ବାଲେଶ୍ୱରରେ ଗଡ଼ିଲା ଶିଶୁଶ୍ରମିକ ନିରାକରଣ ସଚେତନତା ରଥ
ବାଲେଶ୍ୱର : ବାଲେଶ୍ୱର ସ୍ଥିତ ଡିଭିଜନାଲ ଲେବର କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଶୁଭାରମ୍ଭ ହୋଇଛି । ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ପତାକା ଦେଖାଇ ଏହି ରଥକୁ ଶୁଭାରମ୍ଭ କରିବା ସହିତ ଏହିଭଳି ସଚେତନତା କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଶିଶୁ ଶ୍ରମିକ ନିୟୋଜନ ବିରୋଧରେ ଆଇନରେ ଥିବା ବିଭିନ୍ନ ନିୟମ ସହିତ ଉଦ୍ଧାର ହେଉଥିବା ଶିଶୁ ଶ୍ରମିକଙ୍କ ପୁନର୍ବାସ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଏହି ରଥ ସମଗ୍ର ଜିଲାରେ ଜନସାଧାରଣଙ୍କୁ ସଚେତନ କରିବ । ଏଥିସହିତ ନିଜର ଶିଶୁମାନଙ୍କୁ ଶ୍ରମିକ ଭାବେ ନିୟୋଜିତ କରୁଥିବା ପିତାମାତାଙ୍କୁ ଏହାର ଅପକାରିତା ସମ୍ପର୍କରେ ଅବଗତ ସହ ଶିଶୁ ଶ୍ରମିକ ନିୟୋଜିତ ହେଉଥିବା ସ୍ଥାନମାନଙ୍କରେ ଏହି ରଥ ସଚେତନତା ସୃଷ୍ଟି କରିବ ବୋଲି ପ୍ରକାଶ କରିଥିଲେ । ବିଶେଷ କରି ଶିଶୁ ଶ୍ରମିକଙ୍କୁ ଉଦ୍ଧାର ସହ ସେମାନଙ୍କ ଶିକ୍ଷା ଗ୍ରହଣ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ଶିଶୁ ଶ୍ରମିକ ନିୟୋଜନକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଥିଲେ ।
ଜିଲା ଶ୍ରମ ଅଧିକାରୀ ବୃନ୍ଦାବନ ସେଠୀ ପୌରହିତ୍ୱ କରିବା ସହିତ ସଚେତନତା କାର୍ଯ୍ୟକ୍ରମ ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ । ସମଗ୍ର ଜିଲାକୁ ଶିଶୁ ଶ୍ରମିକ ମୁୁକ୍ତ ପାଇଁ ଜାରି ରହିଥିବା ଅଭିଯାନ ଅନ୍ତର୍ଗତ ଏହି ରଥ ଜିଲାର ୪ଟି ବ୍ଲକ ସହ ପୌରପାଳିକା ଓ ଏନ୍ଏସି ଗୁଡ଼ିକରେ ବୁଲି ଲୋକଙ୍କୁ ସଚେତନ କରିବ । ୧୪ବର୍ଷରୁ କମ ବୟସର ଶିଶୁଙ୍କୁ ଶ୍ରମିକ ଭାବେ ନିୟୋଜନ ଦଣ୍ଡନୀୟ ଅପରାଧ ହୋଇଥିବା ବେଳେ ୧୫ ରୁ ୧୮ବର୍ଷର ଶିଶୁଙ୍କୁ କୌଣସି ବିପଦଜନକ କାର୍ଯ୍ୟରେ ନିୟୋଜିତ କରାଯାଇପାରିବ ନାହିଁ । ଏପରି ସ୍ଥଳେ ଶିଶୁଙ୍କୁ ଶ୍ରମିକ ଭାବେ ନିୟୋଜିତ କରୁଥିବା ବ୍ୟକ୍ତିଙ୍କୁ ୫୦ହଜାର ଟଙ୍କା ଜୋରିମାନା ସହିତ ୨ବର୍ଷ ଯାଏ କାରାଦଣ୍ଡରେ ଦଣ୍ଡିତ କରାଯିବା ନେଇ ଆଇନରେ ବ୍ୟବସ୍ଥା ରହିଛି ବୋଲି ଶ୍ରୀ ସେଠୀ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ଡିଭିଜନାଲ ଲେବର କମିଶନରଙ୍କ କାର୍ଯ୍ୟାଳୟର ପ୍ରଶାସନିକ ଅଧିକାରୀ ଅଜୟ କୁମାର ପ୍ରଧାନ, ଜିଲା ସହକାରୀ ଶ୍ରମ ଅଧିକାରୀ ଦୀପ୍ତିରଞ୍ଜନ ସାହୁ, ନୀଳଗିରି ସହକାରୀ ଶ୍ରମ ଅଧିକାରୀ ଯଶୋବନ୍ତ ଅମାତ, ସଦର ସହକାରୀ ଶ୍ରମ ଅଧିକାରୀ ଶ୍ରୀହରି ସୟନ ସାମଲ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଡିଭିଜନାଲ ଲେବର କମିଶନରଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।