ଷଷ୍ଠ ଥର ପାଇଁ ଏସିଆ କପ୍ ଟ୍ରଫି ହାତେଇଲା ଶ୍ରୀଲଙ୍କା
ନୂଆଦିଲ୍ଲୀ : ଏସିଆ କପ୍ ୨୦୨୨ର ଫାଇନାଲ୍ ମ୍ୟାଚରେ ପାକିସ୍ତାନକୁ ୨୩ ରନ୍ରେ ହରାଇ ବାଜି ମାରିଛି ଶ୍ରୀଲଙ୍କା। ଏହା ସହିତ ଶ୍ରୀଲଙ୍କା ଷଷ୍ଠ ଥର ପାଇଁ ଏସିଆ କପ୍ ଟ୍ରଫି ହାତେଇବାରେ ସଫଳ ହୋଇଛି। ପାକିସ୍ତାନ ବିରୋଧରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୬ଟି ୱିକେଟ୍ରେ ୧୭୦ ରନ୍ ସଂଗ୍ରହ କରିଥିଲା। ଏହାର ପ୍ରତି ଜବାବରେ ପାକିସ୍ତାନ ଟିମ୍ ୨୦ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୧୪୭ ରନ୍ କରିଥିଲା। ଏସିଆ କପ୍ ଇତିହାସରେ ଶ୍ରୀଲଙ୍କା ଓ ପାକିସ୍ତାନର କ୍ରିକେଟ୍ ଟିମ୍ ଚତୁର୍ଥ ଥର ପାଇଁ ଫାଇନାଲ୍ ମୁକାବିଲାରେ ମୁହାଁ ମୁହିଁ ହୋଇଥିଲେ। ଏହା ପୂର୍ବରୁ ଏହି ୨ ଟିମ୍ ଭିତରେ ୩ଥର ଖେଳା ଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଶ୍ରୀଲଙ୍କା ୨ ଥର ଓ ପାକିସ୍ତାନ ଥରେ ଜିତିଥିଲା।
ପାକିସ୍ତାନ ଟସ୍ ଜିତି ଶ୍ରୀଲଙ୍କାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଶ୍ରୀଲଙ୍କାକୁ ପ୍ରଥମ ଓଭରରେ ହିଁ ଝଟକା ଲାଗିଥିଲା । ପାକିସ୍ତାନର ପେସ୍ ସେନସେସନ୍ ନସୀମ ଶାହା ପ୍ରଥମ ଓଭରରେ ହିଁ କୁଶଲ ମେଣ୍ଡିସ (୦)ଙ୍କୁ ଆଉଟ୍ କରି ଶ୍ରୀଲଙ୍କାକୁ ବଡ଼ ଝଟକା ଦେଇଥିଲେ । ଏହାପରେ ଇନ୍ ଫର୍ମ ଓପନର ପାଥୁମ ନିଶଙ୍କା (୮)ଙ୍କୁ ଆଉଟ୍ କରି ହାରିସ୍ ରାଉଫ୍ ପାକିସ୍ତାନକୁ ବଡ଼ ଆଶ୍ୱସ୍ତି ଦେଇଥିଲେ । ପୁଣି ରାଉଫ୍ ପରବର୍ତ୍ତୀ ଓଭରରେ ଦାନୁସ୍କା ଗୁଣତିଳକା(୧)ଙ୍କ ୱିକେଟ୍ ମଧ୍ୟ ନେଇଥିଲେ । ଧନଞ୍ଜଞ୍ଜ ଡି’ସିଲଭା ୨୧ ବଲରେ ଆକ୍ରମଣାତ୍ମକ ୨୮ ରନ୍ କରିବା ପରେ ଇଫତିକାର ଅହମ୍ମଦଙ୍କ ବଲରେ ଆଉଟ୍ ହୋଇଯିବା ପରେ ଶ୍ରୀଲଙ୍କା ବଡ଼ ସଙ୍କଟରେ ଫସିଥିଲା । ମାତ୍ର ୫୩ ରନ୍ ସ୍କୋରରେ ଶ୍ରୀଲଙ୍କା ୪ଟି ୱିକେଟ୍ ହରାଇ ଦେଇଥିଲା । ଏହାପରେ ଅଧିନାୟକ ଦାସୁନ ଶନକା କ୍ରିଜକୁ ଓହ୍ଲାଇଥିଲେ । କିନ୍ତୁ ପାକ୍ ସ୍ପିନର ଶଦାବ ଖାନଙ୍କ ବଲରେ ସେ କ୍ଲିନ୍ ବୋଲ୍ଡ ହୋଇଯାଇଥିଲେ। ଶନକା ମାତ୍ର ୨ ରନ୍ କରି ପ୍ୟାଭିଲିୟନ୍ ଫେରିବା ପରେ ଶ୍ରୀଲଙ୍କାର ସ୍କୋର ୫୮ ରନରେ ୫ ୱିକେଟ୍ ହରାଇ ବ୍ୟାକଫୁଟକୁ ଠେଲି ହୋଇଯାଇଥିଲା । ଲାଗୁଥିଲା ଶ୍ରୀଲଙ୍କା ମାମୁଲି ସ୍କୋରରେ ସୀମିତ ରହିଯିବ । ହେଲେ ଭାନୁକା ରାଜପକ୍ଷେଙ୍କ ଲଢୁଆ ଅର୍ଦ୍ଧଶତକ ଓ ୱାନିନ୍ଦୁ ହସରଙ୍ଗାଙ୍କ ଉପାଦେୟ ପାଳି ବଳରେ ଶ୍ରୀଲଙ୍କା ବିପର୍ଯ୍ୟୟରୁ ମୁକୁଳିଥିଲା । ଏ ଦୁହିଁଙ୍କ ମଧ୍ୟରେ ଷଷ୍ଠ ୱିକେଟରେ ୫୮ ରନର ଭାଗିଦାରୀ ହୋଇଥିଲା । ହସରଙ୍ଗା ୨୧ଟି ବଲରେ ୫ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୩୬ ରନର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପରେ ରାଉଫଙ୍କ ଶିକାର ହୋଇଥିଲେ । ହେଲେ ରାଜପକ୍ଷେ ଆକ୍ରମଣାତ୍ମକ ପ୍ରଦର୍ଶନ ସହ ପାକିସ୍ତାନ ବୋଲିଂ ଆକ୍ରମଣର ସଫଳ ମୁକାବିଲା କରି ଶ୍ରୀଲଙ୍କାକୁ ଏକ ଚ୍ୟାଲେଞ୍ଜିଂ ସ୍କୋରରେ ପହଞ୍ଚାଇଥିଲେ । ସେ ନସୀମ ଶାହାଙ୍କ ଶେଷ ଓଭରର ଅନ୍ତିମ ଦୁଇଟି ବଲରେ ବିଶାଳ ଛକା ମାରି ଶ୍ରୀଲଙ୍କାକୁ ୧୭୦/୬ରେ ପହଞ୍ଚାଇଥିଲେ । ରାଜପକ୍ଷେ ୪୫ଟି ବଲରେ ୬ଟି ଚୌକା ଓ ୩ଟି ଛକା ସହ ୭୧ ରନ୍ କରି ଅପରାଜିତ ରହିଥିଲେ । ତାଙ୍କ ସହ ଚାମିକା କରୁଣାରତ୍ନେ ୧୪ ରନ୍ କରି ଅପରାଜିତ ଥିଲେ । ପାକିସ୍ତାନ ପକ୍ଷରୁ ରାଉଫ୍ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଶଦାବ, ଇଫତିକାର ଓ ନସୀମ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
୧୭୧ ରନ୍ କରିବାକୁ ଲକ୍ଷ ରଖିଥିବା ପାକିସ୍ତାନ ଆରମ୍ଭରେ ଖରାପ ପ୍ରଦର୍ଶନ କରିଥିଲା। ଟିମ୍ ଚତୁର୍ଥ ଓଭର୍ରେ କ୍ୟାପ୍ଟେନ୍ ବାବର ଆଜମ ଓ ଫଖର ଜମନଙ୍କୁ ୱିକେଟ୍ରେ ହରାଇଥିଲା। କିନ୍ତୁ ଏହାପରେ ଇଫ୍ତିଖାର ଅହମ୍ମଦ ଓ ମହମ୍ମଦ ରିଜୱାନଙ୍କ ମଧ୍ୟରେ ତୃତୀୟ ୱିକେଟ୍ ପାଇଁ ହାଫ୍ ସେଞ୍ଚୁରି ପାର୍ଟନର ସିପ୍ ହୋଇଥିଲା । କିନ୍ତୁ ଇଫ୍ତିହାର ୩୧ ଟି ବଲ୍ରେ ୩୨ ରନ୍ କରି ଆଉଟ୍ ହୋଇଥିଲେ। ମହମ୍ମଦ ନୱାଜ୍ ୬ ରନ୍ କରି ହୋଇଥିଲେ। ଏହାପରେ ହସରଙ୍ଗା ୧୭ ଓଭରରେ ୩ଟି ୱିକେଟ୍ ନେଇ ଶ୍ରୀଲଙ୍କାର ବିଜୟକୁ ସୁନିଶ୍ଚିତ କରିଥିଲେ। ଅନ୍ୟପଟେ ରିଜୱାନ୍ ୪୯ଟି ବଲ୍ରେ ୫୫ ରନ୍ କରି ଆଉଟ୍ ହୋଇଥିଲେ।