାମରେ ସେ ସ୍ଥାନୀୟ ଅଞ୍ଚଳରେ ପରିଚିତ । ଟିଉସନ ସମୟ ପରେ ତାଙ୍କର ଗାଁ ଛକରେ ଥିବା ଏକ ଗ୍ରୋସରୀ ଦୋକାନରେ ବ୍ୟବସାୟ କରି ଦି ପଇସା ରୋଜଗାର କରିଥାନ୍ତି । ଅଜମତ ଏହି ପୁରସ୍କାର ଜିତି ବାଲେଶ୍ୱର ଜିଲା ପାଇଁ ଗୌରବ ଆଣିଛନ୍ତି । ତାଙ୍କର ବାପା, ପତ୍ନୀ ଓ ଦୁଇ ଝିଅ ଅଛନ୍ତି ।