ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର ଓ କର୍ମଶାଳା
କଟକ : କଟକ ଜିଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଦି ଲ କଲେଜ ପରିସରରେ ‘ସାମାଜିକ ଗଣମାଧ୍ୟମ ଜନିତ ସୁରକ୍ଷା, ସାଇବର ଆଇନ, ଅପରାଧ ନିରାକରଣ ଏବଂ ପରାମର୍ଶ’ ଉପରେ ଏକ ଆଇନ ସଚେତନତା ଶିବିର ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦି ଲ କଲେଜର ଅଧ୍ୟକ୍ଷ ସାମନ୍ତ କୁମାର ରାୟ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସ୍ୱୟଂପ୍ରଭା ଆଚାର୍ଯ୍ୟ ଯୋଗଦେଇ ସାଇବର ଆଇନ, ଅପରାଧ ଏବଂ ତା’ର ନିରାକରଣ ଉପରେ ଆଲୋକପାତ କରିଥିଲେ । କଟକ ସାଇବର ଶାଖା ଇନ୍ସପେକ୍ଟର ଅନିଲ୍ୟା ଆନନ୍ଦ ସାଇବର ଅପରାଧ କିପରି ହେଉଛି ଏବଂ ଏହାକୁ କିଭଳି ରୋକାଯାଇପାରିବ ସେ ସମ୍ବନ୍ଧରେ ସବିଶେଷ ବିବରଣୀ ପ୍ରଦାନ କରିବା ସହ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ଉପସ୍ଥିତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକାମାନଙ୍କୁ ସଚେତନ କରାଇଥିଲେ । ଏହି କର୍ମଶାଳା ମାଧ୍ୟମରେ ସାମାଜିକ ଗଣମାଧ୍ୟମ ଜନିତ ସୁରକ୍ଷା, ସାଇବର ଆଇନ, ଅପରାଧ ଓ ନିରାକରଣ ଏବଂ ତତ୍ସମ୍ବନ୍ଧୀୟ ଆଇନଗୁଡିକ ଉପରେ ଅଧିକରୁ ଅଧିକ ଲୋକ କିପରି ଜାଣିପାରିବେ ସେଦିଗରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ଆଇନସେବା ପ୍ରାଧିକରଣ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ ।