ବାହାନଗା ଟ୍ରେନ୍ ଟ୍ରାଜେଡ଼ି : ୧୨ରେ ମିଳିତ ବିରୋଧୀ ଦଳଙ୍କ ପକ୍ଷରୁ ବାଲେଶ୍ୱର ରେଳ ଷ୍ଟେସନରେ ଗଣ ବିକ୍ଷୋଭ
ବାଲେଶ୍ୱର : ବାଲେଶ୍ୱର ଜିଲା ବାହାନଗା ନିକଟରେ ଗତ ୨ ତାରିଖ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାରେ କେନ୍ଦ୍ର ସରକାରଙ୍କ ଭୂମିକାକୁ ନେଇ ମିଳିତ ବିରୋଧୀ ଦଳଙ୍କ ପକ୍ଷରୁ ଆସନ୍ତା ୧୨ତାରିଖରେ ବାଲେଶ୍ୱର ରେଳ ଷ୍ଟେସନ ପରିସରରେ ଅନୁଷ୍ଠିତ ହେବାକୁ ଥିବା ଗଣବିକ୍ଷୋଭ ପାଇଁ ବୁଧବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସିିପିଆଇଏମ ନେତା ଭାଗବତ ପ୍ରତିହାରୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ କଂଗ୍ରେସ ଦଳର ଜିଲା ସଭାପତି ସଞ୍ଜୀବ ଗିରି, ସିିପିଆଇଏମ ଜିଲା ସମ୍ପାଦକ ଶିଶିର ହୁଇ, ଆପ ଜିଲା ସମ୍ପାଦକ ନିକୁଞ୍ଜ କୁମାର ମହାନ୍ତି, ଫରୱାର୍ଡ଼ ବ୍ଲକ ସର୍ବେଶ୍ୱର ମିଶ୍ର, ନିର୍ମଳ ନାୟକ, ପ୍ରେମ ରଞ୍ଜନ ପାତ୍ର, ଗୌରାଙ୍ଗ ପାଣିଗ୍ରାହୀ, ବିଜୟ ପାତ୍ର, ପ୍ରଶାନ୍ତ ରାୟ, ଚାଷୀ ମୂଲିଆ ନେତା ଅରୁଣ ଜେନା, ଲକ୍ଷ୍ମୀ ଧରି ଗିରି ପ୍ରମୁଖ ଯୋଗଦେଇ ପ୍ରସ୍ତାବିତ ଆନ୍ଦୋଳନର ରୂପରେଖ ସମ୍ପର୍କରେ ଆଲୋଚନା କରିଥିଲେ ।
ବିଶେଷ କରି ସୁପ୍ରିମକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍ଆଇଟି) ମାଧ୍ୟମରେ ତଦନ୍ତ, କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ସିବିଆଇର ତଦନ୍ତ ପ୍ରତ୍ୟାହାର, ନିରପେକ୍ଷ ତଦନ୍ତ ପାଇଁ ନୈତିକତା ଦୃଷ୍ଟିକୋଣରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା, ସମସ୍ତ ମୃତକଙ୍କ ଫଟୋ ସହିତ ନାମ ତାଲିକା ସାର୍ବଜନୀନ ଭାବେ ବିଭିନ୍ନ ଭାଷାର ଦୈନିକ ଖବର କାଗଜରେ ପ୍ରକାଶ, ମୃତକଙ୍କ ଚି଼ହ୍ନଟ ପ୍ରକ୍ରିୟା ସରଳୀକରଣ, ପ୍ରତ୍ୟେକ ମୃତକ ପରିବାରକୁ ତୁରନ୍ତ ୫୦ଲକ୍ଷ ଟଙ୍କା ଆର୍ଥିକ ସହାୟତା, ସମସ୍ତ ଆହତମାନଙ୍କୁ ଉନ୍ନତ ଏବଂ ଅତ୍ୟାଧୁନିକ ମାଗଣା ଚିକିତ୍ସା ପ୍ରଦାନ ଏ ସୁସ୍ଥ ହେବା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ, ପ୍ରତ୍ୟେକ ମୃତକ ଓ ଗୁରୁତର ସମ୍ପୂର୍ଣ୍ଣ ଭିନ୍ନକ୍ଷମ ହୋଇଥିବା ପରିବାରର ଜଣେ ସଦସ୍ୟଙ୍କୁ ରେଳ ବିଭାଗରେ ନିଯୁକ୍ତି ପ୍ରଦାନ ସହିତ ରେଳ ବିଭାଗରେ ଖାଲି ପଡ଼ିଥିବା ୩ଲକ୍ଷ ୧୨ହଜାର ପଦବୀ ଅବିଳମ୍ବେ ପୂରଣ ପ୍ରଭୃତି ଦାବି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିସହିତ ରେଳ ଭିତ୍ତିଭୂମିର ସାମଗ୍ରିକ ବିକାଶ, ରେଳଧାରଣାର ରକ୍ଷଣା ବେକ୍ଷଣ, ଆସନ୍ନ ଦୁର୍ଘଟଣା ରୋକିବା ପାଇଁ ଅତ୍ୟାଧୁନିକ କାରିଗରୀ କୌଶଳ ସମ୍ପନ୍ନ \”କବଚ’ ବ୍ୟବହାର, ଘରୋଇକରଣ ପ୍ରକ୍ରିୟା ବନ୍ଦ, ରେଳଯାତ୍ରା ସମୟରେ ସବୁ ଯାତ୍ରୀଙ୍କ ନିରାପତା, ପାନୀୟ ଜଳ, ଉନ୍ନତ ଧରଣର ପାଇଖାନା, ସଫେଇ ବ୍ୟବସ୍ଥା, ଖାଦ୍ୟ ସାମଗ୍ରୀର ଗୁଣ ବୃଦ୍ଧି, ଲୋକୋ ରନିଙ୍ଗ ଷ୍ଟାଫ, ଗାର୍ଡ ଏବଂ ଅନ୍ୟାନ୍ୟ ଷ୍ଟାଫଙ୍କ କାର୍ଯ୍ୟ ସମୟ କମାଇବା ପ୍ରଭୃତି ଦିଗପ୍ରତି ଦୃଷ୍ଟି ଦେଇ ଅର୍ଥ ବିନିଯୋଗ ଏହି ଆନ୍ଦୋଳନର ମୁଖ୍ୟ ପ୍ରସଙ୍ଗ ହେବ ବୋଲି ବିଭିନ୍ନ ଦଳର ନେତାମାନେ କହିଥିଲେ । ଏହି ଅବସରରେ ମିଳିତ ବିରୋଧୀ ଦଳଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯିବ ବୋଲି ନେତାମାନେ ସୂଚନା ଦେଇଥିଲେ ।