ଏସିଆ କପ୍ ଫାଇନାଲ : ପାକିସ୍ତାନକୁ ୨୩ ରନରେ ହରାଇ ଷଷ୍ଠ ଥର ପାଇଁ ଟାଇଟଲ୍ ଜିତିଲା ଶ୍ରୀଲଙ୍କା
ଦୁବାଇ : ଏସିଆ କପ୍-୨୦୨୨ର ଟାଇଟଲ୍ ହାତେଇଲା ଶ୍ରୀଲଙ୍କା । ଚଳିତ ଟୁର୍ଣ୍ଣାମେଣ୍ଟରେ ଏକ ଲଜ୍ଜାଜନକ ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ଶ୍ରୀଲଙ୍କା ପରବର୍ତ୍ତୀ ପର୍ଯ୍ୟାୟରେ ଚମତ୍କାର ଖେଳ ପ୍ରଦର୍ଶନ କରି ଫାଇନାଲ୍ରେ ପ୍ରବେଶ କରିଥିଲା । ଏପରିକି ଦଳ ସୁପର-୪ ରାଉଣ୍ଡ୍ରେ ସମସ୍ତ ମ୍ୟାଚ୍ ଜିତିଥିଲା । ଦଳରେ କେହି ଷ୍ଟାର୍ ଖେଳାଳି ନଥିଲେ ମଧ୍ୟ ଶ୍ରୀଲଙ୍କା ଯଥାକ୍ରମେ ଭାରତ, ପାକିସ୍ତାନ ଭଳି ଶକ୍ତିଶାଳୀ ଦଳକୁ ହରାଇ ବିପର୍ଯ୍ୟୟ ଘଟାଇଥିଲା । କେବଳ ଦଳଗତ ପ୍ରଦର୍ଶନ ଯୋଗୁଁ ଏଭଳି ବିଜୟ ସମ୍ଭବ ହୋଇଥିବା ବେଳେ ପାକିସ୍ତାନକୁ ହରାଇ ଶ୍ରୀଲଙ୍କା ଷଷ୍ଠ ଥର ପାଇଁ ଚାମ୍ପିଅନ୍ ହୋଇଛି । ରବିବାର ଏଠାରେ ଅନୁଷ୍ଠିତ ଫାଇନାଲରେ ଶ୍ରୀଲଙ୍କା ୨୩ ରନରେ ପାକିସ୍ତାନକୁ ହରାଇ ଚାମ୍ପିୟନ ହୋଇଛି । ଶ୍ରୀଲଙ୍କା ଷଷ୍ଠ ଥର ପାଇଁ ଏବଂ ୮ ବର୍ଷ ବ୍ୟବଧାନ ପରେ ଏହି ମହାଦେଶୀୟ ଟୁର୍ଣ୍ଣାମେଣ୍ଟ ଜିତିଛି । କ୍ରିକେଟ୍ ପଡିଆରେ ଏହି ସଫଳତା ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାବାସୀଙ୍କ ମୁହଁରେ ହସ ଫୁଟାଇଛି । ଅନ୍ୟପକ୍ଷରେ ଶେଷ ଥର ପାଇଁ ୨୦୧୨ରେ ଚାମ୍ପିଅନ୍ ହୋଇଥିବା ପାକିସ୍ତାନ ୧୦ ବର୍ଷର ଅପେକ୍ଷାରେ ପୂର୍ଣ୍ଣଛେଦ ପଡ଼ିଛି ।
ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚ୍ରେ ପାକିସ୍ତାନ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ଶ୍ରୀଲଙ୍କା ଟିମ୍। ଶ୍ରୀଲଙ୍କାର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଥିଲା। ଟିମ୍ର ସ୍କୋର ୨ ରନ୍ ଥିବା ବେଳେ ନସିମ୍ ସାହାଙ୍କ ବଲ୍ରେ ପ୍ରାରମ୍ଭିକ ବ୍ୟାଟର କୁସାଲ ମେଣ୍ଡିସ୍ (୦) ଆଉଟ୍ ହୋଇଥିଲେ। ଶ୍ରୀଲଙ୍କା ସ୍କୋର ୨୩ ରନ୍ରେ ୨ୟ ଓ ୩୬ ରନ୍ରେ ୩ୟ ୱିକେଟ ହରାଇ ଥିଲା। ଓପନର ଯୋଡି ଶୀଘ୍ର ଆଉଟ ହେବା ପରେ ଧନଞ୍ଜୟ ଡିସିଲଭା କିଛି ଓଭର ପର୍ଯ୍ୟନ୍ତ ଟିମ୍ର ସ୍କୋର ବୋଡ଼୍କୁ ଆଗେଇ ନେଇଥିଲେ। ଦଳୀୟ ସ୍କୋର ୩୬ ଥିବା ବେଳେ ଟିମ୍ ୩ଟି ୱିକେଟ ହରାଇ ବିପତ୍ତିରେ ପଡ଼ିଥିଲା। ସେହିପରି ଦଳର ସ୍କୋର ୫୩ ରନ୍ରେ ୪ର୍ଥ ୱିକେଟ ଭାବେ ଧନଞ୍ଜୟ ଡି ସିଲ୍ଭା ଓ ୫୮ ରନ୍ରେ ୫ମ ୱିକେଟ ଭାବେ ଦାସୁନ ଶଣକା ଆଉଟ୍ ହୋଇଥିଲେ। ତେବେ ୬ଷ୍ଠ ୱିକଟେ ପାଇଁ ଭାନୁକା ରାଜପକ୍ଷ (ଅପରାଜିତ ୭୧ ରନ୍) ଓ ୱାନିନ୍ଦୁ ହସରଙ୍ଗା (୩୬ ରନ୍) ଧୈର୍ଯ୍ୟର ସହିତ ଖେଳି ୫୮ ରନ୍ର ଭାଗିଦାରୀ ହୋଇପାରିଥିଲେ। ରାଜପକ୍ଷଙ୍କ ଅପରାଜିତ ଅର୍ଦ୍ଧଶତକ ଶ୍ରୀଲଙ୍କାକୁ ଏକ ସମ୍ମାନଜନକ ସ୍କୋର କରିବାରେ ସହାୟକ ହୋଇଥିଲା। ସେ ୪୫ଟି ବଲ୍ ଖେଳି ୭୧ ରନ୍ ସଂଗ୍ରହ କରିଥିଲେ। ଯାହା ଭିତରେ ୬ଟି ଚୌକା ଏବଂ ୩ଟି ଛକା ରହିଥିଲା। ଚମିକା କରୁଣାରତ୍ନେଙ୍କ ବ୍ୟାଟରୁ ଶ୍ରୀଲଙ୍କାକୁ ଅପରାଜିତ ୧୪ ରନ୍ ମିଳିଥିଲା। ପାକିସ୍ତାନ ପକ୍ଷରୁ ହାରିସ ରୌଫଙ୍କୁ ସର୍ବାଧିକ ୩ଟି ୱିକେଟ୍ ମିଳିଥିଲା। ସେହିପରି ନସିମ୍ ସାହା, ସାଦବ ଖାନ ଓ ଇଫତିକାର ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।