ବଲାଙ୍ଗିର ଜାଲ୍ ସାର୍ଟିଫିକେଟ ରାକେଟର ପର୍ଦ୍ଦାଫାସ ୧୯ ଗିରଫ, ଆଗକୁ ଗିରଫଦାରୀ ସଂଖ୍ୟା ବଢିପାରେ- ଏସପି
ବଲାଙ୍ଗିର : ବଲାଙ୍ଗିର ଜାଲ୍ ସାର୍ଟିଫିକେଟ ରାକେଟର ପର୍ଦ୍ଦାଫାସ କରିଛି ଜିଲ୍ଲା ପୋଲିସ ।ଆଜି ପୂର୍ବାହ୍ନରେ ବଲାଙ୍ଗିର ଟାଉନ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଏସପି ନୀତିନ କୁଶଲକର କହିଛନ୍ତି ଯେ, ମାମଲାରେ ଅଦ୍ୟାବଧି ୧୯ ଜଣଙ୍କୁ ଗିରଫ କରାଯାଇଛି । ରିଲାଏନ୍ସ ଏଜୁକେସନାଲ କମ୍ପେ୍ଲକ୍ସର ମାଲିକ ତଥା ଜାଲ୍ ସାର୍ଟିଫିକେଟ ରାକେଟର ମୁଖ୍ୟ ଅଭିଯୁକ୍ତ ମନୋଜ କୁମାର ମିଶ୍ର, ତାର ସହଯୋଗୀ ଆଲୋକ ଉଦ୍ଗାତାଙ୍କ ସମେତ ୧୯ ଜଣଙ୍କୁ ଗିରଫ କରାଯାଇଛି । ଚଢ଼ଉ ବେଳେ ସମ୍ପୃକ୍ତ ସଂସ୍ଥାରୁ ୧ ହଜାରରୁ ୫ ହଜାର ନକଲି ସାର୍ଟିଫିକେଟ ଜବତ ହୋଇଛି । ଏହା ମଧ୍ୟରେ ରହିଛି ୪୧ ୟୁନିଭରସିଟି ଓ ସ୍କୁଲର ନକଲି ସାର୍ଟିଫିକେଟ । କମ୍ପ୍ୟୁଟର, ହାର୍ଡଡିସ୍କ, ମୋବାଇଲ ଓ ଆକାଉଂଟ ଡିଟେଲ୍ସ ମିଳିଛି । ତହସିଲଦାର, ଜଏଂଟ ଡାଇରେକ୍ଟର ଭଳି ଅଧିକାରୀଙ୍କ ନକଲି ରବର ଷ୍ଟାମ୍ପ ମଧ୍ୟ ମିଳିଛି । ଏହି ରାକେଟ୍ ଗୋଟିଏ ସାର୍ଟିଫିକେଟକୁ ଦେଢ଼ ଲକ୍ଷରୁ ୨ ଲକ୍ଷ ଟଙ୍କାରେ ବିକ୍ରି କରୁଥିଲା । ଏପରିକି ଅଧିକରୁ ଅଧିକ ଗୋଟିଏ ସାର୍ଟିଫିକେଟକୁ ୫ ଲକ୍ଷ ଟଙ୍କାରେ ବିକ୍ରି କରାଯାଉଥିଲା । ତେବେ ଆଗକୁ ଏନେଇ ଅଧିକ ତଦନ୍ତ ହେବ । ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହେବ । ଆଗକୁ ମାମଲାରେ ଗିରଫଦାରୀ ସଂଖ୍ୟା ବଢିପାରେ ବୋଲି ଏସପି କହିଛନ୍ତି । ଅନ୍ୟପକ୍ଷରେ ଜିଲ୍ଲାରେ ୭ରୁ ୮ ବର୍ଷ ହେବ ଏହି ରାକେଟ୍ ଚାଲୁଥିଲା ବୋଲି କହିଛନ୍ତି ଏସପି ନୀତିନ କୁଶଲକର । ଏଠାରେ ଉଲ୍ଲେଖଯୋଗ୍ୟ, ନିକଟରେ ବଲାଙ୍ଗିର ଜିଲ୍ଲାରେ ଡାକଘରେ ନିଯୁକ୍ତି ପ୍ରକ୍ରିୟାରେ ସାର୍ଟିଫିକେଟ ଭେରିଫିକେସନ ବେଳେ ଦୁଇ ଜଣଙ୍କୁ ଧରିଥିଲେ ବଲାଙ୍ଗିର ପୋଷ୍ଟାଲ ସୁପରିଟେଣ୍ଡେଂଟ ରାଜେନ୍ଦ୍ର କୁମାର ପଟ୍ଟନାୟକ । ଏନେଇ ସେ ୩୮ ଜଣଙ୍କ ନାମରେ ନକଲି ସାର୍ଟିଫିକେଟ ଦେଇଥିବା ନେଇ ବଲାଙ୍ଗିର ଟାଉନ୍ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି ପୋଲିସ ୧୪୩/୨୩ ରେ ଏକ ମାମଲା ରୁଜ୍ଜୁ କରିଥିଲା । ଭାରତୀୟ ପିଙ୍ଗଳ କୋଡର ଦଫା ୪୨୦/ ୪୬୫/୪୬୭/୪୬୮/୪୭୧ ଏବଂ ୩୪ ବଳରେ ମାମଲା ରୁଜ୍ଜୁ ହୋଇଥିଲା । ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଇନଷ୍ଟିଚ୍ୟୁଟରୁ ମିଳିଥିବା ଡାଏରୀରୁ ନିଯୁକ୍ତି ପାଇଥିବା ଅନେକଙ୍କ ନାମ ମଧ୍ ଜଣାପଡିଛି । ତେବେ ସେମାନେ କେଉଁ କେଉଁ ବିଭାଗରେ କାର୍ଯ୍ୟ କରୁଛନ୍ତି ତାହା ଉପରେ ମଧ୍ୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି କହିଛନ୍ତି ।